ମୁମ୍ବାଇ: ଆସନ୍ତା ମାସ 21 ତାରିଖରେ ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । ନିର୍ବାଚନ ମୈଦାନରେ ପ୍ରତିଦ୍ବନ୍ଦୀଙ୍କୁ ମୁକାବିଲା କରିବାକୁ ଅଣ୍ଟା ଭିଡି ବାହାରିଲେଣୀ ବିଭିନ୍ନ ଦଳର ଆଶାୟୀ । ଅନ୍ୟ ପଟେ ମେଣ୍ଟ ବୁଝାମଣା କରିବା ନେଇ ବିଭିନ୍ନ ଦଳ ମଧ୍ୟରେ ଚାଲିଛି ଆଲୋଚନା ।
ଏହି କ୍ରମରେ ଶିବସେନା ଏବଂ ରାଜ୍ୟରେ କ୍ଷମତାସୀନ ବିଜେପି ମଧ୍ୟରେ ମେଣ୍ଟ ହେବା ସ୍ଥିର ହୋଇସାରିଛି । ଏନେଇ ମଙ୍ଗଳବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ନିର୍ବାଚନୀ ମେଣ୍ଟକୁ ନେଇ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ।
ମୋଟ 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଶିବସେନାକୁ 120ଟି ଆସନ ଦେବାକୁ ପ୍ରସ୍ତାବ ରଖିଛି । ଯଦିଓ ଏହାକୁ ବର୍ତ୍ତମାନ ଯାଏଁ ଶିବସେନା ପକ୍ଷରୁ ସ୍ବୀକାର କରାଯାଇନାହିଁ । ରାଜ୍ୟର 10ଟି ବିଧାନସଭା ଆସନକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରୁନଥିବା ଜଣାପଡିଛି। ପୂର୍ବରୁ ସିଟ ଆବଣ୍ଟନର ସମାଧାନ ନେଇ ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ଥିଲା । ତେବେ 26 ସେପ୍ଟେମ୍ବରେ ତାଙ୍କ ଉପସ୍ଥିତିରେ ସିଟ ବଣ୍ଟନ ନେଇ ମୋହର ଲାଗିପାରେ ।