ଲକ୍ଷ୍ନୌ: କୋରୋନା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ, କିଛି ଲୋକ ସେମାନଙ୍କ ବିବାହ ସ୍ଥଗିତ ରଖିଛନ୍ତି । ଏପରି ସମୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ବେଶ ହୃଦୟସ୍ପର୍ଶୀ ଅଟେ । ଉତ୍ତରପ୍ରେଦେଶର କାନପୁରର ବାସିନ୍ଦା ଅନିଲ ଏବଂ ନିଲମଙ୍କ ପାଇଁ କୋରୋନା ବିବାହର ମାଧ୍ୟମ ସାଜିଛି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ମୁତାବିକ, ନିଲମ ହେଉଛନ୍ତି କାନପୁରର ବାସିନ୍ଦା । ତାଙ୍କ ବାପା ମାଆଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ, ସେ ଭାଇ ଭାଉଜଙ୍କ ପାଖରେ ରହୁଥିଲେ । ହେଲେ କିଛି ଦିନ ହେବ
ଭାଇ ଭାଉଜ ମଧ୍ୟ ନିଲମଙ୍କୁ ଖାଇବାକୁ ନଦେଇ ବାଡେଇ ଘରୁ ବାହାର କରିଦେଇଥିଲେ । ଏହାପରେ ଅସହାୟ ନିଲମ ନିକଟରେ ଥିବା ନିର-ଛିର ଛକ ନିକଟ କାକାଦେବ ଅଞ୍ଚଳରେ
ଭିକାରୀମାନଙ୍କ ସହ ରହିବାକୁ ବାଧ୍ୟ ହୋଇଥିଲେ।
ଏହି ସମୟରେ କୋରୋନା ସଙ୍କଟ ଆରମ୍ଭ ହୋଇଥିଲା ଯେଉଁଥିପାଇଁ ସରକାର ଲକଡାଉନ ଘୋଷଣା କରିଥିଲେ । ଏହାପରେ ପରିସ୍ଥିତି ଏପରି ହୋଇଯାଇଥିଲା ଯେ, ପୂର୍ବରୁ ଯାହା ଖାଇବାକୁ ମିଳୁଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା । ଭିକ୍ଷା ବୃତ୍ତି କରି ପେଟ ପୋଷୁଥିବା ନିଲମଙ୍କ ସବୁ ବାଟ ବନ୍ଦ ହୋଇଯାଇଥିଲା । ଏପରି ସ୍ଥିତିରେ କାନପୁରର ବାସିନ୍ଦା ଲାଲତା ପ୍ରସାଦଙ୍କ ସହ ନିଲମର ଦେଖା ହୋଇଥିଲା । ସେ ତାଙ୍କ ଡ୍ରାଇଭର ଅନିଲଙ୍କୁ ପ୍ରତିଦିନ ନିଲମ ଓ ତାଙ୍କ ସହ ରହୁଥିବା ଲୋକଙ୍କୁ ଖାଇବାକୁ ଦେବାକୁ କହିଥିଲେ । ପ୍ରାୟ 45 ଦିନରୁ ଉର୍ଦ୍ଧ୍ବ ଧରି ଅନିଲ ନିଲମଙ୍କ ସମେତ ଅନ୍ୟ ଭିକାରୀମାନଙ୍କୁ ଖାଦ୍ୟ ଯୋଗାଉଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଧୀରେ ଧୀରେ, ଯେତେବେଳେ ଅନିଲଙ୍କ ପିତା ଝିଅର ଇଚ୍ଛା ଜାଣିବାକୁ ଚାହିଁଲେ, ନିଲମ ଏହି ବିବାହରେ ରାଜି ହୋଇଥିଲେ। ତା’ପରେ ସମସ୍ତଙ୍କ ସହଯୋଗରେ ଅନିଲ ଏବଂ ନିଲମଙ୍କ ବିବାହ କରାଯାଇଥିଲା ।