ନୂଆଦିଲ୍ଲୀ: ବନ୍ଧୁତ୍ବର ପରିଭାଷା ଯଦି ଓ ରାଜନୈତିକ କ୍ଷେତ୍ରରେ ଠିକ୍ ରହିଛି କିନ୍ତୁ ଗଣମାଧ୍ୟମ ଆଉ ଲୋକମୁଖରେ ନେଇଛି ଭିନ୍ନ ମୋଡ ! ପାକିସ୍ତାନ ମିଡିଆ ଆଜି ସିଧାସଳଖ ଚାଇନା ଉପରେ ବର୍ଷିଛି । କହିଛି, "ଚାଇନା' ନେ ଚୂନା ଲଗା ଦିୟା" ତେବେ କେଉଁ ଭଳି ପରିସ୍ଥିତିରେ ପାକିସ୍ତାନ ଗଣମାଧ୍ୟମ ଚାଇନା ଉପରେ ଏପରି ଚୂନ ଲଗା ମନ୍ତବ୍ୟ ଦେଇଛନ୍ତି-ତାହା ଏବେ ବିଶ୍ବ ସମୁଦାୟର ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏ ସପ୍ତାହ ପୂର୍ବରୁ ଚାଇନାକୁ ପ୍ରଶଂସାରେ ପୋତି ପକାଉଥିବା ପାକିସ୍ତାନ ଗଣମାଧ୍ୟମ କାହିଁକି ଏମିତି କଟାକ୍ଷ ମନ୍ତ୍ରଵ୍ୟ ଦେଇଛି, ତାହା ବେଶ୍ ରୋଚକ ।
ସୂଚନାଯୋଗ୍ୟ ପାକିସ୍ତାନକୁ ଚାଇନା କୋଭିଡ୍-19ର ମୁକାବିଲା ପାଇଁ ବିଭିନ୍ନ ସାହାଯ୍ୟ ସହଯୋଗ କରି ଆସୁଛି । ନିକଟରେ ଚାଇନା ଏନ୍-95 ମାସ୍କ ପାକିସ୍ତାନକୁ ପଠାଇବ ବୋଲି ଏକ ବୁଝାମଣା ହୋଇଥିଲା । ଯେତେବେଳେ ଏହି ବୁଝାମଣା ମୁତାବକ ମାସ୍କ ପାକିସ୍ତାନରେ ପହଁଚିଲା, ସ୍ଵାସ୍ଥ୍ୟ ଅଧିକାରୀଙ୍କ ସମେତ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀଙ୍କ ରୋଷର ଶିକାର ହେଲା ଚାଇନା । ହସ୍ତଗତ ହୋଇଥିବା ଏନ୍-95 ମାସ୍କ ଗୁଡିକ ଅଣ୍ଡରୱିୟର କପଡାରେ ପ୍ରସ୍ତୁତ ହୋଇଥିଲା । ଯାହାକି ବ୍ୟବହାର କରିବା ଯୋଗ୍ୟ ନଥିଲା । ଏଥି ଯୋଗୁଁ ପାକିସ୍ତାନ ଗଣମାଧ୍ୟମ କ୍ଷୁବ୍ଧ ହୋଇଛି । କିନ୍ତୁ ରାଜନୈତିକ ବୁଝାମଣା କ୍ଷେତ୍ରରେ ଏହି ଘଟଣା ସେମିତି କୌଣସି ପ୍ରଭାବ ପକାଇ ପାରିନାହିଁ । ଏହି ଘଟଣାକୁ ମଧ୍ୟ ଟୁଇଟ୍ ମାଧ୍ୟମରେ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଜଣାଇଛନ୍ତି ।
ଗତ ସପ୍ତାହରେ କେବଳ ଚାଇନା ପାକିସ୍ତାନର ଏକମାତ୍ର ବନ୍ଧୁ ସାଜି କୋରୋନା ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ମେଡିକାଲ୍ କିଟ୍, କର୍ମଚାରୀ ଓ ରକ୍ତ ନମୂନା ପରୀକ୍ଷଣ କିଟ୍ ଯୋଗାଇ ଆସୁଛି । ମିଳିଥିବା ତଥ୍ୟ ଆଧାରରେ 50'000 କୋରୋନା ଭାଇରସ୍ ଟେଷ୍ଟିଂ କିଟ୍ ଚାଇନା ପାକିସ୍ତାନକୁ ପଠାଇଛି ।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅନୁରୋଧକ୍ରମେ ଚାଇନା 15,000 ପ୍ରୋଟେକସନ୍ ସୁଟସ୍ ପାକିସ୍ତାନ ଡାକ୍ତର ଏଵଂ ପାରା ମେଡିକାଲ୍ କର୍ମଚାରୀଙ୍କ ନିମନ୍ତେ ପଠାଇଛି । 20ଟନ୍ ମେଡିକାଲ୍ ଜିନିଷ ଏବଂ 20 ଭେଣ୍ଟିଲେଟର୍ ମଧ୍ୟ ପାକ୍ ଚାଇନା ଠାରୁ ଗ୍ରହଣ କରିଛି । ଚାଇନା ଡାକ୍ତର ପାକିସ୍ତାନକୁ ସିଧାସଳଖ ସ୍ଵାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । 8 ଜଣିଆ ଡାକ୍ତରୀ-ଟିମ୍ ଚାଇନାରୁ ପାକିସ୍ତାନ ଆସି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ସବୁଠାରୁ ଗୁରତ୍ଵପୂର୍ଣ ବିଷୟ ହେଉଛି, ଚାଇନା ପାକିସ୍ତାନର 30,000 ଆଇସିୟୁ ଓ୍ଵାରକର୍ସଙ୍କ ପାଇଁ ବିଭିନ୍ନ ମେଡିକାଲ୍ ଉପକରଣ, ମାସ୍କ ଓ ହ୍ୟାଣ୍ଡ୍ ଓ୍ବାସ୍ କିଟ୍ ପଠାଇଛି ।
ବନ୍ଧୁତାର ସବୁ ପ୍ରକାର ସହଯୋଗ ଯୋଗାଇ ଆସୁଥିବା ଚାଇନାକୁ ସାମାନ୍ୟ ଭୁଲ୍ ପାଇଁ କଟାକ୍ଷା କରୁଥିବା ପାକିସ୍ତାନ ଗଣମାଧ୍ୟମ ବାବଦରେ ସରକାର କୌଣସି ପ୍ରତିକ୍ରିୟା ରଖିନାହିଁ । ଚାଇନାର ପାକିସ୍ତାନ ପ୍ରୀତି ଉପରେ ଆମେରିକା, ଭାରତ, ଇସ୍ରାଏଲ୍, ରୁଷ ପରି ଦେଶଙ୍କ କଡା ନଜର୍ ରହିଛି ।