ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଖୋଦ ଟ୍ବିଟରରେ ସୂଚନା ଦେଇଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋରୋନା ପରିକ୍ଷଣ କରିବାକୁ ସେ ନିବେଦନ କରିଛନ୍ତି । ଏଥିସହ ସମସ୍ତଙ୍କୁ ତୁରନ୍ତ ସଙ୍ଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ହରିୟାଣା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ସୋମବାର ହରିୟାଣା ବିଧାନସଭାର ବାଚସ୍ପତି ଜ୍ଞାନ ଚନ୍ଦ ଗୁପ୍ତା ଏବଂ ଦୁଇଜଣ ବିଜେପି ବିଧାୟକ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ହରିୟାଣା ଗୃହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ ଏନେଇ ସୂଚନା ଦେଇଥିଲେ। ସେପଟେ ବାଚସ୍ପତି ଏବଂ ଦୁଇ ଜଣ ବିଧାୟକଙ୍କ ବ୍ୟତୀତ 6 ଜଣ ବିଧାନସଭା କର୍ମଚାରୀ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ହରିୟାଣାରେ କୋରୋନାର କୋପ ଜାରି ରହିଛି। ରାଜ୍ୟରେ ଏବେସୁଦ୍ଧା 54386 ଜଣ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 603କୁ ବୃଦ୍ଧି ପାଇଛି। ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।