ରାଞ୍ଚି: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏନେଇ ସକାଳ 8ଟା ଭୋଟ ଗଣନା ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟର 24ଟି ଜିଲ୍ଲାର ଗଣନା କେନ୍ଦ୍ରରେ ଏନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ 1ଟା ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା କରାଯିବାକ ସୂଚନା ମିଳିଛି । ନଭେମ୍ବର 30ରୁ ଡିସେମ୍ବର 20 ମଧ୍ୟରେ 5ଟି ପର୍ଯ୍ୟାୟରେ 81ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ।
ଏକ୍ସିଟ ପୋଲ ତଥ୍ୟ ଅନୁସାରେ, ଝାଡଖଣ୍ଡରେ ଝୁଲା ବିଧାନସଭା ସୃଷ୍ଟି ହେବ । ଏବିପି/ସି ଭୋଟର୍ସ ଅନୁସାରେ, ଜେଏମଏମ, କଂଗ୍ରେସ ଓ ଆରଜେଡି 35ଟି ଲେଖାଁଏ ଆସନ ପାଇବେ । ସେହିଭଳି ବିଜେପି 32ଟି ଆସନ ପାଇବାକୁ ଥିବା ବେଳେ ଏଜେଏସୟୁ 5ଟି, ଝାଡଖଣ୍ଡ ବିକାଶ ମୋର୍ଚ୍ଚା(ପ୍ରଜାତାନ୍ତ୍ରିକ) 3ଟି ଓ ଅନ୍ୟମାନେ 6ଟି ଆସନ ପାଇବେ ।
ସେହିଭଳି ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ ଅନୁସାରେ ବିଜେପି କଂଗ୍ରେସ ଠାରୁ ପଛରେ ପଡିବ । ଜେଏମଏମ 38ରୁ 50ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବାକୁ ଥିବା ବେଳେ ବିଜେପି 22ରୁ 32ଟି ଆସନ ପାଇବାର ସମ୍ଭାବନା ରହିଛି । ଏହା ସହିତ ଏଜେଏସୟୁ 3ରୁ 5ଟି ଆସନ, ଝାଡଖଣ୍ଡ ବିକାଶ ମୋର୍ଚ୍ଚା(ପ୍ରଜାତାନ୍ତ୍ରିକ) 2ରୁ 4ଟି ଓ ଅନ୍ୟମାନଙ୍କୁ 4ରୁ 7ଟି ଆସନ ଯିବ ।
ସେହିପରି ୟୁଫିଲ ଦ୍ବାରା କରାଯାଇଥିବା ସର୍ଭେରେ ବିଜେପି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟ ସରକାର ଗଠନ କରିପାରେ ବୋଲି କୁହାଯାଇଛି ।
ନିର୍ବାଚନ କମିଶନଙ୍କ ଅନୁସାରେ, 5ଟି ପର୍ଯ୍ୟାୟରେ 81ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନରେ ହାରାହାରି ଭୋଟର ଉପସ୍ଥିତି 65.17 । ଗତ 2014 ନିର୍ବାଚନରେ ହାରାହାରି ଭୋଟର ଉପସ୍ଥିତି 66.53 ରହିଥିବା ଜଣାପଡିଛି । 2014 ନିର୍ବାଚନରେ ବିଜେପି 37 ଟି ଆସନ ପାଇ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ସେହିପରି ବିଜେପିରୁ ରଘୁବର ଦାସ ଦ୍ବିତୀୟ ଟର୍ମ ମୁଖ୍ୟମନ୍ତ୍ରୀ ହେବାକୁ ଆଶାବାଦୀ ରହିଛନ୍ତି । ସେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି ।