ଜୟପୁର: ରାଜସ୍ଥାନର ଚମ୍ବାଲ ନଦୀରେ ଡଙ୍ଗା ବୁଡି ଘଟଣାରେ 5 ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ବୁଧବାର ସକାଳେ ରାଜସ୍ଥାନ ବୁନ୍ଦି ଜିଲ୍ଲାର ଏକ ମନ୍ଦିରକୁ 40 ରୁ ଅଧିକ ଭକ୍ତଙ୍କୁ ନେଇ ଚମ୍ବଲ ନଦୀରେ ଯାଉଥିବା ଏକ ଡଙ୍ଗା ବୁଡି ଯାଇଥିଲା । ଏହି ଡଙ୍ଗାରେ ପାଖାପାଖି 40 ଜଣ ଭକ୍ତ ଥିଲେ । ଘଟଣାସ୍ଥଳରେ 13 ଜଣଙ୍କର ମୃତ୍ୟୁ ଘଟିଥିଲା । ପରେ ଆହୁରି 11 ମୃତଦେହ ଉଦ୍ଧାର କରାଯାଇଥିଲା ।
ଏନେଇ ଡିଏସପି ଶୁଭଙ୍କର ପୁଲୀଙ୍କ କହିବା କଥା ହେଲା, ଏହି ଘଟଣା ଅଭିଯୁକ୍ତ ମହେନ୍ଦ୍ର, ହେମରାଜ, ମୀନା, ବିନୋଦ, ରାମକୁମାର ବିରୋଧରେ ମାମଲା ରୁଜୁ କରାଯାଇଛି । ଉକ୍ତ 5 ଜଣ ବେଆଇନ ଭାବେ ଡଙ୍ଗା ଚଳାଉଥିଲେ ଏବଂ ସେମାନଙ୍କୁ ଖୁବ ଶୀଘ୍ର ଧରିବାକୁ ପ୍ରୟାସ କରୁଛି ପୋଲିସ । ଘଟଣାଟି କୋଟାର ଖାଟୋଲି ଥାନା ସୀମା ଅନ୍ତର୍ଗତ ଧିବ୍ରି ଚମ୍ବଲ ଅଞ୍ଚଳ ନିକଟରେ ଘଟିଛି ।
ବୁଧବାର ସକାଳ ପ୍ରାୟ 8.45 ସମୟରେ ଚମ୍ବଲ ନଦୀରେ 40 ରୁ ଅଧିକ ଭକ୍ତଙ୍କୁ ନେଇ ଇନ୍ଦେରଗଡ଼ ଅଞ୍ଚଳର କମେଳେଶ୍ବର ମହାଦେବଙ୍କ ମନ୍ଦିର ଯାଉଥିଲା । ସେପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ