ନୂଆଦିଲ୍ଲୀ: ଜନତା ଦଳ(ୟୁନାଇଟେଡ)ର ଇଫତାର ପାର୍ଟିକୁ ନେଇ ତାତ୍ସଲ୍ୟ କରିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ପଡିଲା ଭାରି । ଏଥିପାଇଁ ତାଙ୍କୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କ୍ରୋଧର ଶିକାର ହେବାକୁ ପଡିଛି । ଭବିଷ୍ୟତରେ ଏଭଳି ଭୁଲ ନ ଦୋହରାଇବା ପାଇଁ ଗିରିରାଜ ସିଂହଙ୍କୁ ତାଗିଦ କରିଛନ୍ତି ଶାହା । ସେପଟେ ଏଭଳି ମନ୍ତବ୍ୟ ପାଇଁ ଗିରିରାଜ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଜେଡିୟୁ ।
ଇଫତାର ପାର୍ଟିକୁ ନେଇ ଗିଗିରାଜ ସିଂହଙ୍କ ଟ୍ବିଟ ପରେ ମାମଲା ସଙ୍ଗୀନ ହେଉଥିବା ଦେଖି ଅମିତ୍ ଶାହା ତୁରନ୍ତ ଗିରିରାଜଙ୍କୁ ଫୋନ କରି ତାଙ୍କର କ୍ଲାସ ନେଇଥିଲେ । ତାଙ୍କୁ ତାଗିଦ କରିବା ସହ ଏଭଳି ମନ୍ତବ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ଗିରିରାଜଙ୍କ ଟ୍ବିଟର ପ୍ରତିକ୍ରିୟା ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗିରିରାଜ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏଭଳି କରନ୍ତି ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ରମଜାନ ପାଇଁ ବିହାରର ବିଭିନ୍ନ ରାଜନୈତିକ ଦଳ ଇଫତାର ପାର୍ଟିର ଆୟୋଜନ କରିଥିବା ବେଳେ ନୀତିଶ କୁମାର ଏବଂ କେନ୍ଦ୍ରମନ୍ତ୍ରୀ ପାସୱାନ ଅନ୍ୟ ନେତାଙ୍କ ସହ ଇଫତାର ପାର୍ଟିର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋକୁ ତାତ୍ସଲ୍ୟ କରି ଗିରିରାଜ ସିଂହ ଟ୍ବିଟ କରି କହିଥିଲେ, ରମଜାନ ଭଳି 'ନବରାତ୍ରୀ' ରେ ମଧ୍ୟ ଫଳାହାର ଆୟୋଜନ କରିଥିଲେ କେତେ ସୁନ୍ଦର ହୋଇଥାନ୍ତା । କିନ୍ତୁ ନିଜର କର୍ମ ଧର୍ମରେ ଆମେ ପଛୁଆ କଣ ପାଇଁ ରହି ଯାଉଛେ ଏବଂ ଲୋକ ଦେଖାଣିଆରେ ସର୍ବଦା ଆଗୁଆ କାହିଁକି ରହୁଛେ ବୋଲି ସେ ପ୍ରଶ୍ନ କରିଛନ୍ତି ।