ନୂଆଦିଲ୍ଲୀ: ରାଷ୍ଟ୍ରପତି ଏବଂ ସଂସଦ ଭବନ ପରିସରରେ ଉଡିଲା ଡ୍ରୋନ । ଦେଶର ସବୁଠୁ ବଡ ଭିଭିଆଇପି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯାହା ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ 2 ଜଣ ଆମେରିକୀୟ ନାଗରିକ ଏହି ଡ୍ରୋନ ଉଡାଉଥିବା ତଦନ୍ତରୁ ଜଣାପଡିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏକ ସନ୍ଦିଗ୍ଧ ବସ୍ତୁ ରାଷ୍ଟ୍ରପତି ଭବନ ପରିସରରେ ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ସନ୍ଦିଗ୍ଧ ବସ୍ତୁ ନିକଟକୁ ଯାଇଥିଲେ । ତେବେ ଆମେରିକାର ବାପା-ପୁଅ ଏହି ଡ୍ରୋନ ଉଡାଉଥିବା ସେମାନେ ଦେଖିବାକୁ ପାଇଥିଲେ । ଏହାପରେ ରାଷ୍ଟ୍ରପତି ଭବନ ପରିସରରେ ଉଡୁଥିବା ଏହି ଡ୍ରୋନକୁ ତଳକୁ ଖସାଗଲା ଏବଂ ଉଭୟ ବାପା-ପୁଅଙ୍କୁ ଗିରଫ କରାଗଲା ।
ତେବେ ଏହି ବାପା-ପୁଅ ଟୁରିଷ୍ଟ ଭିସାରେ ଭାରତ ଆସିଥିବା ତଦନ୍ତ ବେଳେ ଜଣାପଡିଛି । ଏମାନେ ଆମେରିକାର ଏକ କମ୍ପାନୀ ପାଇଁ ଭାରତର ବିଭିନ୍ନ ସ୍ଥାନର ଭିଡିଓ ରେକର୍ଡ କରୁଥିଲେ । ସେପଟେ ଭାରତରେ ଥିବା ଆମେରିକା ଦୂତାବାସଙ୍କୁ ସେମାନଙ୍କ ଗିରଫର ଖବର ଦିଆଯାଇଥିବା ପୋଲିସ କହିଛି ।