ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ରାଜନେତା । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଘୋଷଣା କରାଯାଉଛି ଆକର୍ଷଣୀୟ ଯୋଜନା । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଗତଦିନରେ ଘୋଷଣା କରିଥିଲେ ଗରୀବଙ୍କ ପାଇଁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା (ନ୍ୟାୟ) । ଏହା ପରେ ବର୍ତ୍ତମାନ ସେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଷ୍ଟାର୍ଟ ଅପ୍ନୀତିକୁ କୋହଳ କରିବାର କରିଛନ୍ତି ଘୋଷଣା ।
ନୂଆ ବ୍ୟବସାୟ ଆରମ୍ଭ କରିବା ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ୪ଟି ପ୍ଲାନ ବିଷୟରେ ମତ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ନିଜର ଏହି ପ୍ଲାନ ସହ ରାହୁଲ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ନୂଆ ବ୍ୟବସାୟ ଆରମ୍ଭର ପ୍ରଥମ ୩ ବର୍ଷ ପାଇଁ କୌଣସି ଆବଶ୍ୟକ ଅନୁମତି ନେବାକୁ ପଡିବ ନାହିଁ । ଏହାସହ ଏଞ୍ଜେଲ ଟ୍ୟାକ୍ସ ବ୍ୟବସ୍ଥା ଶେଷ କରାଯିବ ବୋଲି ରାହୁଲ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି ଯେ ଷ୍ଟ୍ରାର୍ଟଅପ ଆରମ୍ଭ କରିବା ପାଇଁ ବ୍ୟାଙ୍କରୁ ସହଜରେ ଋଣ ଯୋଗାଇ ଦିଆଯିବ । ଏହି ଷ୍ଟାର୍ଟ ଅପରୁକେତେ ପରିମାଣରେ ନିଯୁକ୍ତି ସୃଷ୍ଟି ହୋଇପାରୁଛି ତାହା ଆଧାରରେ କର ବ୍ୟବସ୍ଥା କରାଯିବ ବୋଲି ରାହୁଲ କହିଛନ୍ତି । ଏଞ୍ଜେଲ ଟ୍ୟାକ୍ସ ବ୍ୟବସ୍ଥା ୨୦୧୨ରେ ଆରମ୍ଭ ହୋଇଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଏହାର ଘୋଷଣା ବଜେଟରେ କରିଥିଲେ । ଷ୍ଟ୍ରାର୍ଟଅପରେ ନିବେଶ କରିବା ଉପରେ ଏଞ୍ଜେଲ ଟ୍ୟାକ୍ସ ଲଗାଯାଇଥାଏ । ବର୍ତ୍ତମାନ ସମୟରେ ଏହା ଅଧିକତମ ୩୦ ପ୍ରତିଶତ ଦରରେ ଲଗାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ