ନୂଆଦିଲ୍ଲୀ: ନୂତନ ବର୍ଷରେ 9ଏ କୋଟଲା ରୋଡରେ ହେବ କଂଗ୍ରେସର ନୂତନ ଠିକଣା । ବର୍ତ୍ତମାନ କଂଗ୍ରେସର ନୂତନ କାର୍ଯ୍ୟାଳୟ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଅଛି । କିନ୍ତୁ ଦଳ ନିଜର ନୂତନ ଭବନର ମୁଖ୍ୟ ପ୍ରବେଶ ଦ୍ବାର କୋଟଲା ରୋଡ ପଟେ ରଖିଛି ।
ଡିସେମ୍ବର 28 ରେ କଂଗ୍ରେସ ନିଜର ପ୍ରତିଷ୍ଠା ଦିବସ ଅବସରରେ ନୂତନ ଭବନରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରଖିଛି । ନଗର ବିକାଶ ମନ୍ତ୍ରଣାଳୟ ପକ୍ଷରୁ କଂଗ୍ରେସକୁ ଅକ୍ଟୋବର ସୁଦ୍ଧା 24 ଅକବର ରୋଡ ଛାଡିବାକୁ ସମୟସୀମା ଦିଆଯାଇଥିଲା । କଂଗ୍ରେସ କିନ୍ତୁ ନିଜର ମୁଖ୍ୟାଳୟ ଖାଲି କରିବା ପାଇଁ ଅଧିକ ସମୟ ମାଗିଥିଲା ବୃଦ୍ଧି କରିବା ପାଇଁ ମାଗିଛି ।
ସେପଟେ ବିଜେପି ଭଳି କଂଗ୍ରେସକୁ ମଧ୍ୟ ନୂତନ ମୁଖ୍ୟାଳୟର ନିର୍ମାଣ କରିବା ପାଇଁ ଲୁଟିୟନ ଦିଲ୍ଲୀରୁ ବାହାର ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଏକ ଫ୍ଲାଟ ଦିଆଯାଇଥିଲା । ବିଜେପି ଅଶୋକ ରୋଡରୁ ବାହାରି ନିଜର ମୁଖ୍ୟାଳୟରେ ପହଞ୍ଚିଗଲାଣି । କିନ୍ତୁ କଂଗ୍ରେସ 24 ଅକବର ରୋଡ ଛାଡିବା ପାଇଁ ଆହୁରି କିଛି ଦିନ ସମୟ ମାଗିଥିଲା । କଂଗ୍ରସକୁ 2018 ସୁଦ୍ଧା ନୂତନ ଭବନରେ ପ୍ରବେଶ କରିବାର ଥିଲା ।
ଦୀର୍ଘ 43 ବର୍ଷ ଧରି କଂଗ୍ରେସର ପରିଚୟ 24 ଅକବର ରୋଡ ସହ ଯୋଡିତ । ଏବେ କିନ୍ତୁ ତାହା ବଦଳି ଯିବ । କଂଗ୍ରେସର ନୂତନ ମୁଖ୍ୟାଳୟର ନାଁ ଇନ୍ଦିରା ଗାନ୍ଧୀ ଭବନ ହେବ । ନୂଆ ଭବନର ନିର୍ମାଣ ଚାଲିଛି । 6 ମହଲା ବିଶିଷ୍ଠ ଏହି ଭବନରେ ଅଡିଟୋରିୟମ ରହିବ । ଏହି ଅଡିଟୋରିୟମରେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ।