ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧାଙ୍କୁ ସମ୍ମାନିତ କରୁଛନ୍ତି ସରକାର । ସେମାନଙ୍କ ଉତ୍ସାହ ଓ ମନୋବଳ ବଢାଇବା ଲକ୍ଷ୍ୟରେ ଏପରି ପଦକ୍ଷେପ ନିଆଯାଇଛି । ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସମ୍ମାନ ପତ୍ର ଦେଇଛନ୍ତି କେନ୍ଦ୍ର ସରକାର ।
ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଡାକ୍ତର, ନର୍ସ, ସଫେଇ କର୍ମୀ, ପୋଲିସ, ବ୍ୟାଙ୍କ ଓ ସରକାରୀ ଚାକିରିଆଙ୍କୁ ସମ୍ମାନିତ କରିଛନ୍ତି । ଦେଶର ବିପତ୍ତି ସମୟରେ ସେମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହାସହ ସେମାନଙ୍କୁ କୋରୋନା ଲଢେଇର ଆଗଧାଡିର ଯୋଦ୍ଧା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେମାନଙ୍କ ମନୋବଳ ଓ ଉତ୍ସାହ ବଢାଇବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।
ଏହାସହ ଜାଭେଦକର କହିଛନ୍ତି ଯେ କୋରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣକୁ ସହ୍ୟ କରାଯିବନି । ଏହା ବରଦାସ୍ତ ବାହାରେ ଏବଂ ଏଥିପାଇଁ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି ବୋଲି ସେ କହିଛନ୍ତି । ବୁଧବାର ଏନେଇ ସରକାର ଅଧ୍ୟାଦେଶ ଆଣିଥିଲେ ଯାହାଦ୍ବାରା ଆକ୍ରମଣ କରିଥିବା ଅଭିଯୁକ୍ତକୁ 7 ବର୍ଷ ଯାଏଁ ଜେଲଦଣ୍ଡ ଓ 2 ଲକ୍ଷ ଯାଏଁ ଜୋରିମାନା ହୋଇପାରିବ ।
ସେହିପରି ସମ୍ମାନ ପାଇବା ପରେ ଦିଲ୍ଲୀ ଏମ୍ସର ଚିଫ୍ ନର୍ସିଂ ଅଫିସର କମଲେଶ ଚାନ୍ଦେରିଆ କହିଛନ୍ତି ଯେ କୋଭିଡ 19 ମୁକାବିଲାରେ ନର୍ସମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ଏପରି ସମୟରେ ସେମାନଙ୍କୁ ସମ୍ମାନିତ କରିବା ଦ୍ବାରା ଏହା ପ୍ରେରଣା ଯୋଗାଇବା ସହ ଦୃଢ କାର୍ଯ୍ୟ କରିବାକୁ ଉତ୍ସାହ ବଢାଇବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ ।
ସୌଜନ୍ୟ@ANI