ସଂସଦରେ ନୂଆ ନାଗରିକତ୍ଵ ଆଇନ ( ସିଏଏ) ପାରିତ ହେବା ପରେ ଦେଶ ସାରା ଅନେକ ହିଂସା, ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହାଦ୍ଵାରା ଉଭୟ ସାମାଜିକ ଓ ଅର୍ଥନୀତିକ ଦୃଷ୍ଟିକୋଣରୁ ଭାରତ ବର୍ଷର ଅନେକ କ୍ଷତି ହୋଇଛି। ରାଜପଥରେ ଛାତ୍ରମାନଙ୍କ ଆନ୍ଦୋଳନ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଛି। ସମ୍ବିଧାନର ମୁଖବନ୍ଧକୁ ମୁସଲମାନ ମହିଳାମାନେ ପାଠ କରିବା, ଗାନ୍ଧି ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଧରି ବୁଲିବା, ଗଣତନ୍ତ୍ର ବିଷୟ ଉଲ୍ଲେଖ କରି ପ୍ଲାକାର୍ଡ ପ୍ରଦାଁନ କରିବା ଆଦି ଅନେକ ପ୍ରତୀକ ବିରୋଧ ପ୍ରଦର୍ଶନ ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଦେଶ ସାରା ପ୍ରତିବାଦ, ଦିଲ୍ଲୀ ଦଙ୍ଗା ପ୍ରଭୃତି ବିଷୟତ ବିଶ୍ଵସ୍ତରରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ଏହାଦ୍ଵାରା ବିଶ୍ଵ ଦର୍ପଣରେ ଯେଉଁ ଐତିହାସିକ ପ୍ରତିବିମ୍ବ ସୃଷ୍ଟି ହୋଇଥିଲା ତାହା ଉପରେ ଆଞ୍ଚ୍ ଆସିଛି। ଅମର ପୁରୁଣା ଐତିହ୍ୟ ଓ ପରମ୍ପରା ଏହାଦ୍ଵାରା ପ୍ରଭାବିତ ହୋଇଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ଯେଉଁପରି ଭାବେ ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ଜଳୁଥିଲା ତାହାକୁ ପ୍ରତିଷ୍ଠିତ ମିଡିଆ ସବୁ ବିଶେଷ ଭାବେ ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ସ୍ଵାଗତ କରାଯାଉଥିବା ବେଳେ ଭାରତର ରାଜଧାନୀରେ ଘଟୁଥିବା ଏପରି ଦୁର୍ଘଟଣା ଏବଂ ତାହାର ବିବରଣୀ ନିଶ୍ଚିତଭାବେ ଆନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ପ୍ରତିଛବିକୁ ପ୍ରଭାବିତ କରିଛି। ଏ ବିଷୟକୁ ଭିତ୍ତି କରି ଜାତିସଂଘରେ ମଧ୍ୟ ବାରମ୍ବାର ରୁଦ୍ଧଦ୍ଵାର ବୈଠକ ହୋଇଛି। ମାଲେସିଆ, କାନାଡ଼ା, ତର୍କୀ ଏବଂ ଇରାନ୍ ପରି ଦେଶର ସରକାରୀ ପ୍ରତିନିଧି ଭିନ୍ନ ଭିନ୍ନ ସମୟରେ ଏକାଠି ହୋଇ ଆଲୋଚନା କରିଛନ୍ତି। ଅବଶ୍ୟ ଅନେକ ଦେଶ ଏହି ଘଟଣାକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପରର କହି ନିଜକୁ ଦୂରେଇ ରଖିଛନ୍ତି କିନ୍ତୁ ତାହାଯେ, ଭାରତର ଭାବମୂର୍ତ୍ତିକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଭାବିତ କରିଛି, ଏହାକୁ ଅସ୍ଵୀକାର କରିହେବ ନାହିଁ। ବିଭିନ୍ନ ପ୍ରତିଷ୍ଠିତ ତଥା ପ୍ରଭାବଶାଳୀ ଗଣମାଧ୍ୟମରେ ସମ୍ପାଦକୀୟ ଏବଂ ଓପେଡ୍ ନିବନ୍ଧମାନ ପ୍ରକାଶ କରାଯାଇ ଏହି ନୀତିକୁ ମୁସଲ୍ମାନ ବିରୋଧୀ ବୋଲି ଉଲ୍ଲେଖ କରାଯାଇଛି। ବିଶ୍ଵର ଏକ ପ୍ରତିଷ୍ଠିତ ବ୍ୟବସାୟିକ ମାଗାଜିନ୍ ଭାବେ ପରିଚିତ ‘ଦି ଇକୋନୋମିଷ୍ଟ’ ସିଧାସଳଖ ଭାବେ ସରକାରଙ୍କୁ ଏ ବିଷୟରେ ସମାଲୋଚନା କରିଛି। ଦୁର୍ବଳ ଆର୍ଥିକ ସ୍ଥିତିକୁ ସଜାଡ଼ିବାରେ ଅସମର୍ଥ ହେଉଥିବା ସରକାର ଭାରତରେ ନିଜ ନାଗରିକଙ୍କୁ ମଧ୍ୟ ସୁରକ୍ଷା ଦେଇପାରୁ ନାହିଁ ବୋଲି ଏହା ଉଲ୍ଲେଖ କରିଥିଲା। ଦିଲ୍ଲୀ ଦଙ୍ଗା ପରେ ଏ ସମ୍ବନ୍ଧୀୟ ସମ୍ପାଦକୀୟ ପ୍ରକାଶ ପାଇଥିଲା। ଏଭଳି ଏକ ସ୍ଥିତିରେ କିଏ ଭାରତରେ ନିବେଶ କରିବ ବୋଲି ପ୍ରଶ୍ନ ପଚାରିଥିଲା ଏହି ମ୍ୟାଗାଜିନ୍।
ଏହିଭଳି ପରିସ୍ଥିତିରେ ଯେକେହି ଏହା ମାନିବାକୁ ବାଧ୍ୟ ହବେ ଯେ ସିଏଏ ଦ୍ଵାରା ଭାରତର ପ୍ରତିଛବି ନକାରାତ୍ମକ ଭାବେ ଆନ୍ତର୍ଜାତୀୟ ଦରବାରରେ ପ୍ରଭାବିତ ହୋଇଛି। ଏହାଦ୍ଵାରା ଭାରତର ପ୍ରଧାନମନ୍ତ୍ରୀ ଗଲା ୫ ବର୍ଷ ହେଲା ଯେଉଁ ବୈଦେଶିକ ସମ୍ପର୍କ ରକ୍ଷା ପାଇଁ ଉଦ୍ୟମ କରିଥିଲେ ତାହା ଉପରେ ପାଣି ପକାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ଵାରା ଭାରତର ପ୍ରତିଛବି ବଢ଼ିଥିଲା, ଏବେ ତାହା ପ୍ରଭାବିତ ହୋଇଛି। ପ୍ରଶ୍ନ ଉଠୁଛି ଏସବୁ ବିଷୟକୁ ସରକାର କାହିଁକି ଦେଖିପାରୁ ନାହାନ୍ତି? କାହାକୁ ସରକାର ନାଗରିକତ୍ଵ ପ୍ରଦାନ କରିବାକୁ ଯାଉଛନ୍ତି, ବିଦେଶୀଙ୍କୁ? ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିଛବି ଏବଂ ଆଭ୍ୟନ୍ତରୀଣ ଶାନ୍ତିକୁ ବ୍ୟାହତ କରି ଏହିପରି ଏକ ଆଇନ କତେ ଜରୁରୀ?
ବିଶେଷତ୍ଵ ହେଉଛି, ଏହି ନୂଆ ଆଇନ ଦ୍ଵାରା ଭାରତ ସରକାର ୩ ପଡ଼ୋଶୀ ଦେଶ ଯେମିତି ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରେ ନିର୍ଯାତିତ ଅଣ ମୁସଲ୍ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବେ। ଏହା ପୂର୍ବରୁ ସରକାର ଆସାମରେ ଜାତୀୟ ନାଗରିକତ୍ଵ ପଞ୍ଜିକା ଲାଗୁ କରି ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ପ୍ରାୟ ୧୯ ଲକ୍ଷ ବ୍ୟକ୍ତି ଭାରତର ନାଗରିକ ନହୋଇ ମଧ୍ୟ ଏଠାରେ ବର୍ଷ ବର୍ଷ କାଳ ରହି ଆସୁଛନ୍ତି। ଏହି ବିଶାଳ ସଂଖ୍ୟାର ଲୋକଙ୍କୁ ଶରଣାର୍ଥୀ ଶିବିରକୁ ନେବା କଷ୍ଟକର ଥିଲା। ଏହି ଅବସ୍ଥା ଦେଖି ଅନେକ ଭାରତୀୟ ନାଗରିକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥିଲା ଯେ, ତାଙ୍କର ନାଗରିକତ୍ଵ ପ୍ରଶ୍ନବାଚୀ ଭିତରକୁ ଆସିବ ନାହିଁ ତ! ପୁଣି ଆଗ ସିଏଏ ଏହା ପରେ ଏନପିଆର୍ ଏବଂ ତତ୍ପରେ ଏନ୍ଆର୍ସି ମାଧ୍ୟମରେ ଦେଶରେ ରହୁଥିବା ଅଣ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ବହିଷ୍କୃତ କରାଯିବ ବୋଲି ବିଜେପି କାର୍ଯ୍ୟକର୍ତ୍ତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ଵାରା ହୋଇଥିବା ପ୍ରଚାର ଫଳରେ ଲୋକଙ୍କ ମନରେ ଛନକା ପଶିଛି। ଏ ଭିତରେ ଅବଶ୍ୟ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆଶ୍ଵସ୍ତି ଦେଇ କହିଛନ୍ତି ଯେ, ଏନ୍ଆର୍ସି ଲାଗୁ ହେବା ବିଷୟ ଯୋଜନା କରାଯାଇ ନାହିଁ। କିନ୍ତୁ ଏହା ଲୋକମାନଙ୍କ ଭିତରେ ଆଶ୍ଵସ୍ତି ସଷ୍ଟି କରିପାରୁ ନାହିଁ। ଏହାର କାରଣ ହେଉଛି ସରକାର ଏବଂ ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ଅନାସ୍ଥା ଓ ଅବିଶ୍ଵାସର ବାତାବରଣ। ବିଭିନ୍ନ ସ୍ଥାନରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ଵାରା ଘୃଣା ବାର୍ତ୍ତା ପ୍ରସାର, ଭିଡ଼ ହିଂସା, ଗୋ ରକ୍ଷକ ନାଁରେ ହିଂସା ପ୍ରଭୃତି ଲୋକଙ୍କୁ ଆତଙ୍କିତ କରିଛି। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଏକ ହିଂସା, ଅବିଶ୍ଵାସ ପରିବେଶରେ ସିଏଏ ବିରୋଧରେ ଶାନ୍ତିପୂଣ୍ଣ ବିରୋଧ କରିବା ପାଇଁ ଲୋକେ ଆଗଭର ହୋଇଛନ୍ତି। ଏହା ଏକ ବିଭେଦ ସୃଷ୍ଟି କରୁଥିବା ବିଧେୟକ ଏବଂ ଅନ୍ୟାୟ ବିରୋଧରେ ଶାନ୍ତିପୂଣ୍ଣ ପ୍ରତିବାଦ ବୋଲି ସେମାନେ ଜଣାଇବାକୁ ଚାହିଁଛନ୍ତି। ନୂଆ ନାଗରିକତ୍ଵ ଆଇନରେ ଥିବା ଅନେକ ଅସଙ୍ଗତି ରହିଛି। ପ୍ରଥମତଃ ଯଦିଓ ଅନ୍ୟ ଦେଶରେ ନିର୍ଯାତିତ ହୋଇଥିବା କୌଣସି ନାଗରିକଙ୍କୁ ଭାରତରେ ଶରଣ ଦିଆଯିବା ଏବଂ ତାଙ୍କୁ ନାଗରିକତ୍ଵ ପ୍ରଦାନ କରାଯିବା ଏକ ମହତ୍ କାର୍ଯ୍ୟ ଏବଂ ଏହାକୁ କେହି ବିରୋଧ କରିପାରିବେ ନାହିଁ; କିନ୍ତୁ ଯେତେବେଳେ ସେହି ନିର୍ଯାତିତ ଲୋକଙ୍କୁ ଧର୍ମ ଆଧାରରେ ବଛାଯିବା ବା ଅଲଗା କରାଯିବା ପ୍ରକ୍ରିୟା ଚାଲିବ ତାହା ଧର୍ମ ନାଁରେ ବିଭେଦ ସୃଷ୍ଟି କରିବା ଭଳି ହେବ। ଏହା ସମ୍ବିଧାନ ବିରୋଧୀ। କୌଣସି ସାମ୍ବିଧାନିକ ବ୍ୟବସ୍ଥା ଧର୍ମ ଆଧାରରେ ଲୋକଙ୍କୁ ଅଧିକାରରୁ ବଞ୍ଚିତ କରିବା ଅଧିକାର ରାଷ୍ଟ୍ରକୁ ଦେଇ ନାହିଁ।
ଦୁର୍ଭାଗ୍ୟର ବିଷୟ ଏହା ଯେ, ଆମର ଅଧିକାଂଶ ପଡ଼ୋଶୀ ରାଷ୍ଟ୍ର ଧର୍ମ ଉପରେ ବିଶ୍ଵାସ କରି ଶାସିତ ହେଉଥିବା ରାଷ୍ଟ୍ର। ସେହି ରାଷ୍ଟ୍ରଗୂଡ଼ିକରେ ଶାସନ ତନ୍ତ୍ର ପାଇଁ ଧର୍ମକୁ ବ୍ୟବହାର କରାଯାଏ। ଯାହାଦ୍ଵାରା ଅନେକ ଲୋକଙ୍କୁ ଜବରଦସ୍ତି ଦମନ କରାଯାଏ। ଆପଣ ପଡ଼ୋଶୀ ମୁସଲ୍ମାନ ଦେଶଗୁଡ଼ିକରେ ସଂଖ୍ୟାଲଘୁ ମୁସଲ୍ମାନ ଯେମିତି ସିଆ, ଅଥବା ଅହମ୍ମଦୀୟ ବା ହାଜାରାଙ୍କ କଥା ଛାଡ଼ନ୍ତୁ, ସେଠାରେ ଯେଉଁ ସମ୍ପ୍ରଦାୟ ବିଶେଷ ନିର୍ଯାତନାର ଶିକାର ହୋଇଥାଏ ସେମାନେ ହେଲେ ସୁନି ସମ୍ପ୍ରଦାୟ। ଉଦାହରଣ ଭାବେ ଆମ ପଡ଼ୋଶୀ ପାକିସ୍ତାନକୁ ନିଆଯାଇପାରେ। ଯେଉଁ ଭଳି ଭାବେ କଠୋର ନିନ୍ଦିତ ଆଇନକୁ ଲାଗୁ କରାଗଲା, ତାହା ସମୀକ୍ଷକ, ମାନବିକ ଅଧିକାର କର୍ମୀ ଏବଂ ଧର୍ମ ନିରପେକ୍ଷ ସାମାଜିକ କର୍ମୀଙ୍କୁ ହତ୍ୟା କରି ନୀରବ କରିବା ଲାଗି ଉଦ୍ଦିଷ୍ଟ ଥିଲା। ଏପରିକି ସେମାନଙ୍କୁ ଏହି ଆଇନ ଦ୍ଵାରା ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲ। ଏହି ପ୍ରକାର ଅତ୍ୟାଚାର ଭୟରେ ଅନେକ ଦେଶ ଛାଡ଼ି ବିଦେଶରେ ନିଜର ଆସ୍ଥାନ ଖୋଜିଲେ, ସେଠାରେ ମୁଣ୍ଡ ଗୁଞ୍ଜି ରହିବାକୁ ବାଧ୍ୟ ହେଲେ। ଆଉ ଏକ ଉଦାହରଣ ଅନ୍ୟ ଏକ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ ବାବଦରେ ଦିଆଯାଇପାରେ। ଏଠାରେ ଯେଉଁ ପ୍ରକାରେ ଧର୍ମ ନିରପେକ୍ଷ ଲେଖକ ତଥା ରାଜନୀତିକ ଇସ୍ଲାମ୍ ବିରୋଧରେ ଲେଖୁଥିବା ଲୋକଙ୍କୁ ହତ୍ୟା କରାଗଲା ତାହା ସମଗ୍ର ବିଶ୍ଵରେ କାହାକୁ ଅଛୁପା ହୋଇ ନାହିଁ। କିନ୍ତୁ ଏହି ସମ୍ପ୍ରଦାୟ ତଥା ନିର୍ଯାତିତ ମୁସଲ୍ମାନମାନେ ଭାରତରେ ନାଗରିକତ୍ଵ ପାଇବାକୁ ଯୋଗ୍ୟ ହେଉ ନାହାନ୍ତି। କାରଣ ସେମାନେ ମୁସଲ୍ମାନ।
ନୂଆ ନାଗରିକତ୍ଵ ଆଇନରେ ଆଉ ଏକ ଅସଙ୍ଗତି ହେଉଛି ଏହି ଆଇନରେ କେବଳ ତିନୋଟି ରାଷ୍ଟ୍ରର ନିର୍ଯାତିତ ଅଣ ହିନ୍ଦୁଙ୍କୁ ସାମିଲ୍ କରାଯାଇଛି। କିନ୍ତୁ ଶ୍ରୀଲଙ୍କାକୁ ସରକାର ବାଦ୍ ଦେଇଛନ୍ତି। ଏହି ରାଷ୍ଟ୍ରରେ ତାମିଲ୍ମାନେ ବିଗତ ଦିନଗୁଡ଼ିକରେ ଅନେକ ନିର୍ଯାତନା ସହ୍ୟ କରିଛନ୍ତି, ଯାହା ଏବେିବି ଜାରି ରହିଛି। ଏଲ୍ଟିଟିଇ ଏବଂ ସାମରିକ ବାହିନୀ ଭିତରେ ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ହଜାର ହଜାର ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ତାମିଲ୍ ଭାଷାଭାଷୀଙ୍କୁ ହତ୍ୟା କରାଯାଇଥିଲା। ଏଣୁ ସରକାର ଏହା ମାନିବାକୁ ବାଧ୍ୟ ଯେ, ଏହି ଆଇନ ଉଗ୍ର ହିନ୍ଦୁ ଜାତୀୟତାବାଦରୁ ନିର୍ଗତ ଏକ ବ୍ୟବସ୍ଥା। ଏଣୁ ପ୍ରଧାନମନ୍ତ୍ରୀ ଏହି ବିରୋଧ ଏବଂ ଚର୍ଚାରୁ ଉର୍ଦ୍ଧ୍ବକୁ ଉଠି ଏହି ଆଇନରେ ଥିବା ଅସଙ୍ଗତିକୁ ଦୂର କରିବା ଦରକାର। ପଡ଼ୋଶୀ ଦେଶଗୁଡ଼ିକରେ ନିର୍ଯାତିତ ହେଉଥିବା ସମସ୍ତ ଧର୍ମର ନାଗରିକଙ୍କୁ ଭାରତ ଉନ୍ମୁକ୍ତ ହେବା ଆବଶ୍ୟକ। ସମସ୍ତଙ୍କ ବିଶ୍ଵାସ ଜିତିବାକୁ ହଲେ ଏହିଭଳି ବାଛ ବିଚାରକୁ ପ୍ରଧାନମନ୍ତ୍ରୀ ପରିହାର କରିବା ଜରୁରୀ।
ଶେଷରେ କିନ୍ତୁ ସବୁଠାରୁ ଗୁରୁତ୍ଵପୂଣ୍ଣ ବିଷୟ ହେଉଛି ସରକାର କାହିଁକି ବିଦେଶୀଙ୍କୁ ଭାରତର ନାଗରିକତ୍ଵ ଦେବା ଲାଗି ଏକ ଉତ୍ସୁକ? ଯେତେବଳେ ନିଜ ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ସରକାର ପୂରଣ କରିପାରୁ ନାହାନ୍ତି ସେତେବଳେ ଅନ୍ୟ ଦେଶର ନାଗରିକଙ୍କୁ କାହିଁକି ଏତେ ପ୍ରୋତ୍ସାହନ? ଏହା ନିର୍ବାଚନ ଭିତ୍ତିକ ଫାଇଦା ପାଇଁ ଉଦ୍ଦିଷ୍ଟ ବୋଲି ଯେଉଁ ଚର୍ଚା ଚାଲିଛି ତାହାକୁ ସ୍ପଷ୍ଟ କରୁଛି। ଯେହେତୁ ସରକାର ନିକଟରେ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଏହି ନୀତି ତାଙ୍କୁ ଭୋଟ୍ ଅର୍ଜନ କରିବାରେ ସହାୟକ ହୋଇପାରେ। ଏହିଭଳି ନିରର୍ଥକ ଆଇନ ପଛରେ ନ ପଡ଼ି ସରକାର ଦେଶର ଅର୍ଥନୀତିକ କ୍ଷେତ୍ରରେ ସୁଧାର ଆଣିବାକୁ ଚିନ୍ତିତ ହେବା ଦରକାର। ଦେଶରେ ଏବେ ବେକାରୀ ଏକ ପ୍ରମୁଖ ସମସ୍ୟା ଭାବେ ଠିଆ ହୋଇଛି ତାହାକୁ ସରକାର ଧ୍ୟାନ ଦେବା ଦରକାର। ବୋଧ ହୁଏ ଏବେ ଭାରତ ସବୁଠାରୁ ଖରାପ ଅର୍ଥନୀତିକ ମାନ୍ଦାବସ୍ଥା ଦେଖୁଛି। ଗଲା ଚାଳିଶି ବର୍ଷରେ ଏହା ସବୁଠାରୁ ବଡ଼ ମାନ୍ଦାବସ୍ଥା ଭାବେ ଗ୍ରହଣ କରାଯାଉଛି। ଏଭଳି ମୁହୂର୍ତ୍ତରେ ନିର୍ମାଣ କ୍ଷେତ୍ରର ନିମ୍ନଗତି ହେଉଛି, ଫଳରେ ଦେଶରେ ବେକାରୀ- ନିଯୁକ୍ତି ତାରତମ୍ୟ ବଢ଼ୁଛି। ସେହିପରି ଦେଶର ଚାଷୀ ଚିନ୍ତାରେ। କୃଷି ପାଇଁ ଆବଶ୍ୟକ ବିହନ, ସାର ଖର୍ଚ ହୁ ହୁ ହୋଇ ବଢ଼ୁଛି। ଜଳବାୟୁ ପରିବର୍ତ୍ତନର ମାଡ଼ କୃଷକ ଭୋଗୁଛି। ଆମେ ଯୁବାବର୍ଗଙ୍କ ପାଇଁ ଅଧିକରୁ ଅଧିକ ଶିକ୍ଷା କେନ୍ଦ୍ର ତଥା ଧନ୍ଦାମୂଳକ କେନ୍ଦ୍ର ଆବଶ୍ୟକ କରୁଛୁ। ଯେଉଁ ସରକାର ଦେଶର ନାଗରିକଙ୍କୁ ବିକାଶର ପ୍ରତିଶୃତି ଦେଶ ଶାସନଗାଦିକୁ ଫେରିଛି ସେ ସରକାର ଏପରି ଏକ ଅନାବଶ୍ୟକ ଆଇନ ପଛରେ ପଡ଼ିବା ଅନୁଚିତ।
ଏ ସରକାର ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ପୁଞ୍ଜି ଆକର୍ଷଣର ସ୍ଵପ୍ନ ଦେଶବାସୀଙ୍କୁ ଦେଖାଇଥିଲା, ଏବେ ତାହା ହୋଇ ପାରୁ ନାହିଁ। ଦେଶରେ ସାମାଜିକ ବନ୍ଧନ ପ୍ରଭାବିତ ହୋଇଛି। ବିଦେଶୀ ପୁଞ୍ଜି ଆକର୍ଷିତ ହୋଇପାରୁ ନାହିଁ। ଦେଶର ସମ୍ବିଧାନ ଲୋକଙ୍କୁ ନ୍ୟାୟ. ସମାନତାର ଅଧିକାର ଏବଂ ଅଣ ବିଭେଦ ପ୍ରଦାନ ପାଇଁ ଉଦ୍ଦିଷ୍ଟ। ଏଣୁ ସମ୍ବିଧାନର ଏହି ପ୍ରତିଶୃତିକୁ ନିଶ୍ଚିତ କରିବା ଲାଗି ଏକ ସରକାର କାର୍ଯ୍ୟ କରିବା ନିହାତି ଦରକାର। ଏଣୁ ସରକାର ନୂଆ ନାଗରିକତ୍ଵ ଆଇନ ସମ୍ବନ୍ଧରେ ଆଉ ଥରେ ସମୀକ୍ଷା କରିବା ଜରୁରୀ। ଏହାଦ୍ଵାରା ଦେଶରେ ବହୁ ଭାଷୀ, ବହୁପନ୍ଥୀ ଗଣତନ୍ତ୍ରର ବିକାଶ ହେବ। ଅପରପକ୍ଷେ ଏଥିରେ ସରକାର ବିଫଳ ହଲେ ଭାରତର ପ୍ରତିଶବି ବିଶ୍ଵ ଦରବାରରେ ପ୍ରଭାବିତ ହେବ। ଯେଉଁ ଘା’ ଆନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସୃଷ୍ଟି ହେବ ତାହା ଅପୂରଣୀୟ ହୋଇ ରହିବ।
ଜାଇକା ସୋମାନ୍