ପାଟଣା: ଅନ୍ୟ ରାଜ୍ୟରେ ଫସିଥିବା ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ, ଶ୍ରଦ୍ଧାଳୁ ଏଭଂ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିହାରର ଜନ ଅଧିକରୀ ଏବଂ ପୂର୍ବ ସାଂସଦ ପପୁ ଯାଦବ ରାଜସ୍ଥାନ କୋଟାରେ ଫସିରହିଥିବା ବିହାରୀ ଛାତ୍ରଛାତ୍ରୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ 30ଟି ବସ ପଠାଇଛନ୍ତି ।
ଏନେଇ ପପୁ ଯାଦବ ଟ୍ବିଟ କରି କହିଛନ୍ତି, ‘ବିହାର ସରକାର ପାଖରେ ଅର୍ଥ ନାହିଁ । ମୁଁ ମନରୁ ସମସ୍ତ ବିହାରୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ପ୍ରତିଶୃତି ଦେଉଛି । କୋଟାରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ 30ଟି ବସ ପଠାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅନୁରୋଧ ଯେ ଉକ୍ତ ବସ ଗୁଡିକୁ ସାନିଟାଇଜ କରାଇ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଯାତ୍ରା କରାଇବାର ବ୍ୟବସ୍ଥା କରାନ୍ତୁ ।’
ପପୁ ପୁଣି କହିଛନ୍ତି, ‘ସାରା ଦେଶରେ ଫସିରହିଥିବା ମୋର ବିହାରୀ ଭାଇଭାଉଣୀଙ୍କୁ ମୁଁ ଫେରାଇ ଆଣିବି । ମୋ ପାଖେ ଧନ ନାହିଁ କିନ୍ତୁ ମନ ଅଛି । ମୋର ପ୍ରତ୍ୟେକ ନିଶ୍ବାସ, ସମ୍ପର୍କ, ସମସ୍ତ ସମ୍ବନ୍ଧ ବିହାରୀଙ୍କ ପାଇଁ ସମର୍ପିତ କରିଛି ।’
ସୂଚନା ଥାଉକି ବାହାରେ ଫସିଥିବା ଲୋକଙ୍କୁ ନେଇ ବିହାରରେ ଚର୍ଚ୍ଚା ଯୋର ଧରିଛି । ପପୁ ଯାଦବ ଗତ କିଛିଦିନ ହେବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅନୁରୋଧ କରିଆସୁଥିଲେ ଯେ କୋଟାରେ ଫସିରହିଥିବା ସମସ୍ତ ବିହାରୀ ବିଦ୍ୟାର୍ଥୀଙ୍କୁ ବିହାରରେ ଅଣାଯିବାର ବ୍ୟବସ୍ଥା କରାଯାଉ ।
@IANS