ନୂଆଦିଲ୍ଲୀ: ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ଦିଲ୍ଲୀରେ ବିଧାସଭା ନିର୍ବାଚନର ତାରିଖ । ଏନେଇ ରାତନୀତି ସରଗରମ ରହିଥିବା ବେଳେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି । ସେପଟେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଶିଶୁ ଦିବସ ତାରିଖ ବଦଳାଇବାକୁ ମୋଦିଙ୍କୁ ଚିଠି ଲେଖିଛନ୍ତି ।
ମନୋଜ ତିୱାରିଙ୍କ ଚିଠି ଜରିଆରେ ଦାବି କରିଛନ୍ତି ‘ଆମ ଦେଶରେ ବହୁତ ଏପରି ପିଲାମାନେ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବତ୍କୃଷ୍ଟ ବଳିଦାନ ଦେଇଛନ୍ତି ଶିଖ ଗୁରୁ ଗୋବିନ୍ଦ ସାହେବଙ୍କ ସାହେବଜାଦା ଜୋରାବର ସିଂହ ଏବଂ ଫତେହ ସିଂହ । ଉଭୟ ପଞ୍ଜାବରେ 1705 ମସିହାରେ ପୌଷ ମାସର ଶୀତରେ ଫତେହପୁର ସାହେବର ଥଣ୍ଡା ବୁର୍ଜରେ ସାହସ ଦେଖାଇ ଧର୍ମର ରକ୍ଷା କରିଥିଲେ । ’
ତେଣୁ ଗୁରୁ ଗୋବିନ୍ଦ ସାହେବଙ୍କ ଶହୀଦ ଦିବସରେ ଶିଶୁ ଦିବସ ପାଳିବାକୁ ମନୋଜ ତିୱାରିଙ୍କ ଦାବି ରହିଛି । ମନୋଜ ନିଜ ଚିଠିରେ ଆହୁରି ଲେଖିଛନ୍ତି, ‘ମୋ ମତରେ ଏହି 2 ପିଲାଙ୍କ ସାହସିକତାକୁ ମନେ ପକାଇ ପ୍ରତ୍ୟେକ ବର୍ଷ ଶିଶୁ ଦିବସ ପାଳନ କରାଯାଉ । ଏହାଦ୍ବାରା ଆଜିର ଶିଶୁଙ୍କୁ ପ୍ରେରଣା ମିଳିବ । ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସାହେବଜାଦା ହାଡ଼ଭଙ୍ଗା ଶୀତରେ ଧର୍ମକୁ ରକ୍ଷା କରିବା ନିମନ୍ତେ ନିଜକୁ ସମର୍ପିତ କରିଥିଲେ । ସେହି ଘଟଣଟି ଆଜିର ଶିଶୁଙ୍କ ପାଇଁ ପ୍ରେରଣାଦାୟୀ । ଡିସେମ୍ବର 28 ତାରିଖକୁ ଶାହଦଦ ଦିବସ ଭାବେ ପାଳନ କରାଯାଏ । ନଭେମ୍ବର 14କୁ ଶିଶୁ ଦିବସ ରୂପେ ପାଳନ କରାଯିବା କୌଣସି ଯଥାର୍ଥ ନାହିଁ । ତେଣୁ ସେହି ତାରିଖକୁ ବଦଳାଇ ଡିସେମ୍ବର 28 ତାରିଖ ରଖାଯାଉ।’
ୟୁଆଇଡିଏଆଇ ମୁତାବକ ନଭେମ୍ବର 30, 2019 ପର୍ଯ୍ୟନ୍ତ ଦିଲ୍ଲୀର ଜନସଂଖ୍ୟା ପାଖାପାଖି 1.85 କୋଟି ରହିଛି । ବର୍ଦ୍ଧିତ ଜନସଂଖ୍ୟାର 4 ପ୍ରତିଶତ ଅର୍ଥାତ ପ୍ରାୟ 7 ଲକ୍ଷ 40 ଗଜାର ଶିଖ୍ ଧର୍ମାବଲମ୍ବି ଅଛନ୍ତି । ଏପରି କ୍ଷେତ୍ରରେ ବିଧାସଭା ନିର୍ବାଚନରେ ଯେକୌଣସି ଦଳ ଶିଖ ଭୋଟରଙ୍କୁ ନଜରଅନ୍ଦାଜ କରି ପାରିବ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜନ୍ମଦିନ ନଭେମ୍ବର 14 ତାରିଖରୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି ।