ପି.ଭି.ନରସିଂହ ରାଓଙ୍କ ଜନ୍ମ ଶତବାର୍ଷିକୀ - ପି.ଭି.ନରସିଂହ ରାଓଙ୍କ ଜନ୍ମ ଶତବାର୍ଷିକୀ
ସ୍ଥିତପ୍ରଜ୍ଞତାର ବାସ୍ତବ ଉଦାହରଣ ପି.ଭି. ନରସିଂହ ରାଓ ଜୁନ୍ 28 ତାରିଖ ଦିନ ସ୍ବର୍ଗତ ଶ୍ରୀ ପି.ଭି.ନରସିଂହ ରାଓଙ୍କ ଜନ୍ମ ଶତବାର୍ଷିକୀ । ଦେଶର ଜଣେ ମହାନ ନେତା ଓ ବିଜ୍ଞ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଓଙ୍କର ରାଷ୍ଟ୍ର ନିର୍ମାଣ, ସାର୍ବଜନୀନ ନୀତି ପ୍ରଣୟନ ଏବଂ ପ୍ରଶାସନିକ କ୍ଷେତ୍ରରେ ତୀକ୍ଷ୍ଣ ଅନ୍ତଦୃଷ୍ଟି ଯୋଗୁଁ ଅନେକ ତାଙ୍କୁ ‘ଆଧୁନିକ ଚାଣକ୍ୟ’ ବୋଲି ମଧ୍ୟ ଅଭିହିତ କରିଥାଆନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସ୍ଥିତପ୍ରଜ୍ଞତାର ବାସ୍ତବ ଉଦାହରଣ ପି.ଭି. ନରସିଂହ ରାଓ ଜୁନ୍ 28 ତାରିଖ ଦିନ ସ୍ବର୍ଗତ ଶ୍ରୀ ପି.ଭି.ନରସିଂହ ରାଓଙ୍କ ଜନ୍ମ ଶତବାର୍ଷିକୀ । ଦେଶର ଜଣେ ମହାନ ନେତା ଓ ବିଜ୍ଞ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଓଙ୍କର ରାଷ୍ଟ୍ର ନିର୍ମାଣ, ସାର୍ବଜନୀନ ନୀତି ପ୍ରଣୟନ ଏବଂ ପ୍ରଶାସନିକ କ୍ଷେତ୍ରରେ ତୀକ୍ଷ୍ଣ ଅନ୍ତଦୃଷ୍ଟି ଯୋଗୁଁ ଅନେକ ତାଙ୍କୁ ‘ଆଧୁନିକ ଚାଣକ୍ୟ’ ବୋଲି ମଧ୍ୟ ଅଭିହିତ କରିଥାଆନ୍ତି । ଗୋଟିଏ ସଂଖ୍ୟାଲଘୁ ସରକାରକୁ 5 ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ଚଳାଇବା ବାସ୍ତବରେ ଏକ ବିରଳ ସଫଳତା ଏବଂ ତାଙ୍କର ଏହି ରାଜନୈତିକ ଦକ୍ଷତା ଯୋଗୁଁ ତାଙ୍କୁ ଲୋକେ ‘ଆଧୁନିକ ଚାଣକ୍ୟ’ ବୋଲି କହିଥାଆନ୍ତି । ସେହି ମହାନ ସମାଜ ସଂସ୍କାରକ, ଶିକ୍ଷାବିତ୍, ଭାଷାତତ୍ତ୍ବବିତ୍ ଏବଂ ବିଦ୍ବାନ ପଣ୍ଡିତଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଭାରତୀୟ ଅର୍ଥନୀତିର ଉଦାରୀକରଣ ସହିତ ଏହାକୁ ଲାଇସେନ୍ସ-ପରମିଟ୍ ରାଜ୍ କବ୍ଜାରୁ ମୁକ୍ତ କରିବା ଏବଂ ଅନ୍ତର୍ଜାତୀୟ ପ୍ରତିଦ୍ବନ୍ଦ୍ବିତା ପାଇଁ ଉନ୍ମୁକ୍ତ କରିବା କ୍ଷେତ୍ରରେ ଶ୍ରୀ ରାଓ ତାଙ୍କ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଅବଦାନ ସଂପର୍କରେ ସାଧାରଣରେ ବିସ୍ତୃତ ବର୍ଣ୍ଣନା କରାଯାଇଛି ଏବଂ ମୁଁ ତାହାର ପୁନରାବୃତ୍ତି କରିବି ନାହିଁ । ମୁଁ କେବଳ ଏତିକି ଉଲ୍ଲେଖ କରିବି ଯେ, ହିନ୍ଦୁ ଅଭିବୃଦ୍ଧି ହାର ବୋଲି କୁହାଯାଉଥିବା ନିମ୍ନଗାମୀ ଅଭିବୃଦ୍ଧି ହାର ସହିତ ଏକ ପରମୁଖାପେକ୍ଷୀ ଏବଂ ଅସହାୟ ଅର୍ଥନୀତିର ଜଗତୀକରଣ ଦିଗରେ ସେ ଭାରତକୁ ଆଗେଇ ନେଇଥିଲେ । ପାଞ୍ଚ ଦଶନ୍ଧି ଧରି ହିନ୍ଦୁ ଅଭିବୃଦ୍ଧି ହାରରେ ଅଟକି ରହିଥିବା ଭାରତ ପ୍ରଥମ ଥର ପାଇଁ ଏଥିରୁ ବାହାରକୁ ବାହାରିଥିଲା ।
ସେ ପ୍ରଧାନ ମନ୍ତ୍ରୀ ଥିବା ସମୟରେ, 1994 ଜୁନ୍ରୁ 1997 ଅକ୍ଟୋବର ମାସ ପର୍ଯ୍ୟନ୍ତ, ମୁଁ କେନ୍ଦ୍ର ଗୃହ ସଚିବ ଭାବରେ କାର୍ଯ୍ୟ କରିଥିଲି । ସରକାରରେ ଗୃହ ସଚିବ ପଦବୀ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପଦବୀ ଏବଂ ସାଧାରଣତଃ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ, ଯିଏ କି ତାଙ୍କ ସହ ପୂର୍ବରୁ କାମ କରିଥିବେ, ଏବଂ ଯାହାଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କର ଖୁବ୍ ବିଶ୍ବାସ ରହିଥିବ, ଏହି ପଦବୀରେ ନିଯୁକ୍ତି ପାଇଥାଆନ୍ତି । ମୋ କ୍ଷେତ୍ରରେ ମୁଁ ଭିନ୍ନ କ୍ୟାଡରରେ ଥିଲି, ଯାହାର ନାଁ ମହାରାଷ୍ଟ୍ର । ତା ପୂର୍ବରୁ, 1982-86 ମଧ୍ୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟକାଳ ବ୍ୟତୀତ, ମୁଁ ମଧ୍ୟ ଭାରତ ସରକାରଙ୍କ ଅଧୀନରେ ଦୀର୍ଘ ସମୟ ଧରି କାମ କରିନଥିଲି ।
1993-94ରେ ଆରମ୍ଭ ହୋଇଥିବା ମୋର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ମୁଁ କିଛି ମାସ ପାଇଁ ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗର ସଚିବ ପଦରେ କାମ କରୁଥିବା ବେଳେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରସିଂହ ରାଓ ମହାଶୟଙ୍କ ସହ ସାକ୍ଷାତ ହେଲା । ଅନେକ ଆବଶ୍ୟକତାର ଅଭାବ ସତ୍ତ୍ବେ ମୋତେ ଗୃହ ସଚିବ ଭାବେ ଅବସ୍ଥାପିତ କରାଗଲା । କାରଣ, ମୁଁ ଭାବୁଛି, ତତ୍କାଳୀନ ଗୃହମନ୍ତ୍ରୀ ଶ୍ରୀ ଶଙ୍କରରାଓ ବି. ଚଭନ, ମହାରାଷ୍ଟ୍ରର ଅଧିବାସୀ ଥିଲେ ଏବଂ ମୁଁ ଜଣେ ଦକ୍ଷ ଏବଂ ସଚ୍ଚୋଟ ଅଧିକାରୀ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଏ ସମ୍ପର୍କରେ ଏତେ ବେଶୀ କହିବାର କାରଣ ହେଲା ଯେ ଶ୍ରୀ ପିଭି ମହୋଦୟ ପକ୍ଷପାତମୂଳକ ନୀତିରେ ନୁହେଁ, ବରଂ ପ୍ରତିଭାରେ ବିଶ୍ବାସ କରୁଥିଲେ ବୋଲି ମୁଁ ଦର୍ଶାଇବାକୁ ଚାହୁଁଛି ।
କେବଳ ପ୍ରତିଭା କାରଣରୁ ହିଁ ସେ ଜଣେ ବିରୋଧୀ ଦଳ ନେତା ସୁବ୍ରମଣ୍ୟମ ସ୍ବାମୀଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରିଥିଲେ, ଆଉ ଜଣେ ବିରୋଧୀ ଦଳ ନେତା ଏବଂ ଜଣେ ପ୍ରଭାବଶାଳୀ ବକ୍ତା ଅଟଳ ବିହାରୀ ବାଜପେୟୀଙ୍କୁ ମିଳିତ ଜାତିସଂଘ ବୈଠକରେ ଭାରତର ପ୍ରତିନିଧିତ୍ବ କରିବାକୁ ପଠାଇଥିଲେ, ଏବଂ ଜଣେ ଅଣ-ରାଜନୈତିକ ଅର୍ଥଶାସ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଭାରତର ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ।
ଶ୍ରୀ ରାଓଙ୍କର ଯେଉଁ ପ୍ରଥମ ଗୁଣାବଳୀ ମୋ ନଜରରେ ପଡ଼ିଥିଲା ତାହା ହେଲା ଯେ, ସେ ଶାନ୍ତ, ଅସ୍ଥିର ଏବଂ ସଂଯତ ଭାବରେ ରହୁଥିଲେ ଏବଂ ରାଜନୈତିକ ବିରୋଧୀମାନଙ୍କ (ପ୍ରାୟତଃ ତାଙ୍କ ନିଜ ଦଳ କଂଗ୍ରେସର) ଦ୍ବାରା ତାଙ୍କ ପାଇଁ ସଂକଟ ସୃଷ୍ଟି କରାଯାଉଥିଲେ ହେଁ ସେ କେବେହେଲେ ବ୍ୟତିବ୍ୟସ୍ତ ଜଣାପଡୁ ନଥିଲେ । ବାବ୍ରୀ ମସଜିଦ ଭଙ୍ଗ ଭଳି ପ୍ରଶାସନିକ ଏବଂ ରାଜନୈତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସ୍ଥିତି ସମ୍ଭାଳିବା କ୍ଷେତ୍ରରେ ସମାଲୋଚିତ ହୋଇଥିଲେ ହେଁ ସେ ଏହାକୁ ସମଭାବରେ ଗ୍ରହଣ କରିଥିଲେ । ବାବ୍ରୀ ମସଜିଦ ଭଙ୍ଗା ଘଟଣାକୁ ତନ୍ନତନ୍ନ କରି ତଦନ୍ତ କରିଥିବା ଲିବରହାନ କମିଶନ ମତ ଦେଇଥିଲେ ଯେ, ଏ କ୍ଷେତ୍ରରେ ପ୍ରଧାନ ମନ୍ତ୍ରୀଙ୍କ ଆଭିମୁଖ୍ୟ ପାଇଁ ତାଙ୍କୁ ଦୋଷ ଦିଆଯାଇପାରିବ ନାହିଁ । ସେ ଥିଲେ ସ୍ଥିତପ୍ରଜ୍ଞତାର ବାସ୍ତବ ଉଦାହରଣ ।
ତାଙ୍କ ଶାସନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା ଭାରତୀୟ ସମ୍ବିଧାନ ପ୍ରତି ତାଙ୍କର ସଂପୂର୍ଣ୍ଣ ସମର୍ପଣ ଭାବ । ଯେତେବେଳେ ବି କୌଣସି ଯୋଜନାର ପ୍ରସ୍ତାବ ତାଙ୍କ ପାଖକୁ ଅନୁମୋଦନ ପାଇଁ ଆସିଛି, ସେ ଯେଉଁ ପ୍ରଥମ ପ୍ରଶ୍ନଟି ପଚାରିବେ ତାହା ହେଲା, ‘ଏହା ସମ୍ବିଧାନ ସମ୍ମତ କି ?’ କେବଳ ଲେଖାରେ ନୁହେଁ, ବରଂ ସମ୍ବିଧାନର ଭାବଧାରା ବିରୋଧରେ କୌଣସି ପ୍ରସ୍ତାବ ଯାଉଥିବା ଭଳି ଲାଗିଲେ ସେ ତାହାକୁ ଗ୍ରହଣ କରୁନଥିଲେ । ଭାରତର ‘ଲୁକ୍ ଇଷ୍ଟ୍ ପଲିସି’ ପ୍ରବର୍ତ୍ତନ କରିବାରେ ସେ ଥିଲେ ପ୍ରଥମ ନେତା । ସେ ପର୍ଯ୍ୟନ୍ତ କେବଳ ପାଶ୍ଚାତ୍ୟ ଦେଶ ବା ଉପସାଗରୀୟ କ୍ଷେତ୍ର ଉପରେ ହିଁ ନଜର ରହିଆସିଥିଲା । ବାଂଲାଦେଶ, ମିଆଁମାର, ଥାଇଲାଣ୍ଡ ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଜ୍ୟ ସଂଗଠନ (ASEAN)ର ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ସୁସଂପର୍କ ସ୍ଥାପନ ବଳରେ ହିଁ ଭାରତ ଏସିଆରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିବ ବୋଲି ସେ ଭାବିଥିଲେ । ଇସ୍ରାଏଲ ସହିତ ମଧ୍ୟ ସେ ଉତ୍ତମ ସଂପର୍କ ସ୍ଥାପନ କରିଥିଲେ ଏବଂ 1992ରେ ନୂଆଦିଲ୍ଲୀରେ ସେ ଦେଶର ଦୂତାବାସ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ । ସେ ମଧ୍ୟ ଇରାନ ସହ ମଜଭୁତ ସଂପର୍କ ସ୍ଥାପନ କରିଥିଲେ ।
ଦେଶର ଆଣବିକ ପରୀକ୍ଷଣ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ନରସିଂହ ରାଓ ବେଶ୍ ସଫଳତାର ସହ ଆଗେଇ ନେଇଥିଲେ । ବାସ୍ତବରେ 1996 ମେ ମାସରେ, ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ, ଆଣବିକ ଫ୍ୟୁଜନ୍ ବୋମା ପରୀକ୍ଷଣ ପାଇଁ ପ୍ରସ୍ତୁତ ରହିବାକୁ ସେ ଡକ୍ଟର ଅବଦୁଲ କଲାମଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ନିର୍ବାଚନ ଫଳାଫଳ କଂଗ୍ରେସ ବିପକ୍ଷରେ ଯାଇଥିଲା ଏବଂ ଶେଷରେ, 1998 ମସିହାରେ ବାଜପେୟୀ ସରକାରଙ୍କ ଦ୍ବାରା ଏହି ଆଣବିକ ଅସ୍ତ୍ରର ପରୀକ୍ଷଣ ହୋଇଥିଲା । ଉତ୍ସାହର ସହିତ ସେ କାଶ୍ମୀର ସମସ୍ୟାର ସମାଧାନ ଚାହୁଁଥିଲେ । ଯଦିଓ ସେତେବେଳେ 1993-97ରେ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଚରମ ସୀମାରେ ରହିଥିଲା । ଡକ୍ଟର ଫାରୁକ୍ ଅବଦୁଲ୍ଲା ଏବଂ ଅନ୍ୟ ନେତାମାନଙ୍କୁ ସେ କହିଥିଲେ ଯେ, କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବା କଥା ସହିତ ଯେ କୌଣସି ପ୍ରସ୍ତାବରେ ରାଜି ହେବା ପାଇଁ ସେ ପ୍ରସ୍ତୁତ ।
ବୁର୍କିନା ଫାସୋକୁ ସରକାରୀ ଗସ୍ତରେ ଯାଇ ସେ ଘୋଷଣା କରିଥିଲେ ଯେ ‘ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବା ପର୍ଯ୍ୟନ୍ତ କାଶ୍ମୀରର ସ୍ବାୟତ୍ତତା କ୍ଷେତ୍ରରେ ଆକାଶ ହିଁ ସୀମାରେଖା ।’ କିନ୍ତୁ ଏ କ୍ଷେତ୍ରରେ ସେ କିଛି କରିବା ପୂର୍ବରୁ ସାଧାରଣ ନିର୍ବାଚନ ହେଲା ଏବଂ କଂଗ୍ରେସ କ୍ଷମତା ହରାଇଲା । ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ କରାଇବାକୁ ଚାହିଁବାର ଶ୍ରେୟ ତାଙ୍କୁ ଦିଆଯିବା ଆବଶ୍ୟକ । କାରଣ, ସେଠାରେ 8 ବର୍ଷ ଧରି ନିର୍ବାଚନ ହୋଇ ନଥିଲା ଏବଂ ଏକ ନିର୍ବାଚିତ ସରକାର ପାଇବା ପାଇଁ ଲୋକଙ୍କ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସେ ବିଶ୍ବାସ କରୁଥିଲେ ।
ସେ ମୋତେ କହିଥିଲେ ଯେ, ଏହି ନିର୍ବାଚନକୁ ସାଧାରଣ ନିର୍ବାଚନରୁ ଅଲଗା କରି ଏବଂ ଦେଶର ବାକି ଅଂଶରେ ସାଧାରଣ ନିର୍ବାଚନ ସଂପନ୍ନ ହେବା ପରେ କରାଯିବା ଉଚିତ । କିନ୍ତୁ ଫଳାଫଳ ଏମିତି ହେଲା ଯେ କଂଗ୍ରେସ ସାଧାରଣ ନିର୍ବାଚନରେ ପରାସ୍ତ ହେଲା । ପରବର୍ତ୍ତୀ ସମୟରେ, ନିର୍ବାଚନ କମିଶନଙ୍କର ଏବଂ ଗୃହ ମନ୍ତ୍ରାଳୟର କଠିନ ପ୍ରୟାସ ଫଳରେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେଲା । କାରଣ, ଶ୍ରୀ ଦେବେଗୌଡ଼ାଙ୍କ ଅମଳରେ ସାଧନ ଓ ସହାୟତା ଯୋଗାଣରେ ଏବଂ ସୁରକ୍ଷା ବ୍ୟବସ୍ଥାରେ ସମସ୍ୟା ଦେଖା ଦେଇଥିଲା । ନିର୍ବାଚନ ହିଁ ବିଦ୍ରୋହୀ କାର୍ଯ୍ୟକଳାପ ନିରାକରଣର ଏକମାତ୍ର ଉପାୟ ବୋଲି ତାଙ୍କ ଚିନ୍ତାଧାରା ଅନୁସାରେ ସେ ବିଦ୍ରୋହୀ ଉପଦ୍ରୁତ ଆସାମ ଏବଂ ପଞ୍ଜାବରେ, ଯେତେ କମ୍ ଲୋକ ଭୋଟ ଦେବାକୁ ଆସନ୍ତୁ ନା କାହିଁକି, ନିର୍ବାଚନ କରାଇବା ଲାଗି ନିର୍ବାଚନ କମିଶନଙ୍କ ପାଖରେ ଜିଦ୍ ଧରିଲେ ।
ପ୍ରକୃତରେ ନିର୍ବାଚନ ହିଁ ବିଦ୍ରୋହୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ବାଟ କଢ଼ାଇଲା ଏବଂ ଶେଷରେ ସ୍ବାଭାବିକ ଅବସ୍ଥା ଫେରିଆସିଲା । ଅନେକ ହୁଏତ ଜାଣି ନଥିବେ ଯେ ଶ୍ରୀ ରାଓ, ବିଭିନ୍ନ ନାଗା ବିଦ୍ରୋହୀ ସଂଗଠନ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ । ସଂଘର୍ଷ ବନ୍ଦ କରାଇବାର ପୂର୍ବପ୍ରସ୍ତୁତି ଭାବରେ ବୁଝାମଣା ଭିତ୍ତିରେ ସମାଧାନ କରାଇବା ଲାଗି 1995ରେ ସେ ଆତ୍ମଗୋପନକାରୀ ନାଗା ନେତା ଶ୍ରୀ ମୁଇବା ଏବଂ ଶ୍ରୀ ଆଇଜାକ୍ ସୁଙ୍କ ସହିତ ପ୍ୟାରିସ୍ରେ ସାକ୍ଷାତ କରିଥିଲେ । ଏହା ପୂର୍ବରୁ ନାଗା ସମସ୍ୟାକୁ ଏକ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ସମସ୍ୟା ଭାବରେ ବିଚାର କରାଯାଉଥିଲା । ଏହା ଏକ ରାଜନୈତିକ ସମସ୍ୟା ବୋଲି ନାଗା ନେତାମାନଙ୍କ ତର୍କକୁ ଶ୍ରୀ ରାଓ ଗ୍ରହଣ କରିନେଲେ ଏବଂ ସେମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କଲେ ।
ତାଙ୍କର ପ୍ରାରମ୍ଭିକ ପ୍ରୟାସ ବଳରେ, ଅଗଷ୍ଟ 1997ରେ ବିଦ୍ରୋହୀମାନଙ୍କ ସହିତ ଯୁଦ୍ଧବିରତି ବୁଝାମଣା ହେଲା ଏବଂ ଏହା ଫଳରେ ରାଜନୈତିକ ବାର୍ତ୍ତାଳାପ ଜରିଆରେ ନାଗାଲାଣ୍ଡ ଏବଂ ଉତ୍ତର ପୂର୍ବ ରାଜ୍ୟ ସମୂହର ଅନ୍ୟାନ୍ୟ ନାଗା ବହୁଳ ଅଞ୍ଚଳରେ ଶାନ୍ତି ସ୍ଥାପିତ ହେଲା । ବୋଧହୁଏ, ଶ୍ରୀ ରାଓ ମହାଶୟ ଏକମାତ୍ର ପ୍ରଧାନ ମନ୍ତ୍ରୀ, ଯିଏ କ୍ଷମତାରେ ଥିବା ବେଳେ ଏବଂ ପଦବି ଛାଡ଼ିବା ପରେ ବି ତାଙ୍କ ବିରୋଧରେ ଅନେକ ଆପରାଧିକ ମାମଲା କରାଯାଇ ତାଙ୍କୁ ହଇରାଣ କରାଯାଇଥିଲା । ଏହି ସବୁ ମାମଲାର ତଦନ୍ତ ଓ ଶୁଣାଣି ବର୍ଷ ବର୍ଷ ଧରି ଚାଲିଲା ଏବଂ ଏହା ଦ୍ବାରା ଶ୍ରୀ ରାଓ ଭାଙ୍ଗି ପଡ଼ିଥିଲେ । ଏଗୁଡ଼ିକରେ ଥିଲା, ଜେଏମ୍ଏମ୍ ଲାଞ୍ଚ ମାମଲା, ଯାହାକି 1996ରୁ 2002 ଯାଏଁ ଚାଲିଥିଲା, ସେଣ୍ଟ କିଟ୍ସ ମାମଲା, ଲଖୁଭାଇ ପଠାନ ମାମଲା ପ୍ରଭୃତି । ଶେଷରେ ଏହି ସମସ୍ତ ମାମଲାରୁ ମୁକ୍ତି ପାଇବାରେ ସେ ସଫଳ ହେଲେ ଏବଂ ନିଷ୍କଳଙ୍କ ସାବ୍ୟସ୍ତ ହେଲେ । ଏହି ସବୁ ମାମଲା ପଛରେ ରାଜନୈତିକ ବିରୋଧୀମାନଙ୍କ ହାତ ରହିଥିଲା ।
ଜୈନ ଡାଏରୀ (ତଥାକଥିତ ଜୈନ ହାୱାଲା ମାମଲା) ଭିତ୍ତିରେ ଅନେକ କଂଗ୍ରେସ ନେତା ଏବଂ କେତେକ ବିରୋଧୀ ଦଳ ନେତାଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାକୁ ପିଭି ମହାଶୟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହା ସେମାନଙ୍କୁ କ୍ଷୁବ୍ଧ କରିଥିଲା । କିନ୍ତୁ ସୁପ୍ରିମ କୋର୍ଟ ଏହି ସବୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏବଂ ସାପ୍ତାହିକ ଭିତ୍ତିରେ ଏସବୁର ଅଗ୍ରଗତି ସମୀକ୍ଷା କରୁଥିବାରୁ ଶ୍ରୀ ରାଓଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା । ଦୁର୍ଭାଗ୍ୟର କଥା ଯେ ତାଙ୍କ ନିଜ ଦଳର ଅନେକ ନେତା ତାଙ୍କ ପ୍ରତି ସହୃଦୟତା ପ୍ରକାଶ କରି ନଥିଲେ । 1996ରେ ଶ୍ରୀ ରାଓ ପ୍ରଧାନମନ୍ତ୍ରୀ ପଦବୀ ପରିତ୍ୟାଗ କରି ତାଙ୍କୁ ମିଳିଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନରେ ରହିବାରେ ଲାଗିଲେ । ମୁଁ ବି ସେତେବେଳେ ଦିଲ୍ଲୀରେ ରହୁଥିଲି ଏବଂ ଅନେକ ସମୟରେ ରାଓ ସାବ୍ଙ୍କୁ ତାଙ୍କ ଘରେ ସାକ୍ଷାତ କରୁଥିଲି । ଏହି ମହାନ ବ୍ୟକ୍ତି ଜଣକ ଏକାକୀ ରହୁଥିଲେ ଏବଂ ନିଜର ଲେଖାଲେଖି ଓ ବହିପତ୍ରରେ ବ୍ୟସ୍ତ ରହି ସମୟ କାଟୁଥିଲେ ।
ଏବେ ଏହି ମହାନ ଆତ୍ମାକୁ ଭାରତ ରତ୍ନ ଉପାଧିରେ ଭୂଷିତ କରିବାର ସମୟ ଆସିଛି । ଯାହାଙ୍କୁ ଶ୍ରୀ ନଟବର ସିଂହ ଏହିଭଳି ପ୍ରଶଂସା କରିଥିଲେ, ‘ଭାରତର ଆଧ୍ୟାତ୍ମିକ ଏବଂ ଧାର୍ମିକ ଭୂମିର ଗଭୀରତମ ସ୍ଥଳରେ ତାଙ୍କ ବ୍ୟକ୍ତିତ୍ବର ଭିତ୍ତି ରହିଥିଲା । ତାଙ୍କ ପାଇଁ ‘ଭାରତକୁ ଆବିଷ୍କାର’ କରିବାର ଆବଶ୍ୟକତା ନଥିଲା ।’
କେ.ପଦ୍ମନାଭାୟା