ଭାରତୀୟ ଗଣତନ୍ତ୍ରକୁ ସତୁରୀ ବର୍ଷ ପୂରିଛି। ମହିଳା ଓ ଶିଶୁଙ୍କ ବିକାଶ ଲାଗି ଆମେ ଏ ବର୍ଷଗୁଡ଼ିକ ଭିତରେ କ’ଣ କରିଛୁ ? କେତେ ବିକାଶ ଏ କ୍ଷେତ୍ରରେ ହୋଇଛି ? ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏସବୁ ବାବଦରେ ଆଲୋଚନା କରିବା ଲାଗି ଆଜି ଏକ ସୁଯୋଗ ମିଳିଛି, ଯେଉଁ ମୌଳିକ ଅଧିକାର ଆମକୁ ଆମ ସମ୍ବିଧାନ ପ୍ରଦାନ କରିଛି ସେଥିରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ସମାନତାର ଅଧିକାର। ଅର୍ଥାତ୍ ଆଇନ ଆଖିରେ ସମସ୍ତେ ସମାନ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ ଭିତ୍ତିରେ ଯେମିତି ଆମ ଦେଶର କୌଣସି ନାଗରିକ ଶୋଷଣର ଶିକାର ନ ହୁଅନ୍ତି ତାହାକୁ ନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ଵ। ଧାରା ୧୫(୩)ରେ ସ୍ପଷ୍ଟ କରାଯାଇଛି ଯେ, ‘ ଏ ଧାରାରେ କୌଣସି ବି ଅଂଶ ରାଷ୍ଟ୍ରକୁ ଏହାର ମହିଳା ଓ ଶିଶୁଙ୍କ ବିକାଶ ଲାଗି ଆବଶ୍ୟକ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ବାରଣ କରିବ ନାହିଁ’। ଅର୍ଥାତ୍ ଆମର ସମ୍ବିଧାନ ପ୍ରଣେତାମାନେ ମହିଳା ଓ ଶିଶୁଙ୍କ ଉନ୍ନତିକୁ ରାଷ୍ଟ୍ରର ଅନ୍ୟତମ ପ୍ରମୁଖ କର୍ତ୍ତବ୍ୟ ଭାବେ ଗ୍ରହଣ କରିଛନ୍ତି। ପ୍ରଶ୍ନ ଉଠୁଛି ସେମାନେ ମହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ତଥା ଶିଶୁଙ୍କ ସୁରକ୍ଷା ଲାଗି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଯେଉଁ ସ୍ଵପ୍ନ ଦେଖିଥିଲେ। ଆମେ ସେ ସ୍ଵପ୍ନକୁ ଆଗକୁ ବଢ଼ାଇପାରିଛୁ କି?
ସମ୍ବିଧାନ ପ୍ରଣୟନ ହେବାର କିଛି ବର୍ଷ ଯାଏ ଏ ସ୍ଵପ୍ନର ଅଗ୍ରଗତିରେ ଅନେକ ବାଧାବିଘ୍ନ ଉପୁଜିଥିଲା। ଆଖି ଦୃଶିଆ ଭାବେ ମହିଳାମାନେ ମୁଖ୍ୟସ୍ରୋତକୁ ଆସିବା ପ୍ରାୟତଃ ଦିଶୁ ନଥିଲା। କିନ୍ତୁ ୧୯୫୦ ଦଶକରେ ହିନ୍ଦୁ କୋଡ୍ ପାରିତ ହେବା ଦ୍ଵାରା ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପ୍ରକ୍ରିୟା ଉତ୍ସାହିତ ହେଲା। ଏହି ଆଇନ୍ ଦ୍ଵାରା ଏପରି ପରିଲକ୍ଷିତ ହେଲା ଯେ, ଯେମିତି ସେମାନଙ୍କୁ କଥା କହିବା ଲାଗି ଏକ ନୂଆ ଝରକା ମିଳିଯାଇଛି। ଏହା ପରବର୍ତ୍ତୀ ସମୟରେ ରାଷ୍ଟ୍ର ନିର୍ମାତାମାନେ ମହିଳାମାନଙ୍କୁ ଆଗକୁ ଆଣିବା ତଥା ଦେଶ ଗଠନରେ ସାମିଲ୍ କରିବା ଏବଂ ଆଇନ ଆଖିରେ ସେମାନଙ୍କୁ ସମାନତାର ଅଧିକାର ଦେବା ଉଦ୍ଦେଶ୍ୟରେ ବିଭିନ୍ନ ନିୟମକୁ ସଂସଦରେ ଅନୁମୋଦନ କରାଇ ତାହାକୁ ଅନୁପାଳନ କରିଛନ୍ତି। ୧୯୬୧ ମସିହାରେ ପାରିତ ହୋଇଥିବା ମାତୃତ୍ଵ ଲାଭ ଆଇନ ଏବଂ ଯୌତୁକ ନିରୋଧ ଆଇନ ଏଥିରେ ଅନ୍ୟତମ। କିନ୍ତୁ ଖାଲି ଆଇନ ପ୍ରଣୟନ କରିଦେଲେ କ’ଣ ମହିଳାମାନେ ମୁଖ୍ୟସ୍ରୋତକୁ ଆସିପାରିଲେ ? ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ସମାଜରେ କ’ଣ ତାଙ୍କୁ ସମାନ ଭାବେ ଗଣାଯାଉଛି ?
ଏ ପ୍ରସଙ୍ଗକୁ ଆହୁରି ଶାଣିତ କରିବା ଲାଗି ଏକ ଉଦାହରଣ ଦିଆଯାଇପାରେ, ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୪ (ଖ) ଯୌତୁକ ମୃତ୍ୟୁକୁ ଏକ ଜଘନ୍ୟ କାଣ୍ଡ ଭାବେ ଗ୍ରହଣ କରିଛନ୍ତି। ପ୍ରଶ୍ନ ଉଠୁଛି, ଏହା କ’ଣ ଦେଶରେ ଯୌତୁକ ଜନିତ ହତ୍ୟାକୁ ରୋକିପାରିଛି ? ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ଙ୍କ ତଥ୍ୟକୁ ଏ ଦିଗରେ ଅନୁଶୀଳନ କରାଯାଇପାରେ। ଏହି ରିପୋର୍ଟ କହୁଛି ପ୍ରତି ଘଣ୍ଟାରେ ଦେଶର କୌଣସି ନା କୌଣସି କୋଣରେ ଜଣେ ମହିଳା ଯୌତୁକ ଜନିତ ହତ୍ୟାର ଶିକାର ହେଉଛି। ସେହିଭଳି ଆମେ ଲାଗୁ କରିଥିବା ଘରୋଇ ହିଂସା ଆଇନ, କାର୍ଯ୍ୟାଳୟରେ ମହିଳାଙ୍କ ବିରୋଧରେ ଲିଙ୍ଗଭେଦ ଓ ଅତ୍ୟାଚାରକୁ ରୋକିବା ଲାଗି ପ୍ରଣୟନ କରିଥିବା ଆଇନ ସବୁ କାର୍ଯ୍ୟକାରୀ ହୋଇଛି କି? ତଥାପି ଏଭଳି ଆଇନ ଦରକାର ଥିଲା। ଆମେ ଯଦି କହିବା ସମ୍ପୂର୍ଣ୍ଣ ଭାବେ ଏହି ଆଇନ ଦ୍ଵାରା ଅପରାଧ ଦୂର ହୋଇପାରି ନାହିଁ, କିନ୍ତୁ ଏହି ସବୁ ଆଇନ ଦ୍ଵାରା ସମାଜରେ ଏକ ଭୟ ସୃଷ୍ଟି ହୋଇଛି। ମହିଳାମାନେ ଅଧିକ ସଶକ୍ତ ହୋଇଛନ୍ତି। ସେମାନେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କହିବା ଲାଗି ସାହସ ଜୁଟାଇ ପାରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରୁଛନ୍ତି।
ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ରାଷ୍ଟ୍ରର ନୀତି ନିର୍ଦ୍ଧାରକ ତତ୍ତ୍ଵ ବା ଡିରେକ୍ଟିଭ୍ ପ୍ରିନ୍ସିପଲ୍ ଅଫ୍ ଷ୍ଟେଟ୍ ପଲିସି ( ଡିପିଏସ୍ପି), ଦେଶର ସମସ୍ତ ମହିଳା ଓ ପୁରୁଷଙ୍କ ଲାଗି ପର୍ଯ୍ୟାପ୍ତ ଜୀବନଧାରଣର ସୁଯୋଗ ସୃଷ୍ଟି ସହ ସମାନ କାମ ପାଇଁ ସମାନ ବେତନ ବ୍ୟବସ୍ଥା ପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦେଇଛି। ସେହିପରି ଆମ ସମ୍ବିଧାନ ମହିଳା ବର୍ଗର ପ୍ରାର୍ଥୀଙ୍କ ଲାଗି ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ଆସନ ସଂରକ୍ଷିତ କରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ମଧ୍ୟ ସମାନ ବ୍ୟବସ୍ଥାକୁ ଆପଣାଯାଇଛି। ତଥାପି ଆମ ସମାଜରେ ଏକ ପ୍ରଚଳିତ ବିଶ୍ଵାସ ରହି ଆସିଛି ଯେ, ମହିଳାଙ୍କ ପ୍ରକୃତ କାର୍ଯ୍ୟସ୍ଥଳ ହେଉଛି ରୋଷେଇ ଶାଳା। ଏପରିକି କ୍ଷମତାରେ ଥିବା ଅନେକ ବିଶିଷ୍ଟ ବ୍ୟକ୍ତି ଏହା କହିବାକୁ ପଛାଇ ନାହାଁନ୍ତି। ଅନେକ କ୍ଷେତ୍ରରେ ଏମିତି ବି ହୋଇଛି ଯେ, ସାମ୍ବିଧାନିକ ଭାବେ ସଂରକ୍ଷିତ ଆସନରୁ କେହି ଜଣେ ମହିଳା ନିର୍ବାଚିତ ହୋଇଥିଲେ ମଧ୍ୟ ବାସ୍ତବରେ ସେ ତାଙ୍କର ସ୍ବାମୀ କିମ୍ବା ଅନ୍ୟ କୌଣସି ପୁରୁଷ ସଦସ୍ୟଙ୍କ ଦ୍ଵାରା ପରିଚାଳିତ ହୋଇଥାଆନ୍ତି। ଏଣୁ ସାମଗ୍ରିକ ଭାବେ ବିଚାର କଲେ କେବଳ ଆଇନ ପ୍ରଣୟନ କରିଦେଲେ ଯେ ଆମେ ଅଗ୍ରଗତି କରିପାରିବା ତାହା ନୁହେଁ, ଆମକୁ ଆମ ମନସ୍ତାତ୍ତ୍ଵିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ହେବ, ଫଳରେ ଆମେ ସମ୍ବିଧାନ ନିର୍ମାତାଙ୍କ ପ୍ରକୃତ ଉଦ୍ଦେଶ୍ୟକୁ ସାକାର କରିପାରିବା !
ଶିଶୁମାନଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବା ତଥା ସେହି ଉଦ୍ଦେଶ୍ୟରେ ରାଷ୍ଟ୍ରର ସହାୟତା ବଢ଼ାଇବା ଲାଗି ବିଶ୍ଵ ମାନବାଧିକାର ଘୋଷଣାନାମାର ଧାରା ୨୫ ସ୍ପଷ୍ଟ ପରାମର୍ଶ ଭିତ୍ତିକ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟକୁ କାର୍ଯ୍ୟକରିବାକୁ ଯାଇ ଆମ ସମ୍ବିଧାନ ଅନୁସାରେ ୧୪ ବର୍ଷ ବୟସରୁ କମ୍ କୌଣସି ଶିଶୁଙ୍କୁ କାରଖାନା, ଖାଦାନ ବା ଏହିପରି କୌଣସି କଠିନ ସ୍ଥାନରେ କାର୍ଯ୍ୟ କରାଇବାକୁ ବାରଣ କରୁଛି। ଡିପିଏସ୍ପି ମଧ୍ୟ ଆମ ସରକାରଙ୍କୁ ଏଭଳି ଆଇନ ପାଇଁ ପ୍ରେରିତ କରୁଛି ଯେଉଁଥିରେ ଶିଶୁତ୍ଵ ସୁରକ୍ଷିତ ରହିବ। ତାହା ଯେମିତି କୌଣସି ଭାବେ ଶୋଷିତ ବା ନିର୍ଯାତିତ ନହେବ, ସେଥିଲାଗି ଆବଶ୍ୟକ ନିୟମ ପ୍ରଣୟନ କରିବା ଏବଂ ତାହାକୁ ପ୍ରଣୟନ କରିବା ଲାଗି ଡିପିସ୍ପି ରାଷ୍ଟ୍ରକୁ ନିର୍ଦ୍ଦେଶ ଦେଉଛି। ଗୋଟିଏ ଦେଶର ଭବିଷ୍ୟତ ଶିଶୁଙ୍କ ଉପରେ ନ୍ୟସ୍ତ ଥାଏ, ଏହି ନ୍ୟାୟରେ ସେମାନଙ୍କୁ ଶୋଷଣରୁ ମୁକ୍ତ କରିବା ସେମାନଙ୍କ ଶିଶୁତ୍ଵକୁ ସୁରକ୍ଷିତ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରିବା ନିହାତି ଦରକାର। ଏଣୁ ଏଥିରେ କୌଣସି ନୂତନତ୍ଵ ନାହିଁ କିନ୍ତୁ ଆମେ କେତେ ଦୂର ଏହାକୁ ହାସଲ କରିପାରିଛୁ?
ହକ୍ ଜାହିର କରିପାରୁ ନଥିବା ଏହିପରି ଶିଶୁ ବିଶେଷ କରି କନ୍ୟା ସନ୍ତାନଙ୍କ ସପକ୍ଷରେ ଅନେକ ଜାତୀୟ ନୀତି ପ୍ରଣୀତ ହୋଇଛି। ବାଲ୍ୟ ନ୍ୟାୟ ଆଇନ ସେମାନଙ୍କ ଯତ୍ନ ଓ ସୁରକ୍ଷା ଲାଗି ଲାଗୁ ହୋଇଛି। ସେହିଭଳି ୧୪ ବର୍ଷ ଯାଏ ଶିଶୁଙ୍କୁ ମୁକ୍ତ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି। କିନ୍ତୁ ବାସ୍ତବ ଦୃଶ୍ୟ ସତରେ ବଡ଼ ବିଚିତ୍ର। ନୋବେଲ୍ ବିଜେତା କୈଳାସ ସତ୍ୟାର୍ଥୀଙ୍କ ଉଦ୍ୟମରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଶିଶୁ ଶ୍ରମିକ ପ୍ରଥା ଏଯାଏ ଉଜ୍ଜିବୀତ ରହିଛି। ଗଲା କିଛି ମାସ ଭିତରେ ଶତାଧିକ ଖରାପ ସ୍ଵାସ୍ଥ୍ୟସେବା ଯୋଗୁଁ ବହୁ ଶିଶୁଙ୍କ ଜୀବନ ହାରିଲେଣି। ପୁଣି ସେହି ଏନ୍ସିଆର୍ବି ତଥ୍ୟ କରୁଛି ପ୍ରତି ଦିନ ପ୍ରାୟ ୨୫୦ ଶିଶୁ ଭାରତରେ ହଜି ଯାଉଛନ୍ତି। ଅନେକଙ୍କ କ୍ଷେତ୍ରରେ ସେମାନଙ୍କୁ କିଏ ନେଉଛି, କୁଆଡ଼େ ନେଉଛି, କାହିଁକି ନେଉଛି ତାହାର କୌଣସି ସୂଚନା ମିଳୁନାହିଁ। ଗଲା କିଛିଦିନ ତଳେ ଆଉ ଏକ ଖବର ଆମ ସମସ୍ତଙ୍କୁ ହତ୍ବାକ୍ କରିଥିଲା ତାହା ହେଲା, ୩୦ ଜଣ ଝିଅଙ୍କୁ ଗୋଟିଏ ଘରେ ରଖି ଯୌନ ନିର୍ଯାତନା ଦିଆଯିବା କଥା। ଏ କଥା ସାମ୍ନାକୁ ଆସିଲା ଯେତେବେଳେ ଅନେକ ଲୋକଙ୍କୁ ଏହି ଘଟଣାରେ ଅଭିଯୁକ୍ତ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏସବୁ ଘଟଣା ସ୍ପଷ୍ଟ କରୁଛି ଯେ, ସମ୍ବିଧାନ ଅନୁସାରେ ଦେଶର ଶିଶୁମାନେ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି।
ଏନ୍ସିଆର୍ବି ତଥ୍ୟ ଏହା ମଧ୍ୟ ସ୍ପଷ୍ଟ କରୁଛି ଯେ, ବାଲ୍ୟବସ୍ଥାରେ କୌଣସି ଶିଶୁ ଘଟାଉଥିବା ଅପରାଧ ସଂଖ୍ୟା ଦିନକୁ ଦିନ କମି ଚାଲିଛି। କିନ୍ତୁ ୨୦୧୬ ରୁ ୨୦୧୮ ରିପୋର୍ଟକୁ ତୁଳନା କଲେ ବାଲ୍ୟବସ୍ଥାରେ ଶିଶୁଙ୍କ ଉପରେ ନିର୍ଯାତନା ତଥା ଅପରାଧ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏକ ଦିଗକୁ ଅନୁଧ୍ୟାନ କରିବା। ଏ ଭିତରେ ୯ ବର୍ଷ ହେଲା ଆମ ସରକାର ଶିକ୍ଷାଧିକାର ଆଇନକୁ ଲାଗୁ କରିଛନ୍ତି। କିନ୍ତୁ ହୋଇଛି କ’ଣ ? ଏଯାଏ କେଉଁ ସ୍କୁଲ୍ରେ ଶ୍ରେଣୀଗୃହ ନାହିଁ ତ କେଉଁଠାକୁ ଯିବା ଆସିବା ଲାଗି ରାସ୍ତା ନାହିଁ ପୁଣି ଶିକ୍ଷକଙ୍କ ଅଭାବ କଥା କହିଲେ ନସରେ! ଏଭଳି ଭିତ୍ତିଭୂମି ଏବଂ ଯୋଗ୍ୟ ଶିକ୍ଷକଙ୍କ ଅଭାବ ଶିଶୁଙ୍କୁ ଶିକ୍ଷାଧିକାରରୁ ବଞ୍ଚିତ କରୁଛି।
ଏଣୁ ଏକ ପ୍ରଗତିଶୀଳ ରାଷ୍ଟ୍ର ତଥା ବିଶ୍ଵର ସର୍ବ ବୃହତ୍ ଏବଂ ଜୀବନ୍ତ ଗଣତନ୍ତ୍ର ଭାବେ ଆମକୁ ଏହା ଖୋଜିବାକୁ ହେବ ଯେ, ପ୍ରକୃତରେ ଆମେ ଏ ୭୦ ବର୍ଷ ଭିତରେ କ’ଣ ହାସଲ କରିଛୁ ? କାହିଁକି ଆମର ସଫଳତା ଅପେକ୍ଷା ବିଫଳତାର କାହାଣୀ ଅଧିକ ଦୃଶ୍ୟମାନ ହେଉଛି ? ପୁଣି ଆମ ଲକ୍ଷ୍ୟ ପଥର ପ୍ରତିବନ୍ଧକକୁ ଏଡ଼ାଇବା ଲାଗି କ’ଣ ସବୁ ପଦକ୍ଷେପ ଆବଶ୍ୟକ ସେଗୁଡ଼ିକୁ ଜାଣିବା ଆବଶ୍ୟକ। କିନ୍ତୁ ସର୍ବ ପ୍ରଥମେ ଆମେ ଏହା ଗ୍ରହଣ କରିବା ଜରୁରୀ ଯେ ସମାଜ ବଦଳୁଛି। ପୂର୍ବରୁ ମହିଳାମାନେ ଭାବୁଥିଲେ ଯେ ସେମାନଙ୍କ ପାଇଁ ସମ୍ବିଧାନରେ କିଛି ଅଧିକାର ଦିଆଯାଇଛି। କିନ୍ତୁ ଏବେ ସେମାନେ ଏହି ଅଧିକାରକୁ ଦାବି କରୁଛନ୍ତି। ସମ୍ବିଧାନ ମଧ୍ୟ ତାଙ୍କୁ ଆବଶ୍ୟକ ସ୍ଥଳେ ସମାନତା ଅଧିକାର ସହ ମର୍ଯ୍ୟାଦା ଦାବି କରିବାକୁ ସୁଯୋଗ ଦେଉଛି। ଏବେ ଏମିତି ଏକ ପରିସ୍ଥିତି ଆସିଛି ଯେଉଁଠାରେ ଆମ ଭିତରୁ କେହି ଏପରିକି ନେତାମାନେ ମଧ୍ୟ ଏହି ଅଧିକାରକୁ ଆଉ ଚପେଇ ପାରିବେ ନାହିଁ।
ସେହିପରି ଆମ ଦେଶର ଭବିଷ୍ୟତ ତଥା ଜନସଂଖ୍ୟାର ୩୭ ଭାଗ ଶିଶୁ ଏକ ବିଶାଳ ଅଙ୍ଗ ହୋଇଥିଲେ ମଧ୍ୟ ଆମେ ଗଲା ୭୦ ବର୍ଷ ହେଲା ସେମାନଙ୍କ ଅଧିକାରକୁ ନଗଣ୍ୟ ବୋଲି ବିଚାର କରି ଆସୁଥିଲୁ। ଆମେ ସେମାନଙ୍କ ଅଧିକାରକୁ ଚିହ୍ନିବା। ଏହି କ୍ରମରେ ମହିଳା ଓ ଶିଶୁମାନଙ୍କ ଅଧିକାର ସାବ୍ୟସ୍ତ ଲାଗି ଆମକୁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରିବାକୁ ହେବ। ଏହା କେବଳ ଏକ ଲକ୍ଷ୍ୟସିଦ୍ଧ ଏବଂ ନିରପେକ୍ଷ ଅନୁଶୀଳନ।
ଏହି ଗଣତାନ୍ତ୍ରିକ ଯାତ୍ରାରେ ଆଗକୁ ବଢ଼ିବା ତଥା ଆମ ଦେଶର ମହିଳା ଓ ଶିଶୁମାନଙ୍କୁ ସେମାନଙ୍କ ଅଧିକାର ଏବଂ ମର୍ଯ୍ୟାଦା ରକ୍ଷା ଲାଗି ଆଗକୁ ପ୍ରେରିତ କରିବା ପାଇଁ ଆମେ କେଉଁ ରାସ୍ତା ଆପଣାଇବା ? ଏହାର ଉତ୍ତର ହେଉଛି ସତତ ବିକାଶ ଲକ୍ଷ୍ୟ । ୧୯୩ ରାଷ୍ଟ୍ରର ନାୟକ ଏହି ସତତ ବିକାଶ ଲକ୍ଷ୍ୟକୁ ଲାଗୁ କରିବା ଲାଗି ଶପଥ ନେଇଛନ୍ତି। ଆମକୁ ଗଣତାନ୍ତ୍ରିକ ଉପାୟରେ ଏହି ଲକ୍ଷ୍ୟ ହାସଲ ଲାଗି ବ୍ରତ ଧାର ହେବାକୁ ହେବ। ଏହା ହିଁ ଆମକୁ ପରବର୍ତ୍ତି ମାର୍ଗ ଦେଖାଇବ। ହଁ ଖାଲି ଏ ବିଷୟରେ ଚିନ୍ତା କରି ଶୋଇ ପଡ଼ିଲେ ହେବ ନାହିଁ, ଆମକୁ ଏଥିଲାଗି ଅନେକ ବାଟ ଚାଲିବାକୁ ହେବ।
ଅବସରପ୍ରାପ୍ତ ଜଷ୍ଟିସ୍ ମଦନ ବି. ଲାକୁର