ଚଣ୍ଡିଗଡ: ପଞ୍ଜାବରେ କୋରୋନା ଭାଇରସକୁ ନେଇ ପ୍ରଥମ ମୃତ୍ୟୁ ସ୍ପଷ୍ଟ ହୋଇଛି । ନଓ୍ବାଂସହର ଜିଲ୍ଲା ପଠଲାଓ୍ବା ଗାଁର ଜଣେ 70 ବର୍ଷୀୟ ବୃଦ୍ଧଙ୍କ ବୁଧବାର ମୃତ୍ୟୁ ହୋଇଥିଲା । ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା । ତେବେ ମୃତ୍ୟୁ ପରେ ବୃଦ୍ଧଙ୍କ ଶରୀରରେ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି ।
କୋରୋନା ଭାଇରସ ଦ୍ବାରା ପଞ୍ଜାବର ଏହି ବୃଦ୍ଧଙ୍କ ମୃତ୍ୟୁ ପରେ ପଠଓ୍ବାଲା ଗାଁକୁ ସମ୍ପୂର୍ଣ୍ଣଭାବେ ସିଲ୍ କରିଦିଆଯାଇଛି । ମୃତ ବୃଦ୍ଧ ଜଣକ ପ୍ରଥମେ ଜର୍ମାନୀ ପରେ ଇଟାଲୀ ଦେଇ ଭାରତ ଆସିଥିଲେ । ତାଙ୍କୁ ବଙ୍ଗାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଗୁରୁବାର ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ହସ୍ପିଟାଲ ପ୍ରଶାସନ କୋରୋନା ଆଶଙ୍କା କରି ବୃଦ୍ଧଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଇଥିଲେ । ରିପୋର୍ଟ ଆସିବା ପରେ ବୃଦ୍ଧ ଜଣକ କୋରୋନାରେ ପୀଡିତ ଥିବା ସ୍ପଷ୍ଟ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ଦ୍ବାରା 4 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ଭାରତରେ ମୋଟ 167 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ