ବେଜିଂ: ଏଲଓସିରେ ଭାରତ-ପାକିସ୍ତାନ ମଧ୍ୟରେ ଅଧିକାଂଶ ସମୟରେ ହେଉଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ନେଇ ଚିନ୍ତା ପ୍ରକଟ କରିଛି ପଡୋଶୀ ଚୀନ । ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛି ଚୀନ ।
ସୀମାରେ ବଢୁଥିବା ତିକ୍ତତାକୁ ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାର ସ୍ଥିତି ଉପରେ ଚୀନ ନଜର ରଖିଛି । ଆମେ ପ୍ରାସଙ୍ଗିକ ରିପୋର୍ଟ ଉପରେ ଧ୍ୟାନ ଦେଉଛୁ ଏବଂ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଚୀନ ଉଭୟ ଭାରତ ଏବଂ ପାକିସ୍ତାନର ପଡୋଶୀ ଦେଶ, ତେଣୁ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛି । ଏହା ବ୍ୟତୀତ ତିକ୍ତତା ସୃଷ୍ଟି କରୁଥିବା କାର୍ଯ୍ୟରୁ ବଞ୍ଚିତ ରହିବା ସହ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହାର ସମାଧାନ ବାହାର କରିବାକୁ ଉଭୟ ଦେଶକୁ ପରାମର୍ଶ ଦେଇଛି ଚୀନ ।
ସୂଚନାଯୋଗ୍ୟ ଯେ, ଚୀନର ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଭାରତ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଗୁରୁବାର ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଛ ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଏହାର ଜବାବରେ ଭାରତ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ୩ରୁ ୪ ଜଣ ପାକ୍ ସୈନ୍ୟ ନିହତ ହୋଇଥିଲେ ।