ଭୋପାଳ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ରେକର୍ଡ ବୃଦ୍ଧି ପରେ ରାଜନୀତି ତୀବ୍ର ହେବାରେ ଲାଗିଛି । ତୈଳ ମୂଲ୍ୟରେ ବୃଦ୍ଧିକୁ ବିରୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭୋପାଳରେ ସାଇକେଲ ରାଲି କରିଛନ୍ତି । କୋରୋନା ମହାମାରୀ ସମୟରେ କଂଗ୍ରେସର ଏହି ବିଶାଳ ରାଲିରେ ଶତାଧିକ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ। ତୈଳ ଦର ବୃଦ୍ଧି ଉପରେ ମୋଦି ଏବଂ ଶିବରାଜ ସରକାରଙ୍କୁ ଟାର୍ଗେଟ କରି ରୋଶନପୁରାରୁ ସାଇକେଲ ମାର୍ଚ୍ଚ ଆରମ୍ଭ କରିଥିଲେ ଦିଗ୍ ବିଜୟ ସିଂ ।
ଦେଶର ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ହୋଇଛି। ଡିଜେଲ ଦର ବୃଦ୍ଧି ସହିତ ସାଧାରଣ ଜନତାଙ୍କ ସହ ଜଡିତ ସବୁକିଛି ମହଙ୍ଗା ହେବ ବୋଲି ଦିଗ୍ ବିଜୟ ସିଂ କହିଛନ୍ତି । ଲୋକମାନେ ପୂର୍ବରୁ କୋରୋନା ମହାମାରୀ ପାଇଁ ଚିନ୍ତାରେ, ଏପରିକି ଭୋକରେ ମଧ୍ୟ ମରିଛନ୍ତି ଏବଂ ଅନ୍ୟପଟେ ତେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମୋଦି ସରକାର କୋରୋନା ବିପର୍ଯ୍ୟୟକୁ ଟଙ୍କା ରୋଜଗାରର ସୁଯୋଗରେ ପରିଣତ କରିଛନ୍ତି। ତେବେ ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ତୈଳ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କ ବିପକ୍ଷରେ ବିରୋଧ ପ୍ରଦର୍ଶନ କରିବାକୁ ଦିଗ୍ ବିଜୟ ସିଂ ଅନୁରୋଧ କରିଛନ୍ତି ।