ନୂଆଦିଲ୍ଲୀ: ଶନିବାର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ 421 ଜଣ ନୂଆ କୋରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା 10,000 ଅତିକ୍ରମ କରିଛି। ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସର୍ବଶେଷ ତଥ୍ୟ ଦ୍ବାରା ଏହି ସୂଚନା ଦିଆଯାଇଛି। ଏଥିମଧ୍ୟରୁ 5 ହଜାରରୁ ଅଧିକ ଯବାନ ବର୍ତ୍ତମାନ ସଂକ୍ରମଣମୁକ୍ତ।
ଗୃହ ମନ୍ତ୍ରଣାଳୟ ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ), ସଶସ୍ତ୍ର ସୀମା ବାହିନୀ(SSB), ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ଓ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF)ର ଯବାନ କୋରୋନା ସଂକ୍ରମିତ ହୋଇଛନ୍ତି ।
ଏପର୍ଯ୍ୟନ୍ତ 10,259 ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 4,687 ଜଣ କର୍ମଚାରୀ ଚିକିତ୍ସିତ ହେଉଥିବାବେଳେ ବାକି ସଂକ୍ରମଣମୁକ୍ତ। ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ 44 ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ତଥ୍ୟ ଅନୁଯାୟୀ, CRPF ରେ ସର୍ବାଧିକ ସଂକ୍ରମଣ 3,341 ରେ ରହିଛି । ଏହାପରେ BSF ରେ 3,164, CISF ରେ 1,639, ITBP ରେ 1,132, SSB ରେ 507, NDRF ରେ 393 ଓ NSG ରେ 92 ଜଣ ଅଛନ୍ତି।
ଶନିବାର 421 ଟି ନୂତନ ମାମଲା ମଧ୍ୟରୁ 141 ଟି ବିଏସଏଫରେ, 100 ଟି ସିଆରପିଏଫରେ, 84 ଟି ଆଇଟିବିପିରେ, 68 ଟି ସିଏସଏଫରେ, 23 ଟି ଏସଏସବିରେ, 4ଟି ଏନଡିଆରଏଫ, ଏନଏସଜି ରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି ।