ଦୁଃଖୀ ଗରିବଙ୍କ ବନ୍ଧୁ ଥିଲେ ବାପୁ । ଅସ୍ପୁର୍ଶତା ଓ ବର୍ଣ୍ଣବୈଷମ ବିରୋଧରେ ସେ ଉଠାଇଥିଲେ ସ୍ବର । ଅନ୍ୟାୟ ଓ ହିଂସାର ପ୍ରତିବାଦ ସ୍ବରୁପ ଇଂରେଜ ସରକାରଙ୍କଠାରୁ ସେ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିଥିଲେ ।
ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଦୋହଲିପଡିଥିଲା ବ୍ରିଟିଶ ସାମ୍ରାଜ୍ୟ । ତାଙ୍କ ବଳିଦାନ ପାଇଁ ଭାରତ ପରାଧୀନରୁ ମୁକ୍ତି ପାଇଛି । ହେଲେ ଆଜି ଏହି ମହାମାନବୀୟ ମହାପୁରୁଷଙ୍କ ସ୍ମୃତି ସ୍ଥଳକୁ ଭୁଲି ଯାଇଛନ୍ତି ସରକାର । ରକ୍ଷଣାବେକ୍ଷଣା ଅଭାବରୁ ଅବହେଳିତ ଅବସ୍ଥାରେ ରହିଛି ଭୋପାଳର 2 ଐତିହାସିକ ସ୍ଥାନ । ଭଗ୍ନଅବସ୍ଥାରେ ବାପୁଙ୍କ ଏହି ବିଶ୍ରାମ ସ୍ଥଳ । ଧୂଳି ଅଳନ୍ଧୁରେ ପୋତି ହୋଇପଡିଛି ବାପୁ ରହିଥିବା ଭବନଟି । ଯେଉଁ ବେନଞ୍ଜୀର ମୈଦାନରେ ବାପୁ ସାଧାରଣ ସଭାକୁ ସମ୍ବୋଧିତ କରି ଅସହଯୋଗ ଆନ୍ଦୋଳନର ବହ୍ନିକୁ ବ୍ୟାପକ କରିଥିଲେ ସେଇ ମୈଦାନ ଆଜି ସାହାରା ଖୋଜୁଛି । ନାଳ, ନର୍ଦ୍ଦମାର ପଚାସଢା ପାଣିରେ ବୁଡିରହିଛି ଏହି ଐତିହାସିକ ମୈଦାନ ।
ଗୋରା ସରକାରକୁ ଥରହର କରିରଖିଥିବା ଗାନ୍ଧୀଙ୍କ ପ୍ରଥମ ଜନ ଆନ୍ଦୋଳନରେ, ଭୋପାଳ ନିଭାଇଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହି ଆନ୍ଦୋଳନର ମୁଖ୍ୟ ସୁତ୍ରଧର ଥିଲେ ଗାନ୍ଧୀ। ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ ଥିଲା ଏହି ଅସହଯୋଗର ମୂଳନୀତି। ‘କାଟି ଖାଓ କୁଟି ପିନ୍ଧ’ । ଗାନ୍ଧୀଙ୍କ ଏହି ଗୋଟିଏ ଆହ୍ବାନରେ ନିଜକୁ ସାମିଲ କରି ଦେଶପ୍ରେମର ବହ୍ନିରେ ଝାସ ଦେଇଥିଲେ ଶହ ଶହ ସଂଗ୍ରାମୀ । ଏହି ଗୋଟିଏ ଡାକରରେ ଭୋପାଳ ନବାବ ଆଗେଇ ଆସିଥିଲେ ।
1929 ମସିହା । ଗୋରାଙ୍କ କବଳରୁ ସ୍ବତନ୍ତ୍ରତା ପାଇଁ ଆରମ୍ଭ ହୋଇଥିବା ସଂଗ୍ରାମକୁ ସ୍ବଗତ କରି ଗାନ୍ଧୀଙ୍କୁ ନିଜ ସହରକୁ ନିମନ୍ତ୍ରଣ କରିଥିଲେ ନବାବ । ନବାବଙ୍କ କଥା ରଖି ଗାନ୍ଧୀ ଭୋପାଳ ଆସିଥିଲେ । ଏଠାରେ ସେ ବେନଞ୍ଜୀର ମୈଦାନରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଅହିଂସାର ଏହି ଆନ୍ଦୋଳନରେ ଯୋଗ ଦେବାକୁ ନିବେଦନ କରିଥିଲେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖାସ ଗାନ୍ଧୀଙ୍କ ଆଗମନ ପାଇଁ ପୂରା ସହରକୁ ଖଦି କପଡାରେ ସଜେଇଥିଲେ ନବାବ । ସବୁଠି କେବଳ ସ୍ବଦେଶୀ ସୂତାର ଖଦି । ଏଥିରେ ମନ୍ତ୍ରମୁଗ୍ଧ ହୋଇ ଗାନ୍ଧି ସହରର ଏକ ଭବନରେ ସେପ୍ଟେମ୍ବର 8ରୁ 10 ପର୍ଯ୍ୟନ୍ତ ରହିଥିଲେ । କିନ୍ତୁ ଅବଶୋଷ ଯେ, ଗାନ୍ଧୀଙ୍କ ପାଇଁ ସୁନାମ ପାଇଥିବା ଭୋପାଳର ଏହି 2ଟି ସ୍ଥାନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ।
ରକ୍ଷଣାବେକ୍ଷଣା ଅଭାବରୁ ଅଲୋଡା ଭାବେ ପଡିରହିଛି ଗାନ୍ଧୀଙ୍କ ବିଶ୍ରାମ ସ୍ଥଳ । ତେବେ ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସରକାର ଏହି ଐତିହ୍ୟ ସ୍ଥଳୀ ଉପରେ ନଜର ପକାଇ ଏହାର ପୁନଃଉଦ୍ଧାର କରିବା ଆବଶ୍ୟକ । ତେବେ ଯାଇ ଜାତିର ପିତାଙ୍କ ସ୍ମୃତିକୁ ସଂରକ୍ଷିତ ରଖିପାରିବ ଦେଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ