ଜୟପୁର : ରାଜସ୍ଥାନର ରାଜନୈତିକ ସଙ୍କଟରେ ବିଜେପିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିଜେପି ପକ୍ଷରୁ ଅଡିଓ ଟେପ କାଣ୍ଡର ସିବିଆଇ ତଦନ୍ତ ଦାବି ଏବଂ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ତଲବକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଭିଷେଖ ମନୁ ସିଂଘବୀ ।
କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଅଭିଷେଖ ମନୁ ସିଂଘବୀ ରବିବାର ଟ୍ବିଟ କରି କହିଛନ୍ତି, ରାଜସ୍ଥାନରେ ବିଜେପି ବିରୋଧରେ ଘୋଡା ବେପାର ଏବଂ ସରକାର ଭାଙ୍ଗିବାର ଷଡଯନ୍ତ୍ର ଭଳି ଗମ୍ଭୀର ଅଭିଯୋଗ ଲାଗିଛି । ଏହି ମାମଲାରେ ରାଜସ୍ଥାନ ବିଧାୟକଙ୍କ ସହ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ବି ସାମ୍ନାକୁ ଆସିଛି । ପୋଲିସ ଏହାର ତଦନ୍ତ କରୁଛି ଏବଂ ଏନେଇ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଛି । କିନ୍ତୁ ଏଥିରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ନିଜ ସୁବିଧା ଅନୁଯାୟୀ ସିବିଆଇ ତଦନ୍ତ ଦାବି କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି । ମାମଲାରେ ବିଜେପିକୁ କ୍ଲିନଚିଟ ଦେବା ପାଇଁ ସିବିଆଇ ତଦନ୍ତ କରାଯିବ କି ବୋଲି ପ୍ରଶ୍ନ କରିଛନ୍ତି ସିଂଘବୀ ।
ଶନିବାର ରାତିରେ ଫୋନ ଟ୍ୟାପିଂ ମାମଲାରେ ନୂଆ ମୋଡ ଆସିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ରିପୋର୍ଟ ତଲବ କରାଯାଇଛି । ମନ୍ତ୍ରାଳୟ ରାଜସ୍ଥାନର ମୁଖ୍ୟ ସଚିବଙ୍କୁ ଏହି ରିପୋର୍ଟ ତଲବ କରିଛନ୍ତି । ଗୋଟିଏ ପଟେ ରାଜସ୍ଥାନ ସରକାର ଫୋନ ଟ୍ୟାପିଂ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛି । ଅନ୍ୟପକ୍ଷରେ ବିଜେପି ଏନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି । ସେପଟେ ଏହି ମାମଲାରେ ରାଜସ୍ଥାନର ସ୍ପେଶାଲ ଅପରେଶନ ଗ୍ରୁପ କେତେ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ବିଜେପି ଘୋଡା ବେପାର କରୁଥିବା ନେଇ ରଜସ୍ଥାନ କଂଗ୍ରେସ ଅଭିଯୋଗ କରିଛି । ଏଥିରେ ବିଜେପିର ବରିଷ୍ଠ ନେତା ସାମିଲ ଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଅଡିଓ ଟେପ ମଧ୍ୟ ଜାରି କରାଯାଇଛି । ସେପଟେ ସରକାର ରକ୍ଷା କରିବା ପାଇଁ କଂଗ୍ରେସ ବେଆଇନ ଭାବରେ ଫୋନ ଟ୍ୟାପିଂ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିପାଇଁ ବିଜେପି କଂଗ୍ରେସ ବିରୋଧରେ ସିବିଆଇ ତଦନ୍ତ ଦାବି କରିଛି ।