ମାରାତ୍ମକ କୋରୋନା ଭୂତାଣୁ କେବଳ ଉହାନ୍ ସହର କିମ୍ବା ଚୀନ ଦେଶରେ ସୀମିତ ନରହି ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି । ଏହି ଭୂତାଣୁର ପ୍ରକୋପକୁ ରୋକିବା ଲାଗି ଚୀନ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ପ୍ରଭାବିତ ସହରଗୁଡ଼ିକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ରୋକାଯାଇଛି । ଆଜି ଭିତରେ ୧୬ଟି ଚୀନ୍ ସହରକୁ ଅଲଗା ରଖାଯାଇଛି, ଯେଉଁଠାରୁ ଲୋକଙ୍କ ଯିବା ଆସିବା ତଥା ଏହି ସହରଗୁଡ଼ିକୁ ବାହାର ସହରରୁ ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅର୍ଥାତ୍ ସେମାନେ ଏକ ପ୍ରକାର ବାସନ୍ଦ ହୋଇଛନ୍ତି ।
ପୁଣି ସହର ଭିତରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ମଧ୍ୟ ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସବୁ ପ୍ରକାର ଯା’ ଆସରେ ମେଡିକାଲ୍ ପରୀକ୍ଷଣ ତଥା ଅନ୍ୟ ପ୍ରତିବନ୍ଧକ ବାଧ୍ୟତାମୂଳକ କରାଯାଇଛି। ଏହି କାରଣରୁ ଚୀନର ନୂଆବର୍ଷ ପାଳିବାକୁ ଯାଇଥିବା ଲକ୍ଷ ଲକ୍ଷ ଶ୍ରମିକ ଏବେ ସେମାନଙ୍କ ଘରୁ ଆଉ କର୍ମ କ୍ଷେତ୍ରକୁ ଫେରିପାରୁ ନାହାଁନ୍ତି । ଏହାଦ୍ଵାରା ଚୀନର ଶିଳ୍ପ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଶେଷକରି ହେନାନ, ହୁବେଇ, ଝେଜିଆଙ୍ଗ, ଗୁଆଙ୍ଗଡଙ୍ଗ ପ୍ରଭୃତି ଅଞ୍ଚଳରେ ଉତ୍ପାଦନ ଶିଳ୍ପ ବାଧା ପାଇଛି ।
ହେନାନ୍ଠାରେ ବିଶ୍ଵର ସର୍ବବୃହତ (ଆଇଫୋନ୍) ଆପଲ୍ କାରଖାନା ରହିଛି । ହୁବେଇ ରାଜ୍ୟର ରାଜଧାନୀ ଉହାନ୍ ସହରରେ ବିଶ୍ଵର ବଡ଼ ବଡ଼ ମୋଟର ଗାଡ଼ି ନିର୍ମାତାଙ୍କ କାରଖାନା ରହିଛି । ବିଶେଷକରି ଜାପାନ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ହଣ୍ଡା, ନିଶାନ୍ ଏବଂ ଆହୁରି ଅନେକ ୟୁରୋପୀୟ ଗାଡ଼ି ନିର୍ମାତାଙ୍କ କାରଖାନା ଏଇଠି ରହିଛି। କୋରୋନା ଆତଙ୍କକୁ ଲକ୍ଷ୍ୟ କରି ଜର୍ମାନୀ ଗାଡ଼ି ନିର୍ମାତା ଫକ୍ସୱାଗନ୍ ଏହାର ୩୫୦୦ କର୍ମଚାରୀଙ୍କୁ ଫ୍ୟାକ୍ଟ୍ରୀ ନଯାଇ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜର୍ମାନୀ ଭିତ୍ତିକ ବିଏମ୍ଡବ୍ଲୁ, ଅମେରିକୀୟ କମ୍ପାନୀ ଟେସ୍ଲା, ବ୍ରିଟେନ୍ର ଜାକୁଆର ଏବଂ ଲ୍ୟାଣ୍ଡରୋଭର ପ୍ରଭୃତି ଗାଡ଼ି ନିର୍ମାତାଙ୍କ ବ୍ୟବସାୟ ଏହି କୋରୋନା ଭୂତାଣୁ ସଂକ୍ରମଣ ଓ ପ୍ରତିବନ୍ଧକ ଯୋଗୁ ପ୍ରଭାବିତ ହୋଇଥିବା ଦର୍ଶାଇଛନ୍ତି ।
ସପ୍ଲାଇ ଚେନ୍ ବାଧାପ୍ରାପ୍ତ ଅନେକ ବିକଶିତ ଦେଶ ନିଜର ବିଭିନ୍ନ କାରଖାନା ଯେମିତି କାର୍, ଇଲେକ୍ଟ୍ରନିକ୍ସ, ଶିଳ୍ପ ସାମଗ୍ରୀ ପ୍ରଭୃତି ଉତ୍ପାଦନ ପାଇଁ ଚୀନରେ ବିଶାଳ କାରଖାନା ସବୁ ସ୍ଥାପନ କରିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ବିଶ୍ଵ ବାଣିଜ୍ୟ ଏହିପରି ଭାବେ ଆନ୍ତର୍ଜାତୀୟ ନେଟୱର୍କ ବା ଚେନ୍ ଉପରେ ନିର୍ଭର କରିଥାଏ, ଯାହାକୁ ଆମେ ସପ୍ଲାଇଚେନ୍ ବୋଲି କହିଥାଉ। ଏହି ଚେନ୍ ଉପରେ ନିର୍ମାଣ ବା ଉତ୍ପାଦନ ନିର୍ଭର କରିଥାଏ। ଅର୍ଥାତ୍ କୌଣସି ଗୋଟିଏ ଦେଶରେ ଗୋଟିଏ ଗାଡ଼ି, ମୋବାଇଲ୍ ବା ଅନ୍ୟ କୌଣସି ସାମଗ୍ରୀର ସବୁ ଅଂଶ ବିଶେଷ ପ୍ରସ୍ତୁତ ବା ଉତ୍ପାଦନ ହୋଇ ନଥାଏ।
ବିଭିନ୍ନ ଦେଶରୁ ଏହା ଆମଦାନୀ ହୋଇ ହୋଇ ଗୋଟିଏ ସ୍ଥାନରେ ପ୍ୟାକେଜିଂ ହୁଏ । ଉଦାହରଣ ଭାବେ ଗୋଟିଏ ମୋବାଇଲ୍ ଫୋନ୍ ପ୍ରସ୍ତୁତିକୁ ନିଆଯାଇପାରେ। ମୋବାଇଲ୍ ଫୋନ୍ରେ ବ୍ୟବହୃତ କ୍ୟାମେରା, ସର୍କିଟ୍ ବା ଡିସ୍ପ୍ଲେ କୌଣସି ଗୋଟିଏ ଦେଶରେ ପ୍ରସ୍ତୁତ ହୁଏ ନାହିଁ। ଏହା ଭିନ୍ନ ଭିନ୍ନ ଦେଶରେ ତିଆରି ହୋଇ ଆମଦାନୀ ହୁଏ। ଏଣୁ ଯଦି ଏହି ସପ୍ଲାଇଚେନ୍ରେ ଗୋଟିଏ ଅଂଶ ପ୍ରଭାବିତ ହୁଏ ତବେ ସମ୍ପୂର୍ଣ୍ଣ ଉତ୍ପାଦନ ବାଧା ପାଇବା ଆଶଙ୍କା ରହିଛି। ସାମ୍ପ୍ରତିକ ବଜାରର ଏହି ସପ୍ଲାଇଚେନ୍ରେ ପ୍ରମୁଖ ଅଙ୍ଗ ଭାବେ ତାଇୱାନ୍, ଭିଏତ୍ନାମ, ବାଂଲାଦେଶ, ଦକ୍ଷିଣ କୋରିଆ ଏବଂ ମାଲେସିଆ ପ୍ରଭୃତି ଦେଶ ପରିଚିତ।
ବିକଶିତ ରାଷ୍ଟ୍ର ଯେମିତି ଆମେରିକା, ଜର୍ମାନୀ, ଜାପାନ ଏବଂ ଫ୍ରାନ୍ସ ପରି ରାଷ୍ଟ୍ର ଏହିସବୁ ଦେଶମାନଙ୍କରେ ନିଜର ଉତ୍ପାଦନ କାରଖାନା ସ୍ଥାପନ କରିଛନ୍ତି। ଏଣୁ ସେମାନଙ୍କ ଉତ୍ପାଦନ ଏହି ସପ୍ଲାଇଚେନ୍ ଉପରେ ନିର୍ଭରଶୀଳ। କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ହେତୁ ତାହା ଯଥେଷ୍ଟ ପ୍ରଭାବିତ ହୋଇଛି। ସେହିପରି ଚୀନର ରପ୍ତାନୀ ଏବଂ ଆମଦାନୀ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକର ବାଣିଜ୍ୟ କାରବାର ପ୍ରଭାବିତ ହୋଇଛି। ଉଦାହରଣ ସ୍ଵରୂପ ଚୀନରୁ ଜାପାନକୁ ରପ୍ତାନୀ ହେଉଥିବା ବସ୍ତ୍ର ଓ ବିଶୋଧିତ ଖାଦ୍ୟ ସାମଗ୍ରୀ। ଏବେ ଏ ଅବସ୍ଥା ଯଥେଷ୍ଟ ସମସ୍ୟାରେ ରହିଛି। ଚୀନରୁ ଆମଦାନୀ କରୁଥିବା କିଛି ଓ୍ବେୟାରିଂ ସାମଗ୍ରୀ ଅଭାବ ହେବାରୁ ହ୍ୟୁଣ୍ଡାଇ ମୋଟର କମ୍ପାନୀ ଦକ୍ଷିଣ କୋରିଆରେ ଥିବା କିଛି ନିର୍ମାଣ ୟୁନିଟ୍କୁ ବନ୍ଦ ଘୋଷଣା କରିଛନ୍ତି। ଭୟ କେବଳ ଚୀନରେ ସୀମିତ ନାହିଁ। ଏସିଆ ମହାଦେଶର ଅନେକ ଦେଶର ଲୋକେ ଏବେ କରୋନା ଭୟରେ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ପସନ୍ଦ କରୁ ନାହାନ୍ତି। ବିଶେଷକରି ବଜାର, ଦୋକାନ, ମଲ୍କୁ ଲୋକଙ୍କ ଆସିବା କମିବାରୁ ସେଠାରେ ବ୍ୟବସାୟ ବାଧା ପାଇଛି। ଏହାଦ୍ଵାରା ଖୁଚୁରା ବ୍ୟବସାୟ ପ୍ରଭାବିତ ହୋଇଛି।
ପୁଣି ପର୍ଯ୍ୟଟନ ଶିଳ୍ପରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହୋଇଛି । ଚୀନ ସରକାର କରୋନା ଭୟରେ ପର୍ଯ୍ୟଟନ ପାଇଁ ଲୋକଙ୍କ ଯିବା ଆସିବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି । ଅନେକ ଦେଶ ବି ନିଜ ନାଗରିକଙ୍କ ଚୀନଗସ୍ତ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏହାଦ୍ଵାରା କେବଳ ଚୀନ ନୁହେଁ, ଭିଏତନାମ, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁରର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବ। ସିଙ୍ଗାପୁର କଥା ବିଚାର କଲେ ଜଣାଯାଏ ଯେ, ଏହି ଦେଶ ୧ କୋଟି ଚୀନ ପର୍ଯ୍ୟଟକଙ୍କ ଆଗମନ ହରାଇବ। ସେହିପରି ଚୀନର ବ୍ୟବସାୟିକ ପେଣ୍ଠସ୍ଥଳ ହଂକଂ ଏବଂ ମାକାଉରେ ବ୍ୟବସାୟ ଯଥେଷ୍ଟ ପ୍ରଭାବିତ ହେବ। ଥାଇଲାଣ୍ଡର ଅର୍ଥନୀତିକୁ ପର୍ଯ୍ୟଟନ ଶିଳ୍ପର ଅବଦାନ ଯଥେଷ୍ଟ, ଜିଡିପିର ପ୍ରାୟ ୧୧.୨ ପ୍ରତିଶତ। ହଂକଂରେ ୯.୨ ପ୍ରତିଶତ। କିନ୍ତୁ ଭାରତ କ୍ଷେତ୍ରରେ ଏହା ପ୍ରଭାବ ପକାଇବ ନାହିଁ। କାରଣ ଭାରତକୁ ଚୀନରୁ ଯଥେଷ୍ଟ କମ୍ ସଂଖ୍ୟକ ପର୍ଯ୍ୟଟକ ପ୍ରତିବର୍ଷ ଆସି ଥାଆନ୍ତି। ଏଣୁ ଭାରତ ଉପରେ କରୋନାର ପ୍ରଭାବ ଅନ୍ୟ ଦେଶଗୁଡ଼ିକ ଭଳି ରହିବ ନାହିଁ।
ଅନ୍ୟପକ୍ଷରେ ଚୀନକୁ ଆସୁଥିବା ବିଭିନ୍ନ ଦେଶର ବିମାନ ସେବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ବ୍ରିଟିଶ୍ ଏୟାରଓ୍ବେଜ୍ ଲୁଫ୍ଥାନ୍ସା ଏବଂ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନୀ ଚୀନକୁ ଯାଉଥିବା ବିମାନ ବନ୍ଦ କରିଦେଇଛନ୍ତି ବା ଅତ୍ୟନ୍ତ ନଗଣ୍ୟ କରିଛନ୍ତି। ଏଭଳି ଏକ ସ୍ଥିତିରେ ଜାପାନ ନିଜର ପର୍ଯ୍ୟଟନ ହ୍ରାସ ପାଇବ ବୋଲି ଆଶଙ୍କା କରିଛି। ଜୁଲାଇ ୨୪ରୁ ଟୋକ୍ୟୋରେ ସମର ଅଲମ୍ପିକ୍ ଆରମ୍ଭ ହେବାକୁ ଯାଉଛି। ଏଣୁ ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ନେଇ ଆଶାବାଦୀ ରହିଥିଲା ଜାପାନ୍। କିନ୍ତୁ କରୋନା ହେତୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବ ବୋଲି ଜାପାନ ଆଶଙ୍କା କରିଛି ।
କାର୍ ନିର୍ମାଣ ହେଉ ବା ଶିଳ୍ପ ଯନ୍ତ୍ରାଂଶ ଅଥବା ଫାର୍ମା, କମ୍ପ୍ୟୁଟର, ସ୍ମାର୍ଟଫୋନ୍ ଅଥବା ଅନ୍ୟ ହାଇଟେକ୍ ସାମଗ୍ରୀ ତିଆରି କରିବାରେ ଚୀନ୍ ବିଶ୍ଵର ପ୍ରମୁଖ ଆକର୍ଷଣ ରହି ଆସିଛି। କିନ୍ତୁ କରୋନା ହେତୁ ସେସବୁ ପ୍ରଭାବିତ ହୋଇଛି। କରୋନା ହେତୁ ୨୦୨୦ ପ୍ରଥମ ଆର୍ଥିକ କ୍ଵାର୍ଟରରେ କାର ନିର୍ମାଣ କ୍ଷେତ୍ରରେ ୧୫ ପ୍ରତିଶତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଇଛି। କାର୍ ଯନ୍ତ୍ରାଂଶ ପ୍ରସ୍ତୁତ କରୁଥିବା ବୋସ୍ଚ, ମାଗ୍ନା ଇଣ୍ଟରନ୍ୟାସନାଲ୍, ଇଲେକ୍ଟ୍ରନିକ୍ସ ନିର୍ମତା ଏନ୍ଭିଡିଆ ପ୍ରଭୃତି ସେମାନଙ୍କ ଉତ୍ପାଦ କମାଇଛନ୍ତି। ବିଶ୍ଵ ଅର୍ଥନୀତି ମାନ୍ଦାବସ୍ତାରେ ଗତି କରୁଥିବା ବଳେ କରୋନା ଏକ ଅଭିଶାପ ହୋଇଛି। ଏହାଦ୍ଵାରା ଚୀନ ସହ ସମଗ୍ର ବିଶ୍ଵର ଜିଡିପି ହ୍ରାସ ପାଇଛି। ଚୀନକୁ ସର୍ବାଧିକ ହେବି ମସିନାରୀ ଯୋଗାଉଥିବା ଜର୍ମାନୀ ମଧ୍ୟ ଏହାଦ୍ଵାରା ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି।
ସୁଯୋଗକୁ ପ୍ରୋତ୍ସାହନ ଚୀନରେ ଏପରି ସଂକ୍ରମଣ ଭାରତର ଅର୍ଥନୀତିକୁ ସାମାନ୍ୟ ସୁଯୋଗ ଦେଇଛି। ଦୀର୍ଘ ଦିନ ହେଲା ମାନ୍ଦାବସ୍ଥାରେ ଗତି କରୁଥିବା ଭାରତୀୟ ବଜାର ଉପରେ ଏବେ କିଛି ଭଲ ପ୍ରଭାବ ପକାଉଛି। ଯେମିତିକି ଅନ୍ତର୍ଜାତୀୟ ସପ୍ଲାଇଚେନ୍ର ଆବଶ୍ୟକକୁ ପୂରଣ କରିବା ଲାଗି ବିଦେଶୀ କମ୍ପାନୀମାନେ ଭାରତର ନିର୍ମାଣ ଶିଳ୍ପ ଉପରେ ନିର୍ଭର କରୁଛନ୍ତି। ଭାରତ ମଧ୍ୟ ଏ ଦିଗରେ ଅନେକ ସମ୍ଭାବନା ରଖିଛି। ସେରାମିକ, ହୋମ୍ ଆପ୍ଲିଆନ୍ସ, ଫ୍ୟାଶନ, ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ, ପୋଷାକ, ବସ୍ତ୍ର, ଛୋଟ ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଆସବାବ କ୍ଷେତ୍ରରେ ଭାରତର ଅନେକ କ୍ଷମତା ରହିଛି। ଏ ଭିତରେ ପଶ୍ଚିମୀ ଦେଶମାନେ ଭାରତୀୟ ବଜାର ସହ ଯୋଗାଯୋଗ ସ୍ଥାପନ କରିଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ମୁଖା ପାଇଁ ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି।
ମାସ୍କ ବା ମୁଖା ପାଇଁ ଅନେକ ଚାହିଦା ଆସୁଛି। କିନ୍ତୁ ଭାରତ ଆଶଙ୍କା କରୁଛି ଯେ, ଯଦି ଏହିପରି ମାସ୍କ ରପ୍ତାନୀ ହେବ ତେବେ ତାହା ଭାରତର ଭବିଷ୍ୟତ ଆବଶ୍ୟକତାକୁ ହୁଏତ ବିପଦରେ ପକାଇବ। ଏଣୁ ମାସ୍କ ରପ୍ତାନୀ ଉପରେ କଟକଣା ଜାରି କରାଯାଇଛି। ଅବଶ୍ୟ ଏହା ସତ୍ୟ ଯେ, ଆନ୍ତର୍ଜାତୀୟ ସ୍ତରରେ ଆବଶ୍ୟକତାକୁ ଭାରତ ପୂରଣ କରିବାକୁ ସକ୍ଷମ ହୋଇପାରୁ ନାହିଁ। ଏଣୁ ଏବେ ଏମତି ଏକ ସମୟ ସୃଷ୍ଟି ହୋଇଛି ଯାହାକୁ ଆଗରେ ରଖି ଭାରତ ନିଜକୁ ଚୀନ ଭଳି ବିଶ୍ଵର ଏକ ନିର୍ମାଣ ହବ୍ ଭାବେ ପ୍ରସ୍ତୁତ ହେବକୁ ପଡ଼ିବ। ଏଥିଲା ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ହେବ।
ବିଶ୍ଵ ଅର୍ଥନୀତିରେ ଚୀନର ଯୋଗଦାନ ଯଥେଷ୍ଟ। ଆଜି ଚୀନ ବିଶ୍ଵରୁ ୧୦.୪ ପ୍ରତିଶତ ସାମଗ୍ରୀ ଆମଦାନୀ କରୁଛି। ୨୦୦୨ ମସିହାରେ ଏହା ମାତ୍ର ୪ ପ୍ରତିଶତ ଥିଲା। ଏଣୁ ୨୦୦୩ ମସିହାରେ ଯେତେବଳେ ସାର୍ସ ଭୂତାଣୁ ଜଚୀନରେ ସଂକ୍ରମଣ କରିଥିଲା ତାହା ସେତିକି କ୍ଷତି କରି ନଥିଲା ଯାହା ଏବେ ବିଶ୍ଵ ଅର୍ଥନୀତି ଭୋଗୁଛି। ପୁଣି ବିଶ୍ଵର ସମୁଦାୟ ଜିଡିପିରେ ଚୀନର ଅବଦାନ ହେଉଛି ୧୫ ପ୍ରତିଶତ। ଏଥିରେ କୌଣସି ବି ହ୍ରାସ ବିଶ୍ଵ ଅର୍ଥନୀତିକୁ ପ୍ରଭାବିତ କରିବ। ଭାରତ ପରିପ୍ରେକ୍ଷୀରେ ଦେଖିଲେ ଚୀନରେ କରୋନାର ପ୍ରଭାବ ଭାରତୀୟ ଶିଳ୍ପ ଜଗତକୁ ମଧ୍ୟ ପ୍ରଭାବିତ କରୁଛି। ୨୦୧୮-୧୯ ଆଥିକ ବର୍ଷରେ ଭାରତର ଆମଦାନୀକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଭାରତ ସମୁଦାୟ ଆମଦାନୀର ୧୪ ପ୍ରତିଶତ ଚୀନରୁ ଆଣିଥାଏ । କିନ୍ତୁ ସମୁଦାୟ ରପ୍ତାନୀରେ ଚୀନକୁ ରପ୍ତାନୀର ଅଂଶ ହେଉଛି ୫ ପ୍ରତିଶତ। ଯଦି କରୋନା ସମସ୍ୟା ଏମିତି ରହେ ତେବେ ଉଭୟ ରପ୍ତାନୀ ଓ ଆମଦାନୀ ହ୍ରାସ ପାଇବ। ଚୀନରେ ବିଭିନ୍ନ ଯନ୍ତ୍ରାଂଶ ପ୍ରସ୍ତୁତିରେ ହ୍ରାସ ଘଟିବା ଦ୍ଵାରା ତାହାର ପ୍ରଭାବ ଭାରତୀୟ ବଜାରରେ ପଡ଼ିଛି । ଏହାଦ୍ଵାରା ମୂଲ୍ୟବଢ଼ିଛି। ଆଗକୁ ପରିସ୍ଥିତି ଜାରି ରହିଲେ ଭାରତରେ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ସହ ଚାକିରିରୁ ଛଟେଇ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ଯେଉଁ ସମୟରେ ସାରା ବିଶ୍ଵର ଅର୍ଥନୀତି ପରସ୍ପର ଉପରେ ନିର୍ଭରଶୀଳ, ସେତବେଳେ କରୋନା ଭୂତାଣୁର ମୁକାବିଲା ପାଇଁ ସବୁ ଦେଶ ଏକାଠି ହୋଇ ମୁକାବିଲା କରିବା ପାଇଁ ଆଗଭର ହେବା ଆବଶ୍ୟକ।
ଭାରତ ପାଇଁ କଠୋର ପରିସ୍ଥିତି ଭାରତ ମୁଖ୍ୟତଃ ଇଲେକ୍ଟ୍ରାନିକ୍ସ, ଇଞ୍ଜିନିୟରିଂ ଏବଂ ରସାୟନିକ ସାମଗ୍ରୀ ଚୀନରୁ ଆମଦାନୀ କରିଥାଏ। ଚୀନର ବ୍ୟାଟେରି ଏବଂ ଅନ୍ୟ ଅଟୋମୋବାଇଲ୍ ପାର୍ଟସ୍ ଉପରେ ଭାରତ ଯଥେଷ୍ଟ ନିର୍ଭରଶୀଳ। ପ୍ରତିବର୍ଷ ଭାରତରେ ମୋଟରଯାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚୀନ ୧୦ରୁ ୩୦ ପ୍ରତିଶତ ଯନ୍ତ୍ରାଂଶ ଆମଦାନୀ କରିଥାଏ। କିନ୍ତୁ କରୋନା ଆତଙ୍କରେ ଚୀନରେ ଥିବା ୬୦ ପ୍ରତିଶତ ଅଟୋମୋଟିଭ୍ ସାମଗ୍ରୀ ଉତ୍ପାଦନକାରୀ ନିଜର ଉତ୍ପାଦନ ବନ୍ଦ ରଖିଛନ୍ତି। ଏହାଦ୍ଵାରା ମହିନ୍ଦ୍ରା ଓ ମହିନ୍ଦ୍ରା ଏବଂ ମାରୁତି ଅଟୋମୋବାଇଲ୍ ନିର୍ମାତା ଯଥେଷ୍ଟ ପ୍ରଭାବିତ ହେବେ। ଆଶଙ୍କା କରାଯାଉଛି ଯେ, ଏହି କେରୋନା ପ୍ରଭାବ ଦ୍ଵାରା ଅଟୋମୋବାଇଲ୍ ଶିଳ୍ପ ୮ ପ୍ରତିଶତରୁ ଅଧିକ ପ୍ରଭାବିତ ହେବ। ଯଦି ଆସନ୍ତା ଆସନ୍ତା ୩ରୁ ୪ ମାସ ଭିତରେ କରୋନା ଆତଙ୍କ ପ୍ରଶମିତ ନହୁଏ ତେବେ ଭାରତୀୟ କମ୍ପାନୀମାନେ ଏହି କଠୋର ସମୟରୁ ମୁକୁଳିବା ଅସମ୍ଭବ ହେବ।
ଅବଶ୍ୟ ଏହା ଠିକ୍ ଯେ, ସାମୟିକ ଆବଶ୍ୟକତାକୁ ମେଣ୍ଟାଇବା ଲାଗି ଭାରତୀୟ କାରଖାନାଗୁଡ଼ିକ କିଛି ସାମଗ୍ରୀ ମହଜୁଦ ରଖିଛନ୍ତି । କିନ୍ତୁ ଏହା ଭବିଷ୍ୟତର କଠୋର ସମୟକୁ ମୁକାବିଲା କରିବାରେ ସକ୍ଷମ ହେବ ନାହିଁ। ଆମଦାନୀ କ୍ଷେତ୍ରରେ ଏହିଭଳି ପ୍ରଭାବ ୨୦୨୧-୨୨ ଆର୍ଥିକ ବର୍ଷରେ ଯଥେଷ୍ଟ ପ୍ରଭାବ ପକାଇବା ଆଶଙ୍କା ରହିଛି। ଯଦି ୬ ମାସ ଭିତରେ କରୋନା ଭୟରୁ ବିଶ୍ଵ ମୁକ୍ତ ନହେବ ତେବେ ଭାରତର ବିକାଶ ଧାରା ତଥା ଜିଡିପି ହ୍ରାସ ପାଇବା ଆଶଙ୍କା ରହିଛି । ଅର୍ଥାତ୍ ଆମେ ଯେଉଁ ୬,୫ ପ୍ରତିଶତ ହାରରେ ବିକାଶିତ ହେବାର ଲକ୍ଷ୍ୟ ରଖିଛୁ ତାହା ଅପୂରଣ ହୋଇ ରହିବ । କେବଳ ଅଟୋମୋବାଇଲ୍ ବା ଇଞ୍ଜିନିୟରିଂ ସାମଗ୍ରୀ ନୁହେ, ହୀରା, ଚମଡ଼ା ସାମଗ୍ରୀ ଏବଂ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ପ୍ରଭାବିତ ହେବ।
ଚପଲ ତିଆରି ପାଇଁ ଦରକାର ହେଉଥିବା ସୋଲ୍ ଚୀନରୁ ଆମଦାନୀ ହୋଇଥାଏ। ସେହିପରି ଚୀନରୁ ସୌର ପ୍ୟାନେଲ୍ ଯଦି ଆମଦାନୀ ହୋଇ ନପରିବ ତେବେ ଭାରତର ସୌର ଶକ୍ତି କ୍ଷେତ୍ର ପ୍ରଭାବିତ ହେବ। ଏୟାର କଣ୍ଡିସନର, ୱାଶିଂମସିନ୍, ଟିଭି, ସ୍ମାର୍ଟଫୋନ୍ ପ୍ରଭୃତି କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ। କଞ୍ଚାମାଲ୍ ମିଳିବାରେ ସଙ୍କଟ ସୃଷ୍ଟି ହେଲେ ଏହିସବୁ ସାମଗ୍ରୀର ମୂଲ୍ୟ ବଢ଼ିବ ।
ଫାର୍ମାସ୍ୟୁଟିକାଲ୍ ସାମଗ୍ରୀରେ ମଧ୍ୟ ଅନେକ କଞ୍ଚାମାଲ୍ ଏବଂ ଏପିଆଇ ଚୀନରୁ ଭାରତ ଆମଦାନୀ କରିଥାଏ। କରୋନା ଆତଙ୍କ ହେତୁ ତାହା ପ୍ରଭାବିତ ହୋଇଛି। ଯଦି ଅଳ୍ପ କିଛିଦିନରେ ଏହି ସଙ୍କଟରୁ ମୁକ୍ତ ନହୁଏ ତବେ ଭାରତର ଔଷଧ ପ୍ରସ୍ତୁତି ଶିଳ୍ପ ପ୍ରଭାବିତ ହେବ। ଫଳରେ ଔଷଧ ମୂଲ୍ୟ ବୃଦ୍ଧି ପାଇବ। ଗଲା ଦଶ ଦିନ ଭିତରେ ପାରାସିଟାମୋଲ୍ର ଦାମ୍ ପ୍ରାୟ ଦ୍ଵିଗୁଣିତ ହୋଇଛି। ଏଣୁ ଭାରତ ଏହି କରୋନା ଭୂତାଣୁ ସଂକ୍ରମଣ ତଥା ତତ୍ପର ପରିସ୍ଥିତିକୁ ଏକ ସତର୍କ ଘଣ୍ଟି ଭାବେ ବିବେଚନା କରିବା ଆବଶ୍ୟକ। ଏହିପରି ପରିସ୍ଥିତିକୁ ମୁକାବିଲା କରିବା ଲାଗି ଆବଶ୍ୟକ ବିଶାଳ ଭିତ୍ତିଭୂମି ସୃଷ୍ଟି ଜରୁରୀ। ନିଜ ମାଟିରେ ମେଡିକାଲ୍ ଯନ୍ତ୍ରାଂଶ, ଏପିଆ, ଔଷଧ କଞ୍ଚାମାଲ୍ କେମିତି ପସ୍ତୁତ ହେବ ସେଥିନେଇ ବ୍ୟବସ୍ଥା ଆପଣାଇବା ଆବଶ୍ୟକ ରହିଛି।