ରାୟପୁର: କୋରୋନା କବଳରେ ନକ୍ସଲ କମାଣ୍ଡର । ଛତିଶଗଡ ସୁକୁମା ଜିଲ୍ଲା କେରଲାପଲର ଏରିଆ କମାଣ୍ଡର ମଡକମ ରମେଶର କୋରୋନାରେ ମୃତ୍ୟୁ ଘଟିଛି । ତା ମୁଣ୍ଡରେ 5 ଲକ୍ଷ ଟଙ୍କା ପୁରସ୍କାର ଥିବା ଜଣାପଡିଛି ।
ସୂଚନା ମୁତାବକ, ମଡକମ ରମେଶ ଗତ କିଛି ଦିନରୁ ଅସୁସ୍ଥ ଥିଲା । ତାକୁ ଦୀର୍ଘ ଦିନରୁ କାଶ ଓ ଜ୍ୱର ହେଉଥିଲା। ତେବେ ସେ ଜଗରଗୁଣ୍ଡା ସ୍ଥିତ ନିଜ ଘରେ ରହୁଥିଲା । ସେ କୋରୋନାରେ ଆକ୍ରାନ୍ତ ଥିବା କୁହାଯାଉଥିଲା । କମାଣ୍ଡର ରମେଶର ମୁଣ୍ଡ ପିଛା 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ତେବେ ଏନେଇ ସୁକୁମା ଏସପି କହିଛନ୍ତି, ନକ୍ସଲ କମାଣ୍ଡର ରମେଶର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ପାଇଛି । ତଥାପି ଏହାର ସତ୍ୟତା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି ।
ମଡକମ ରମେଶ ଦୀର୍ଘ ଦିନ ଧରି କେରଲପାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିଲା । ସେ ଅନେକ ଅପରାଧିକ ଘଟଣାରେ ଜଡିତ ଥିଲା । ତା ମୃତ୍ୟୁ ଖବର ପରେ ନକ୍ସଲ ସଙ୍ଗଠନରେ ଶୋକର ବାତାବରଣ ସୃଷ୍ଟି ହୋଇଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ