ହାଇଦ୍ରାବାଦ: ଦ୍ରୁତଗତିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ମହାମାରୀ । ଦିନକୁ ଦିନ ସଂକ୍ରମଣ ବଢୁଛି ସତ ହେଲେ କମିବାର ନାଁ ଧରୁନି ଏହି ଘାତକ ମହାମାରୀ । ଦେଶରେ ଲକଡାଉନ ସମୟରେ ସ୍ଥିତି କିଛିଟା ସୁଧୁରିଥିବା ବେଳେ ଯେବେ ଜୀବନ, ଜୀବିକା ସ୍ବାଭାବିକ କରିବାକୁ ଅନଲକ ପର୍ଯ୍ୟାୟ ଆରମ୍ଭ ହୋଇଛି ସେବେଠାରୁ କୋରୋନା ତାର ଶକ୍ତି ଦେଖାଇବାରେ ଲାଗିଛି । ତେବେ ଗତ 24 ଘଣ୍ଟାରେ 24,248 ଆକ୍ରାନ୍ତ, 425 ମୃତ ନେଇ ସୂଚନା ରହିଛି ।
ସେପଟେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6,97,413 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଛୁଇଁଛି 19,693 । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 4,24,433 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,53,287 ଟି ସକ୍ରିୟ ମାମଲା ରହିଛି ।
ତେବେ ଚାଲନ୍ତୁ ଜାଣିବା କେଉଁ ରାଜ୍ୟର କୋରୋନା ସ୍ଥିତି କେମିତି ରହିଛି?
- ଦିଲ୍ଲୀ: ଦେଶର ରାଜଧାନୀରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ଉପରେ ମଧ୍ୟ ରୋକ ଲଗାଯାଇପାରୁନି । ଯାହାକୁ ନଜରରେ ରଖି ଦିଲ୍ଲୀରେ ଆଣ୍ଟିଜେନ ଟେଷ୍ଟକୁ ବ୍ୟାପକ ତ୍ବରାନ୍ବିତ କରାଯାଇଛି ।
- କର୍ଣ୍ଣାଟକ: ରାଜ୍ୟରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ପଜିଟିଭି ସଂଖ୍ୟା 21549 ରହିଥିବା ବେଳେ 335 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ବି. ଜନାର୍ଦ୍ଦନ ପୁଜାରେ କୋଭିଡ ପଜିଟିଭ ଜଣାପଡିବା ପରେ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
- ଓଡିଶା: କୋରୋନା ମହାମାରୀରେ ଘାଣ୍ଟି ହେଉଛି ଓଡିଶା । ରବିବାର ସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 9 ହଜାର 526 ପାର କରିଥିବା ବେଳେ 38କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ଅନ୍ୟପଟେ 2 ଲକ୍ଷ 92 ହଜାର 407 ଟେଷ୍ଟ କରାଯାଇଥିବା ସୂଚନା ରହିଛି ।
- ଝାଡଖଣ୍ଡ: ଦିନକୁ ଦିନ ଏହି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଜିଟିଭ ସଂଖ୍ୟା 2779 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 19 । ସେଥିମଧ୍ୟରୁ 2035 ଜଣ ସୁସ୍ଥ ହୋଇଥିବା ବେଳେ 712 ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।