ନୂଆଦିଲ୍ଲୀ: ବୁଧବାର ହିଜବୁଲ ମୁଜାହିଦ୍ଦିନଙ୍କ ଡି ଫାକ୍ଟୋ ମୁଖ୍ୟ ରିୟାଜ ନାଇକୋର ଏନକାଉଣ୍ଟରକୁ ନେଇ କଂଗ୍ରେସ ସୁରକ୍ଷା ବାହିନୀକୁ ପ୍ରଶଂସା କରିଛି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଦ୍ବାରା ନିରୀହ ଲୋକଙ୍କୁ ହତ୍ୟା କରିବା କଦାପି କ୍ଷମାଯୋଗ୍ୟ ନୁହେଁ ।
‘ମୁଁ ଆମ ସୁରକ୍ଷାବଳଙ୍କୁ ଅଭିନନ୍ଦନ ଜଣାଉଛି । ରିୟାଜ ନାଇକୋକୁ ମାରି ନିରୀହ ଲୋକଙ୍କ ପ୍ରତି ନ୍ୟାୟ’ ବୋଲି ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଦଳ ତରଫରୁ ସମସ୍ତ ସେନା ବାହିନୀକୁ ପ୍ରଶଂସା କରିବା ସହ କୋରୋନା ସମୟରେ ବି ଭାରତୀୟ ସେନା ଆଇଏସଆଇ ଓ ପାକିସ୍ତାନ ଦ୍ବାରା ପଠାଯାଉଥିବା ଆତଙ୍କବାଦୀଙ୍କ ସହ ଲଢୁଛି ବୋଲି ସେ କହିଥିଲେ ।
ସେ କହିଛନ୍ତି, ‘ଆମର ସଶସ୍ତ୍ର ବାହିନୀ ଦ୍ବାରା ଆତଙ୍କବାଦର ଏହି ସ୍ଥାପତ୍ୟକୁ ଯେଉଁଭଳି ଭାବେ ଭାଙ୍ଗି ଦିଆଯାଉଛି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ’। କଂଗ୍ରେସର ମୁଖ୍ୟ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ବିଟ୍ କରି କହିଛନ୍ତି ଯେ ମୁଁ ଭାରତୀୟ ସେନା ସୈନିକ ଏବଂ ସେମାନଙ୍କ ବୀରତ୍ବକୁ ନମସ୍କାର କରୁଛି।
ହିଜବୁଲ ମୁଜାହିଦ୍ଦିନର ଡି ଫାକ୍ଟୋ ମୁଖ୍ୟ ତଥା କାଶ୍ମୀରର ଅନ୍ୟତମ ଆତଙ୍କବାଦୀ ରିୟାଜ ନାଇକୋକୁ ବୁଧବାର ପୁଲୱାମା ଜିଲ୍ଲାର ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି । 35 ବର୍ଷିୟ ଗଣିତ ଶିକ୍ଷକ, ଆତଙ୍କବାଦୀ ପାଲଟି ଯାଇଥିଲା। 8 ବର୍ଷ ଧରି ସଫଳତାର ସହ ସେ ରକ୍ଷା ପାଇ ଆସୁଥିଲା କିନ୍ତୁ ଶ୍ରୀନଗରଠାରୁ ପ୍ରାୟ 40 କିଲୋମିଟର ଦୂରରେ ଥିବା ପୁଲୱାମାର ବେଗବୋରା ଗ୍ରାମରେ 5 ଘଣ୍ଟିଆ ଗୁଳି ବିନିମୟ ପରେ ତାକୁ ଗୁଳି କରି ହତ୍ୟା କରାଯାଇଛି ।