ଚଣ୍ଡିଗଡ: ଚଣ୍ଡିଗଡ ପୋଲିସକୁ ମିଳିଛି ଏକ ଧମକପୂର୍ଣ୍ଣ ଚିଠି । ଯେଉଁଥିରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସମେତ ସଚିବାଳୟକୁ ବମରେ ଉଡାଇ ଦେବା ପାଇଁ ଉଲ୍ଲେଖ ରହିଛି । ଏଭଳି ଚିଠି ପାଇବା ପରେ ସତର୍କ ହୋଇ ଉଠିଛି ପୋଲିସ । ଏହାକୁ ଦୃଷ୍ଟିରେ ରଖି ସଚିବାଳୟ ଓ ହାଇକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଣ୍ଡିଗଡ ଏସଏସପି ନିଳାମ୍ବରୀ ଜଗଦାଲେ ଓ ଡିଏସପି ଚରଣଜୀତ ସିଂହ ହାଇକୋର୍ଟ ବାର ଆସୋସିଏସନ ଓ ସଚିବାଳୟର ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ବୈଠକ କରିଛନ୍ତି ।
ଏ ସମ୍ପର୍କରେ ମତ ରଖି ଚଣ୍ଡିଗଡ ଏସଏସପି କହିଛନ୍ତି ଯେ, ଏହି ଚିଠିକୁ କୌଣସି ବ୍ୟକ୍ତି ମିଛରେ ଦେବା ଭଳି ଲାଗୁଛି । ହେଲେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା ଜାରି ରହିଛି । ଏଭଳି ଧମକପୂର୍ଣ୍ଣ ଚିଠି ପୋଲିସକୁ 3 ଦିନ ପୂର୍ବେ ମିଳିଥିଲା । ଏସଏସପି ଆହୁରି କହିଛନ୍ତି ଉତ୍ସବର ଦିନରେ ଏହି ଭଳି ଧମକପୂର୍ଣ୍ଣ ଚିଠି ଆଉ ଫୋନ କଲ ଆସିଥାଏ । ସୁରକ୍ଷା ବ୍ୟବସ୍ଥାକୁ ନେଇ କୌଣସି ପ୍ରକାର ଖିଲାପ କରାଯିବ ନାହିଁ । ସମସ୍ତ ସ୍ଥାନରେ ସୁରକ୍ଷା ବଢାଇ ଦିଆଯାଇଛି ।
ଅନ୍ୟପକ୍ଷରେ ଡିଏସପି ଚରଣଜୀତ ସିଂହ ବିର୍କ କହିଛନ୍ତି ଯେ, ଏହି ଚିଠି କୌଣସି ଗୋଷ୍ଠୀ କି ସଂସ୍ଥା ପକ୍ଷରୁ ନୁହଁ ବରଂ ଜଣେ ବ୍ୟକ୍ତି ହିଁ ପଠାଇଛନ୍ତି । ହାଇକୋର୍ଟକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ଆସୁଛନ୍ତି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟର 5ଟି ଗେଟ ସମ୍ମୁଖରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।