ନିର୍ବାଚନୀ ବିଗୁଲ ବାଜିଲା ପରେ ଚଳ ଚଞ୍ଚଳ ଦଳୀୟ କାର୍ଯ୍ୟାଳୟ।ଟିକେଟ ପାଇଁ କସରତ ଜୋରଦାର ହେବା ସାଙ୍ଗକୁ ଦୈନନ୍ଦିନ ଦଳ ବଦଳ ପ୍ରକ୍ରିୟା ଚାଲିଛି।କିନ୍ତୁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।କିଏ ପାଇବେ ଟିକେଟ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବା ନେଇ ଚିତ୍ର ଅସ୍ପଷ୍ଟ।ଶାସକ ଦଳର କବ୍ଜାରେ ଏହି ନିର୍ବାଚମଣ୍ଡଳୀ ଦୀର୍ଘ ୧୦ବର୍ଷ ହେଲା ରହିଆସିଛି ସତ, ହେଲେ ପ୍ରତି ଥର ପ୍ରାର୍ଥୀ ବଦଳିଛନ୍ତି।ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଏଥର ପ୍ରାର୍ଥୀ ଚୟନ କିପରି ହେଉଛି।
ପୂର୍ବଭଳି ବିଜେଡି ଏଠି ବାଜିମାତ କରିବ ନା ବିରୋଧୀଙ୍କ ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।୨୦୦୯ ରୁ ଉତ୍ତର ବିଧାନସଭା କ୍ଷେତ୍ର ଘୋଷଣା ହେଲା ପରେ ଏଠାରେ ବିଜେଡ଼ି ପ୍ରାର୍ଥୀ ଭାଗିରଥି ବଡ଼ଜେନା ବିଜେପି ର ଗୋଲଖ ମହାପାତ୍ର ଓ କଂଗ୍ରେସ ର କିଶୋର ଜେନାଙ୍କୁ ବହୁ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।୨୦୧୪ ରେ ଅନୁରୂପ ଭାବରେ ବିଜେଡି ର ପ୍ରିୟଦଶୀ ମିଶ୍ର ବିଜେପି ର ଦିଲ୍ଲୀପ ମହାନ୍ତି ଓ କଂଗ୍ରେସ ର ମନୋରଞ୍ଜନ ଦାଶ ଙ୍କୁ ବହୁ ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟ ଲାଭ କରିଥିଲେ।
୨୦୧୯ ରେ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ଅନୁସାରେ ବିଜେଡି ଗଡରେ ଫିଟିବ କି ପଦ୍ମ?କାରଣ ବିଜେଡିରୁ ପ୍ରିୟଦର୍ଶୀ ମିଶ୍ର ଯଦିଓ ମୁଖ୍ୟ ଦାବିବାର ଅଛନ୍ତି ,ତାଙ୍କ ବାଟରେ ଆଉ କିଛି ବିଜେଡି ଆଶାୟୀ ରୋକ ଲଗେଇବା ନେଇ ଆଲୋଚନା ହେଉଛି।ଗତ କିଛି ମାସ ହେବ ଭୁବନେଶ୍ୱର ଉତ୍ତର ରେ କିଛି କର୍ପୋରେଟର ଙ୍କ ସହ ସ୍ଥାନୀୟ ବିଧାୟକ ଙ୍କ ସହ ଓ ଖାସ କରି କିଛି ମହିଳା କର୍ମୀ ଙ୍କ ସହ ବିବାଦ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି।ଏ ସବୁ ସତ୍ତ୍ୱେ ବିଧାୟକ ମିଶ୍ର ନିର୍ବାଚନମଣ୍ଡଳୀ ରେ ଉନ୍ନୟନମୂଳକ ଯୋଜନାରେ ନିଜକୁ ସାମିଲ କରିଛନ୍ତି।ଗତ ପଞ୍ଚାୟତ ନିର୍ବାଚନ ଓ ଗୋଟିଏ ୱାର୍ଡ ରେ ହୋଇଥିବା ଉପନିର୍ବାଚନ ରେ ସଫଳତାର ଶ୍ରେୟ ବିଧାୟକ ଙ୍କ ପାଖକୁ ଯାଉଛି ବୋଲି ତାଙ୍କ ସମର୍ଥକ ଦାବି କରୁଛନ୍ତି।ଏଠାରେ ବିଜେଡି ର ଆଉ ଦୁଇଜଣଙ୍କ ନାମ ଚର୍ଚ୍ଚାଚାଲିଛି ,ଚିନ୍ମୟ ସାହୁ ଓ ସୁବାସ ପାତ୍ର।ଉଭୟ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ କରି ନିଜର ଦକ୍ଷତା ଦେଖାଇଛନ୍ତି।ପୁର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ନାମ କୁ ନେଇ ମଧ୍ୟ ଆଲୋଚନା ହେଉଛି।କିଛି ଦିନ ପୂର୍ବରୁ ତାଙ୍କୁ ବିଡିଏ ର ଅଧ୍ୟକ୍ଷ କରାଯାଇଥିଲେ ବି ସେ ଉତ୍ତର କିମ୍ବା ମଧ୍ୟ ନିର୍ବାଚନମଣ୍ଡଳୀ ରୁ ପ୍ରାର୍ଥୀ ହେବା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ଜୋର ଧରିଛି।
୨୦୧୪ ରେ ଉତ୍ତର ନିର୍ବାଚନମଣ୍ଡଳୀ ରେ ଦେଇଥିବା ଇସ୍ତାହାର କୁ ପୂରଣ କରିବାରେ ସମର୍ଥ ହୋଇଛି।ପ୍ରତି ଦଳରେ ଏକାଧିକ ଆଶାୟୀ ଅଛନ୍ତି।ନିର୍ବାଚନମଣ୍ଡଳୀ ସମସ୍ତ ଜନହିତକର କାର୍ଯ୍ୟକ୍ରମ ମୁ କରିଛି ତେଣୁ ମୋର ଆଶା ଓ ଦୃଢ ବିଶ୍ବାସ ଅଛି, ମୁଖ୍ୟମନ୍ତ୍ରୀ ମୋତେ ଆଶୀର୍ବାଦ କରିବେ।ନିର୍ବାଚନମଣ୍ଡଳୀ ରେ ୨୫ ଟି ୱାର୍ଡ ଓ୫ ଟି ପଞ୍ଚାୟତ ରେ ରାସ୍ତାଘାଟ ,ଡ୍ରେନେଜ, ପରିମଳ ବ୍ୟବସ୍ଥା କୁ ଠିକ ସେ କରାଯାଇଛି।୫ ଟି ହସ୍ପିଟାଲ,୪ ଟି ଷ୍ଟାଡିଅମ, ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଜୟଦେବ ବିହାର ଠାରୁ ନନ୍ଦନ କାନନ କୁ ସମାନ୍ତରାଳ ରାସ୍ତା କରାଯାଇଛି,ଅମୃତ ଯୋଜନାରେ ପିଇବା ପାଣି,ସ୍ବେରଜ ବ୍ୟବସ୍ତା ବିଳମ୍ବ ହେଇଛି, ପଟିଆ ବନ୍ଧ କୁ ୨୫ କୋଟି ଟଙ୍କା ବ୍ୟୟରେ ସୁ ଦୃଢ଼ୀକରଣ ,ବିଦ୍ୟୁତ କ୍ଷେତ୍ରରେ ଉନ୍ନୟନ ପ୍ରକଳ୍ପ କରାଯାଇଛି।ଗ୍ରାମାଞ୍ଚଳରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛୁ।ବସ୍ତି ବାସିନ୍ଦା ଙ୍କ ପାଇଁ ଆବାସ ଯୋଜନା କରିଛୁ।ମୁଖ୍ୟ ପ୍ରତିଶ୍ରୁତି ପାଳନ କରି ରିପୋର୍ଟ କାର୍ଡ କରିଛି ବୋଲି ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି।
ଦୀର୍ଘ ୨୦ ବର୍ଷ ଧରି ମୁଁ ଛାତ୍ର ରାଜନୀତି ଓ ସମାଜସେବା କରୁଛି।ବିକାଶ ଏକ ନିରନ୍ତର ପ୍ରକ୍ରିୟା ।ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିକାଶ ର ଧାରା ଜାରିରଖିଛନ୍ତି ।ଯଦି ମୁଖ୍ୟମନ୍ତ୍ରୀ ଙ୍କ ଆଶୀର୍ବାଦ ମିଳେ ଏ ସେବା କୁ ଆଗକୁ ବଢ଼େଇବି।ଉତ୍କଳ ବିଶ୍ୱବିଦ୍ୟାଳୟ ମୋର ଶିକ୍ଷା ଭୂମି ଯାହା ମୋତେ ପରିଚୟ ଦେଇଛି ଓ ଉତ୍ତର ନିର୍ବାଚନମଣ୍ଡଳୀ ମୋର ଦୀକ୍ଷା ଭୂମି।ସମସ୍ତଙ୍କ ଭଲ ପାଇବା ମୋ ପ୍ରତି ଅଛି, ଯଦି ମୁଖ୍ୟମନ୍ତ୍ରୀ ସୁଯୋଗ ଦିଅନ୍ତି ତା ହେଲେ ଡ୍ରେନେଜ ସମସ୍ୟା, ପିଇବା ପାଣି ସମସ୍ୟା ଦୂର ହେବ ବୋଲି ବିଜେଡି ଯୁବ ନେତା ତଥା ଉତ୍ତର ନିର୍ବାଚନମଣ୍ଡଳୀ ରୁ ଆଶାୟୀ ପ୍ରାର୍ଥୀ ଚିନ୍ମୟ ସାହୁ କହିଛନ୍ତି।
ବିଜେପି ମଧ୍ୟ ଏ ଦୌଡ଼ରେ ପଛରେ ପଡ଼ିନାହିଁ ବୋଲି କୁହାଯାଇପାରେ।କାରଣ ଲମ୍ବା ସମୟ ଧରି ଗତ ଥରର ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ପୁନର୍ବାର ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି କାରଣ ଦୀର୍ଘ ଦିନ ଧରି ନିଜ ସଂଗଠନ ସୁଦୃଢ କରିବା ସହିତ ଲୋକଙ୍କ ସୁବିଧା ଅସୁବିଧା ରେ ସାମିଲ ହୋଇଛନ୍ତି।ଦଳୀୟ ଲୋକାଭିମୁଖୀ କାର୍ଯ୍ୟକ୍ରମତାଙ୍କୁ ଦେଖିବାକୁ ମିଳିଛି।ଅନ୍ୟ ଆଶାୟୀ ମାନେ ଥିଲେବି ଦିଲ୍ଲୀପ ଲୋକଙ୍କ ସହ ସବୁବେଳେ ଥିବାରୁ ପ୍ରାର୍ଥୀ ଓ ବିଜୟ ସମ୍ଭାବନା କୁ ନେଇ ଆଶାବାଦୀ।
ଦଳ ଘୋଷଣା କଲେ ନିଶ୍ଚିତ ଭାବେ ଅଞ୍ଚଳକୁ ପ୍ରତିନିଧିତ୍ୱ କରିବୁ।ବିଜେଡି ସମ୍ପୂର୍ଣ୍ଣ ଫେଲ ମାରିଛି।ବିକାଶ ବାଟବଣା ଯୋଗୁ ଲୋକେ ବିଜେଡି କୁ ପ୍ରତ୍ୟାଖ୍ୟାନ କରି ପରିବର୍ତ୍ତନ ଚାହୁଁଛନ୍ତି।ଉତ୍ତର ନିର୍ବାଚନମଣ୍ଡଳୀ ଭୁବନେଶ୍ୱର ରାଜଧାନୀ ରେ ଥିଲେ ମଧ୍ୟ ଏକ ଅବହେଳିତ ଅଞ୍ଚଳ ,୫ଟି ଗ୍ରାମପାୟତ ଅଛି ଯେଉଁଠି ସଡକ, ବିଜୁଳି, ସ୍ୱାସ୍ଥ୍ୟ ସବୁ ଅପହଞ୍ଚ।ବିଧାୟକ ଲୋକଙ୍କୁ ଅଣଦେଖା କରିଛନ୍ତି।ବସ୍ତି ଅଞ୍ଚଳରେ ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନି ଇସ୍ତାହାର ପାଳନ କରିନାହାନ୍ତି।ସାମଗ୍ରିକ ବିକାଶ ଏଠି ବାଟବଣା।ବିଧାୟକ ଓ ସାଂସଦ ଏଠି ସାଧାରଣ ଲୋକଙ୍କ ଠାରୁ ଦୂରରେ।ସମ୍ପୂର୍ଣ୍ଣ ଭାବରେ ଉତ୍ତର ନିର୍ବାଚନମଣ୍ଡଳୀ ରେ ବିଜେଡି ବିକାଶ ଠାରୁ ବହୁ ଦୂରରେ ବୋଲି ବିଜେପି ଆଶାୟୀ ପ୍ରାର୍ଥୀ ଦିଲୀପ ମହାନ୍ତି କହିଛନ୍ତି।
ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ସାଙ୍ଗଠନିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ।କଂଗ୍ରେସ ର କୌଣସି କାର୍ଯ୍ୟକ୍ରମ କୁ ନେଇ ଏଠି ଠୋସ ପଦକ୍ଷେପ ବି ନିଆଯାଇନାହିଁ।ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ମନୋରଞ୍ଜନ ଦାଶ।ଏ ପର୍ଯ୍ୟନ୍ତ କୌଣସି ନାମ ଚୂଡାନ୍ତ ହୋଇନାହିଁ।
ପ୍ରାର୍ଥୀତ୍ୱ ସମ୍ପର୍କରେ ସମସ୍ତ ଆଲୋଚନା ସରି ମତାମତ ଦିଲ୍ଲୀ ଯାଇଛି।ନିଷ୍ପତ୍ତି ହାଇ କମାଣ୍ଡଙ୍କର।ଦଳରୁ ନିର୍ଦ୍ଦେଶ ଆସିଲେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି।ବିଏମସି ର ର୍ଯ୍ୟକାଳ ସରିଛି।ନିର୍ବାଚନମଣ୍ଡଳୀ ଅବସ୍ଥା ବହୁତ ଖରାପ ଅବସ୍ଥା, ସ୍ୱଚ୍ଛତା ରେ ଭୁବନେଶ୍ୱର ସ୍ମାର୍ଟସିଟି ୨୬୦ ରିଆଙ୍କ ତଳକୁ ଖସିଛି।ଉତର ନିର୍ବାଚନମଣ୍ଡଳୀ ରେ ଅନେକ ଜାଗା ଅସରାଏ ବର୍ଷା ହେଲେ ଜଳମଗ୍ନ ହେଉଛି, ଟ୍ରାଫିକ ସମସ୍ୟା, ଫ୍ଲାଇ ଓଭେର ,ଅଡିଟୋରିଆମ ହେଇ ପାରିଲନାହିଁ।ତେଣୁ ଅନେକ କାମ ବାକି ଅଛି ଅଗାମୀ ଦିନରେ ଆମେ ଲଢ଼ିବାକୁ ପ୍ରସ୍ତୁତ ଅଛୁ ବୋଲି କଂଗ୍ରେସ ନେତା ତଥା ୨୦୧୪ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିବା ମନୋରଞ୍ଜନ ଦାସ କହିଛନ୍ତି।
ଯେହେତୁ ଏ ନିର୍ବାଚନମଣ୍ଡଳୀ ରେ ପ୍ରତିଥର ପ୍ରାର୍ଥୀ ପରିବର୍ତ୍ତନ ହେଉଛନ୍ତି ,ପ୍ରତି ଦଳ ପାଇଁ ଅଗାମୀ ଦିନରେ ପ୍ରାର୍ଥୀ ଚୟନ ନିଶ୍ଚିତ ଭାବେ ଏକ ବଡ ଚ୍ୟାଲେଞ୍ଜ ରହିବ।ଶାସକ ଦଳର ବିକାଶ ଧାରା କୁ ନେଇ ଚିରାଚରିତ ଢଙ୍ଗରେ ଏଠି ନେତା ନିର୍ବାଚିତ ହେବେ ନା କିଛି ବ୍ୟତିକ୍ରମ ହେବ ଆଗକୁ ସମୟ କହିବ।