ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ଚୟନ ପ୍ରକ୍ରିୟାରୁ ଦୂରରେ ରହିବେ ଗାନ୍ଧୀ ପରିବାର । କାରଣ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତାଫା ଦେବା ପରେ ଆମେରିକା ଯିବେ ରାହୁଲ ଗାନ୍ଧୀ । ସେ ଆସନ୍ତା 5 ତାରିଖରେ ଆମେରିକା ଗସ୍ତ କରିବେ । ରାହୁଲ ଗାନ୍ଧୀଙ୍କ ସମେତ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଆମେରିକା ଯିବେ ।
ସେପଟେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ହିଁ ବିଦେଶରେ ଅଛନ୍ତି। ସେ ମଧ୍ୟ କଂଗ୍ରେସ କାର୍ଯ୍ୟକାରୀ ସମିତି ବୈଠକରେ ଅନୁପସ୍ଥିତ ରହିବେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । ଆଉ ଦଳକୁ ବରିଷ୍ଠ ନେତାଙ୍କ ହାତରେ ଛାଡି ଦେଇଛନ୍ତି ।
ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ବୁଧବାର ରାହୁଲ ଗାନ୍ଧୀ ନିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ରାହୁଲଙ୍କ ଇସ୍ତଫା ଦେବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ କୌଣସି ନେତା ନଜର ଆସୁ ନାହାଁନ୍ତି। ଏପରି କ୍ଷେତ୍ରରେ କୁହାଯାଉଛି ଯେ କଂଗ୍ରେସ ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ (ସିଡବ୍ଲୁସି) ଡକାଇବ । ଏହି ବୈଠକ ସଂଗଠନର ମହାସଚିବ କେସି ବେଣୁଗୋପାଳ ଡକାଇବେ।
କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ରାହୁଲଙ୍କ ଇସ୍ତଫାକୁ ସ୍ଵୀକାର କରାଯାଇଛି ନା ନାହିଁ ତାହା ଉପରେ ଆଲୋଚନା ହେବ। ପୁଣି ନୂତନ ଅଧ୍ୟକ୍ଷ ଚୟନ ନେଇ ଆଲୋଚନା ହେବ। ତାଛଡା ସାମୂହିକ ନେତୃତ୍ବର ମଧ୍ୟ ବିକଳ୍ପ ରଖାଯାଇଛି ।