ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ, କୋରୋନା ଦ୍ବାରା 42 ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ 13 ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ମୁଖ୍ୟ କାର୍ଯ୍ୟାଳୟରେ କୋରୋନା ବିସ୍ତାର ହେବାକୁ ଲାଗିଲାଣି । ଗୃହ ମନ୍ତ୍ରଣାଳୟ ଏହାକୁ ନେଇ ଚିନ୍ତିତ ଥିବା ବେଳେ ସ୍ବାସ୍ଥ୍ୟ ସହ ଜଡିତ ଏସଓପି ଅନୁସରଣ କରାଯିବା ଉଚିତ ବୋଲି କହିଛନ୍ତି ।
ସୋମବାର ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ମୁଖ୍ୟାଳୟରେ ସିଜିଓ କମ୍ପ୍ଲେକ୍ସରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ କୋରୋନା ପଜିଟିଭ ଆସିଛି । ପୂର୍ବରୁ ଡ୍ରାଇଭର କୋରୋନା ସଂକ୍ରମିତ ହୋଇଥିଲା । ଏପର୍ଯ୍ୟନ୍ତ 144 ସିଆରପିଏଫ ଯବାନଙ୍କୁ କୋରୋନା ଆକ୍ରାନ୍ତ କରିଥିବା ନିଶ୍ଚିତ ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଯବାନ 31 ବାଟାଲିୟନର ଅଟନ୍ତି ।
ଏହା ବ୍ୟତୀତ ସିଜିଓ କମ୍ପ୍ଲେକ୍ସରେ ଥିବା ବିଏସଏଫ ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା ହେଡ କନଷ୍ଟେବଳ କୋରୋନା ପଜିଟିଭ ବୋଲି ଜଣାପଡିଛି । ବିଏସଏଫ କନଷ୍ଟେବଳଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତ ଯବାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ବିଏସଏଫରେ ଏପର୍ଯ୍ୟନ୍ତ 55ଟି କୋରୋନା ମାମଲା ରୁଜୁ ହୋଇଛି ।
ଏଥିସହିତ ଇଣ୍ଡୋ-ତିବ୍ବତୀୟ ବର୍ଡର ଫୋର୍ସ (ଆଇଟିବିପି) ର ଜଣେ ହେଡ କନଷ୍ଟେବଳଙ୍କ କୋରୋନାରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ଆଇଟିବିପିରେ 21 କୋରୋନା ପଜିଟିଭ ରିପୋର୍ଟ ଆସିଛି ।
ସିଜିଓ କମ୍ପ୍ଲେକ୍ସରେ ଥିବା ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଏବଂ ବିଏସଏଫ ମୁଖ୍ୟାଳୟକୁ ସାନିଟାଇଜ କରାଯାଉଛି । ପୋଲିସ ଏବଂ ପାରାମିଲିଟାରୀ ଫୋର୍ସରେ କୋରୋନା ମାମଲା ବୃଦ୍ଧି ପାଇବା ସହିତ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏସଓପିକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ଯବାନମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବ୍ୟାପିବ ନାହିଁ । ଏହି ସମୟରେ, ଅନେକ ସ୍ଥାନରୁ ପୋଲିସ ଏବଂ ସିଏପିଏଫ କର୍ମଚାରୀଙ୍କ କୋଭିଡ-19 ସଂକ୍ରମିତ ହୋଇଥିବା ଖବର ରହିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସୁରକ୍ଷା ବ୍ୟାକଅପ ପ୍ରସ୍ତୁତ କରିବାକୁ କହିଛି ।