ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଥର ବିତର୍କରେ ଭାଗନେଲେ ସାଂସଦ ପ୍ରମିଳା ବିଷୋୟୀ । ପ୍ରଥମ ବିତର୍କରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ କଥା ଉଠାଇଲେ ଆସିକା ସାଂସଦ । ଆଶା ଓ ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ଦରମା କଥା ଉଠାଇ ଏହା ଯଥେଷ୍ଟ ନୁହେଁ ତେଣୁ ତାଙ୍କ ଦରମାକୁ ବୃଦ୍ଧି କରାଯାଉ ବୋଲି ପ୍ରମିଳା କହିଛନ୍ତି ।
ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା 2018 ସେପ୍ଟେମ୍ବରରେ 4500କୁ କେନ୍ଦ୍ର ସରକାର ବୃଦ୍ଧି କରିଥିବାରୁ ଏହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ଏହା ସହ କର୍ମୀଙ୍କ ଦରମା 15000 ଓ ସହାୟକଙ୍କ ଦରମା 12000 ହଜାରକୁ ବୃଦ୍ଧି ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।
ଆଜି(ଗୁରୁବାର) ରଥଯାତ୍ରା ଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସହ ଜୟ ଜଗନ୍ନାଥ ଓ ଜୟ ଓଡିଶା କହି ନିଜ କଥା ଶେଷ କରିଥିଲେ । ତେବେ ଏହି ଅବସରରେ ଲୋକସଭା ବାଚସ୍ପତି ପ୍ରମିଳାଙ୍କୁ ପ୍ରଶଂସା କରିଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନରେ ପ୍ରମିଳାଙ୍କ ଭୂମିକାକୁ ନେଇ ବାଚସ୍ପତି ପ୍ରଶଂସା କରିଛନ୍ତି।