ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୦ରୁ ଏହା ସ୍ପଷ୍ଟ ଯେ ମୋଦି ସରକାର ଭିତ୍ତିଭୂମିକୁ ଗୁରୁତ୍ବ ଦେଉଛନ୍ତି । ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ଉପରେ ଏହା ଅନୁକୂଳ ପ୍ରଭାବ ପକାଇବ । ନିର୍ଦ୍ଦିଷ୍ଟ ଭାବେ ଗ୍ରାମାଞ୍ଚଳ ଅର୍ଥନୀତି ପାଇଁ ଏହା ଅଧିକ ସହାୟକ ହେବ । ୨୦୧୪ରେ ଶାସନକୁ ଆସିଥିବା ମୋଦି ସରକାର ରୁଗ୍ଣ ଅବସ୍ଥାରେ ଥିବା ଭିତ୍ତିଭୂମି କ୍ଷେତ୍ରକୁ ସଜାଡ଼ି ଅଦ୍ଭୂତପୂର୍ବ ସଫଳତା ଆଣିଛନ୍ତି ।
ଭାରତମାଳା କିମ୍ବା ସାଗରମାଳା ଭଳି ବୃହତ୍ତ ଯୋଜନା ଘୋଷଣା ବ୍ୟତିରକେ, ପରିବହନ କ୍ଷେତ୍ରରେ ଅନେକ କାର୍ଯ୍ୟ ନିରବ ଭାବେ କରାଯାଇଛି । ରେଳବାଇ କ୍ଷେତ୍ରରେ ଏହା ସ୍ପଷ୍ଟ ପ୍ରତୀୟମାନ । ଚିରାଚରିତ ଭାବେ ଯାତ୍ରୀବାହୀ ଟ୍ରେନ୍ ଘୋଷଣା କରାନଯାଇ ମାଲବାହୀ ଟ୍ରେନ୍ ଚଳାଚଳ ପଥରେ ଥିବା ଜାମ୍ ଟ୍ରାକ୍, ବିଦ୍ୟୁତିକରଣ ଆଦି କ୍ଷେତ୍ରର ଉନ୍ନତିକରଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି ।
ଏସି-୩ ଯାତ୍ରୀ ପରିବହନ ରେଳବାଇ ପାଇଁ ଲାଭଜନକ ନୁହେଁ । ବରଂ ଉଚ୍ଚ ଟିକସ ଦେଉଥିବା ମାଲଗାଡ଼ିର ଟ୍ରାକ୍ କ୍ଷମତାକୁ ଏହା ଦଖଲ କରିଥାଏ । ଯାତ୍ରୀବାହୀ ଟ୍ରେନ୍(୧୫୦)ର ଘରୋଇ ଚଳାଚଳ ଜରିଆରେ ରେଳବାଇ ଏହାର ଡିଜାଇନ୍ ବଦଳାଇବାକୁ ଉଦ୍ୟମ କରୁଛି । ସେଥିପାଇଁ ଫ୍ରେଟ୍ କରିଡ଼ର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଦି ଆରମ୍ଭ କରାଯାଇଛି । ଏହି କାର୍ଯ୍ୟ ଆଗକୁ ନେବା ପାଇଁ ଅର୍ଥମନ୍ତ୍ରୀ ଲଜିଷ୍ଟିକ୍ ପଲିସି(ନୀତି) ଘୋଷଣା କରିଛନ୍ତି । ଯାହା ସଙ୍ଗୀନ ସ୍ଥିତିରେ ଥିବା ରେଳବାଇ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ଆଗମନର ବାଟ ଖୋଲିପାରେ ।
ବଜେଟରେ “କିଶାନ ରେଳ”, କୃଷି ଉଡ଼ାନ୍(ବିମାନରେ କୃଷି ସାମଗ୍ରୀ ପରିବହନ), ଗ୍ରାମ୍ୟ ସୋସାଇଟି ଗୁଡ଼ିକରେ ଖାଦ୍ୟ ଭଣ୍ଡାର, ଭଣ୍ଡାର ଘର ସ୍ଥାପନ ପାଇଁ ଘରୋଇ ଉଦ୍ୟୋଗକୁ ଭୌଗୋଳିକ ଟ୍ୟାଗିଂର ଜାଗା ଉପଲବ୍ଧ ଆଦି ଘୋଷଣା ଜରିଆରେ ଏହାର ଛାପ ଛାଡ଼ିଛନ୍ତି ଅର୍ଥମନ୍ତ୍ରୀ ।
ବଜେଟରେ ଅର୍ଥମନ୍ତ୍ରୀ ଦେଇଥିବା ସମସ୍ତ ପ୍ରତିଶ୍ରୁତି କାର୍ଯ୍ୟକାରିତା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ତେବେ କୃଷକମାନଙ୍କ କମ ଉତ୍ପାଦ ପାଇଁ ସବୁବେଳେ ଦାୟୀ କରାଯାଉଥିବା ‘ଆଗ୍ରି ଲଜିଷ୍ଟିକସ୍’ ଏଥର ନୂଆ ଦିଶା ନେବ ବୋଲି ଆଶା କରାଯାଉଛି। ଫଳପ୍ରଦ ଆନୁସଙ୍ଗିକ(ଲଜିଷ୍ଟିକସ୍) ନିର୍ମାଣ କାର୍ଯ୍ୟ ସେତେ ସହଜ ନୁହେଁ । ତେଣୁ ଏହି ଯୋଜନାର ସଫଳ ରୂପାୟନ ପାଇବାକୁ କିଛି ସମୟ ଲାଗିପାରେ । ତେବେ ଏହା କାର୍ଯ୍ୟକାରୀ ହେଲେ କୃଷି ଅର୍ଥନୀତିର ଦିଗ ବଦଳାଇବ। ବଜାର ସୁବିଧା ଉପଲବ୍ଧ ହେଲେ ଚାଷୀମାନେ ଅଧିକ ଉତ୍ପାଦନକୁ ଆଖିରେ ରଖି ସେମାନଙ୍କ ଚାଷର ତରିକା ଏବଂ ଶସ୍ୟ ବ୍ୟବହାରରେ ପରିବର୍ତ୍ତନ ପାଇଁ ଅଧିକ ଉତ୍ସାହିତ ହେବେ । ଗ୍ରାମାଞ୍ଚଳ ନିଯୁକ୍ତି ଉପରେ ଏହାର ପ୍ରଭାବ ଅନୁଭୂତ ହେବ ।
ଜାତୀୟ ଗ୍ୟାସ୍ ଗ୍ରୀଡ୍ ନିର୍ମାଣ କାର୍ଯ୍ୟ ଶେଷରେ ଆରମ୍ଭ ହୋଇଛି । ଭବିଷ୍ୟତରେ ଏହା ଦ୍ବାରା ଦେଶରେ ଡାଉନ ଷ୍ଟ୍ରିମ୍ ଶିଳ୍ପାୟନ ସୁଯୋଗ ବୃଦ୍ଧି ପାଇବ । ଦେଶରେ ଥିବା ୧୨ଟି ସରକାରୀ ପରିଚାଳିତ ପ୍ରମୁଖ ବନ୍ଦରର ଦକ୍ଷତା ବୃଦ୍ଧି ସରକାରଙ୍କ ପୁରୁଣା ଏଜେଣ୍ଡା ହୋଇରହିଛି । କୋଲକାତା ବନ୍ଦରର ନିମ୍ନମାନର ଅପରେସନାଲ୍ ଦକ୍ଷତା ଏବଂ ଅତ୍ୟଧିକ ଖର୍ଚ୍ଚ ପୂର୍ବ ଭାରତ ଏବଂ ପଡ଼ୋଶୀ ନେପାଳ ଓ ଭୁଟାନର ଅର୍ଥନୀତିକୁ ପଛକୁ ଟାଣି ଧରିଛି । ଚଳିତ ବଜେଟ୍ ରେ ଅନ୍ତତଃ ଗୋଟିଏ ପ୍ରମୁଖ ବନ୍ଦରକୁ କର୍ପୋରେଟ୍ ଢାଞ୍ଚା ଦେବା ପାଇଁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଏକ ଗୁରୁତ୍ବପୂର୍ଣ୍ଣ ଦିଗର ସମାଧାନରେ ସାହାସ ଜୁଟାଇଛନ୍ତି । ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ବିରୋଧ ପରିପ୍ରେକ୍ଷୀରେ ଏହା କିଭଳି ଆଗକୁ ଯିବ ତାହା ଦେଖିବାର କଥା ।
ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ସଂସ୍କାର ଏଜେଣ୍ଡାକୁ ଧରି ମୋଦି ସରକାର ଆଗକୁ ନେବାକୁ ଗତ ପାଳିରେ କାର୍ଯ୍ୟ ଆରମ୍ଭ କରିଥିଲେ । ଦ୍ବିତୀୟ ପାଳି କ୍ଷମତାକୁ ଆସିବା ପରେ ମୋଦି ସରକାର ଏଥିରେ କଠୋର ଆଭିମୁଖ୍ୟ ସହ ଆଗକୁ ବଢୁଛନ୍ତି । ଉତ୍ପାଦନ କ୍ଷେତ୍ରରୁ ଫଳ ଆଶାନୁରୂପ ନ ହେବାର କାରଣ ହେଉଛି ରାଜ୍ୟ ସରକାରମାନଙ୍କ ଦ୍ବାରା ପରିଚାଳିତ ଦେଶର ଡିଷ୍ଟ୍ରିବ୍ୟୁସନ୍ ୟୁଟିଲିଟିଜ୍( ଡିସକମ୍) । ବିଗତ ଦଶନ୍ଧିରେ ଏହି କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ସୁଅ ଛୁଟି ବ୍ୟାଙ୍କିଂ କ୍ଷେତ୍ରର ଦୁର୍ଦ୍ଦଶା ଦିନକୁ ହଟାଇ ଦେଇଥିଲା ।
ଘରୋଇ ଉଦ୍ୟୋଗ ପାଇଁ ଅଧିକରୁ ଅଧିକ କ୍ଷେତ୍ର ଉନ୍ମୁକ୍ତ ରଖିବାକୁ ସରକାର ଏବେ ପଲିସି ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଖୋଲା ଆମନ୍ତ୍ରଣ, ପ୍ରିପେଡ୍ ସ୍ମାର୍ଟ ମିଟର ପ୍ରବର୍ତ୍ତନର ବ୍ୟବସ୍ଥା କରାଯାଉଛି । ବଜେଟ୍ ୨୦୨୦ରେ ଏହି କାର୍ଯ୍ୟ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ପରିତାପର ବିଷୟ ହେଲା, ସମାନ ବିଜୁଳି ଉତ୍ପାଦନ ପାଇଁ କମ୍ କୋଇଲା ବ୍ୟବହାର କରୁଥିବା ଉଚ୍ଚମାନର ଘରୋଇ ଉତ୍ପାଦନ ୟୁନିଟ୍ ଉପଲବ୍ଧ ଥାଇ ବି ରାଜ୍ୟ ଡିସକମଗୁଡ଼ିକ ତଥାପି କିଛି ଦୁର୍ବଳ ବିଜୁଳି(ପାୱାର୍) ଷ୍ଟେସନ୍ ଚାଲୁ ରଖିଛନ୍ତି । ଏକ ବିକୃତ ଅର୍ଥନୈତିକ ଢ଼ାଞ୍ଚା ସ୍ବାର୍ଥରେ ଏହା କରାଯାଉଛି । ଯେଉଁଠି କ୍ଷତି ହେଉଥିବା ଅର୍ଥକୁ ବ୍ୟାଙ୍କ ଋଣ ଦ୍ବାରା ଭରଣା କରାଯାଉଛି ।ପୁରୁଣା ପାୱାର ଷ୍ଟେସନଗୁଡ଼ିକର ପୁର୍ନବିନ୍ୟାସ ଆବଶ୍ୟକତାକୁ ଏହି ବଜେଟ୍ ରେ ସଠିକ୍ ଭାବେ ଗୁରୁତ୍ବ ଦିଆଯାଇଛି ।
ପ୍ରୀତମରଞ୍ଜନ ବୋଷ, ଲେଖକ