ନୂଆଦିଲ୍ଲୀ: ଆଜି(ସୋମବାର) ଲୋକସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଧେୟକୁ ଗୃହରେ ଆଗତ କରିବେ । ଯଦି ଏହି ବିଲ୍ ଆଇନରେ ପରିଣତ ହେବ ତେବେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଈସାଇ, ଶିଖ୍, ପାର୍ସୀ, ଜୈନ ଏବଂ ବୌଦ୍ଧ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ଭାରତୀୟ ନାଗରିକତା ପାଇପାରିବେ ।
ଅପରପକ୍ଷେ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଏହି ବିଲ୍କୁ ବିରୋଧୀ ଓ ବାମପନ୍ଥୀ ଦଳ ବିରୋଧ କରୁଛନ୍ତି । ଏହି ବିଲର ପ୍ରବନ୍ଧନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନ ମାନଙ୍କୁ ଭାରତର ନାଗରିକତା ଦିଆଯିବ ନାହିଁ । ଯେଉଁକାରଣରୁ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଏହି ବିଲକୁ ବିରୋଧ କରୁଛନ୍ତି ।
ସୂଚନାଯୋଗ୍ୟ, ଲୋକସଭାରେ ବିଜେପିର ପୂର୍ଣ୍ଣ ବହୁମତ ଥିବାରୁ ବିରୋଧୀଙ୍କ ବିରୋଧ ସତ୍ତ୍ବେ ଏହି ବିଲ୍ ପାରିତ ହେବାରେ ବିଶେଷ ସମସ୍ୟା ସୃଷ୍ଟି ହେବନାହିଁ । ବର୍ତ୍ତମାନ ଗୃହରେ ବିଜେପିର ଏକାକୀ 303 ସଦସ୍ୟ ଅଛନ୍ତି । ପ୍ରକାଶ ଯେ, 2014 ଓ 2019 ଲୋକସଭା ନିର୍ବାଚନରେ ବିଜେପି ନିଜ ଘୋଷଣାପତ୍ରରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁଙ୍କୁ ଭାରତର ନାଗରିକତ୍ବ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।