କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅସନ୍ତୁଷ୍ଟ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ବୈଠକର ସକାରାତ୍ମକ ଫଳାଫଳ ସାମ୍ନାକୁ ଆସିଛି । ସରକାରୀ ଡାକ୍ତରଖାନାରେ ଅଭିଯୋଗ ନିବାରଣ କେନ୍ଦ୍ର ଖୋଲିବାକୁ ରାଜି ହୋଇଛନ୍ତି ମମତା । ଏହା ସହିତ ପ୍ରତି ହସ୍ପିଟାଲରେ ଜଣେ ନୋଡାଲ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।
ତେବେ ବୈଠକ ପରେ ଏକ ସପ୍ତାହ ଧରି ଚାଲିଥିବା ନିଜର ଆନ୍ଦୋଳନକୁ ସମାପ୍ତ କରିବାକୁ ରାଜି ହୋଇଛନ୍ତି ଡାକ୍ତର ସଙ୍ଘ । ଏହା ସହିତ ମମତାଙ୍କ ସହ ବୈଠକରେ ସେମାନେ ସନ୍ତୁଷ୍ଟ ଥିବା ଜଣେ ଡାକ୍ତର ପ୍ରତିନିଧି କହିଛନ୍ତି । କିଛି ସମୟ ମଧ୍ୟରେ ଆନ୍ଦୋଳନ ବନ୍ଦ କରିବାକୁ ଅଧିକାରୀକ ରୂପରେ ଘୋଷଣା କରାଯିବ ବୋଲି ଜଣା ପଡିଛି ।
ସୋମବାର ସମସ୍ତ ବାଦବିବାଦ ପରେ କୋଲକାତା ରାଜ୍ୟ ସଚିବାଳୟରେ ମମତା ବାନାର୍ଜୀ ଓ ଡାକ୍ତରଙ୍କ ମଧ୍ୟରେ ବୈଠକ ହୋଇଥିଲା । ବୈଠକରେ ପଶ୍ଚିମବଙ୍ଗର ପ୍ରତ୍ୟେକ ମେଡିକାଲ କଲେଜର ଦୁଇ ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ । ସେମାନେ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୋଗୁଥିବା ସମସ୍ୟା ବିଷୟରେ ମମତାଙ୍କୁ ଅବଗତ କରାଇଥିଲେ। ତେବେ ଏଥିରେ ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି।
କୋଲକାତା ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ପ୍ରତ୍ୟେକ ହସ୍ପିଟାଲରେ ନୋଡାଲ ପୋଲିସ ଅଫିସର ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତିତ ଚିକିତ୍ସକଙ୍କ ଦାବି ଅନୁସାରେ ପ୍ରତି ସରକାରୀ ହସ୍ପିଟାଲରେ ଗୋଟିଏ ଅଭିଯୋଗ ନିବାରଣ ଖୋଲିବାକୁ ନିର୍ଣ୍ଣୟ ମଧ୍ୟ ନିଆଯାଇଛି।