ବେଙ୍ଗାଲୁରୁ: କୋରୋନା ଚିନ୍ତାରେ ଚାଷୀ । ଭାରତକୁ କୋରୋନା ଭାଇରସର ପ୍ରବେଶ ଦ୍ବାରା କ୍ଷତି ସହୁଛନ୍ତି ବ୍ୟବସାୟୀ ସାଙ୍ଗକୁ ଚାଷୀକୂଳ । କୋରୋନା ଡରରେ ଗ୍ରାହକ କିଣୁନାହାଁନ୍ତି ପନିପରିବା ଓ ଆମିଷ । ମଙ୍ଗଳବାର କର୍ଣ୍ଣାଟକରେ କୋରୋନା ଭୟରେ ଜଣେ କୁକୁଡା ଚାଷୀ ତାର 6 ହଜାର ଜିଅନ୍ତା କୁକୁଡାକୁ ପୋତି ଦେଇଥିବା ଖବର ଆସିବା ପରେ ଆଜି ଆଉ ଏକ ଅଜବ ଖବର ସାମ୍ନାକୁ ଆସିଛି । ବଜାରରେ କୋବିର ମୂଲ୍ୟ ଅନେକ କମିଯାଇଥିବାରୁ ଜଣେ ଚାଷୀ କ୍ରୋଧରେ ନିଜର ସମସ୍ତ କୋବି ଫସଲ ନଷ୍ଟ କରିଛି । ଏ ଦୃଶ୍ୟ ହେଉଛି କର୍ଣ୍ଣାଟକର ହୁବୋଲୀର ।
ହୁବୋଲୀର ବାସାରେଦ୍ଦି ଅଲଦାକାଟି ନାମକ ଜଣେ ଚାଷୀ ନିଜର ଅଧ ଏକର ଜମିରେ ପତ୍ରକୋବି ଫସଲ କରିଥିଲା । ସେ ପୁଣି ବ୍ୟାଙ୍କରୁ ଲୋନ ଆଣି ଚାଷ ଆରମ୍ଭ କରିଥିଲା । ଫସଲ ସୁନ୍ଦର ହେଲା ହେଲେ ବଜାରରେ ସଠିକ ମୂଲ୍ୟରେ ବିକ୍ରି ହୋଇ ପାରିଲାନାହିଁ କୋବି । କୋବି ଚାଷ ଆରମ୍ଭ କରିବା ବେଳେ କୋବି କ୍ବିଣ୍ଟାଲ ପିଛା ମୂଲ୍ୟ 2-3 ହଜାର ଥିଲା, କିନ୍ତୁ ବର୍ତ୍ତମାନ କୋରୋନା ପ୍ରଭାବରୁ ଏହାର ମୂଲ୍ୟ କ୍ବିଣ୍ଟାଲ ପ୍ରତି 1000 ଟଙ୍କାକୁ ଖସି ଆସିଛି |
ଯେଉଁଥିପାଇଁ ବାସାରେଦ୍ଦିଙ୍କୁ ବହୁତ କ୍ଷତି ସହିବାକୁ ପଡିଲା । ବଜାରରେ ପନିପରିବାର ମୂଲ୍ୟ ହ୍ରାସ ପାଇବାରୁ ବାସାରେଦ୍ଦି ଅସନ୍ତୋଷ ପ୍ରକାଶ କରି ଟ୍ରାକ୍ଟର ସାହାଯ୍ୟରେ ନିଜ କ୍ଷେତରେ ଥିବା ସମସ୍ତ କୋବି ଫସଲକୁ ନଷ୍ଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ