ନୂଆଦିଲ୍ଲୀ: ବିସିଜି ଟିକାକୁ ନେଇ ଅନେକ ଦ୍ବନ୍ଦ ଲାଗି ରହିଛି । ବିସିଜି ଟିକା ଦ୍ବାରା କୋରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ତାକୁ ରିସର୍ଚ୍ଚ ଆରମ୍ଭ ହୋଇଛି । ଭାରତରେ ଜନ୍ମ ନେଉଥିବା ପ୍ରତ୍ୟେକ ଶିଶୁକୁ ବାସିଲସ୍ କାଲମେଟ୍ ଗୁଏରିନ୍ (ବିସିଜି) ଟିକା ଦିଆଯାଏ। ମାତ୍ର ଏହା କଣ କୋରୋନା ଭାଇରସ ସହ ଲଢିବାରେ ସାହାଯ୍ୟ କରିବ । ତାହାକୁ ନେଇ ଦ୍ବନ୍ଦ ଦେଖାଦେଇଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ଦେଶର 5ଟି ମେଡିକାଲ ସଂସ୍ଥାକୁ ଟିକା ପରୀକ୍ଷା ପାଇଁ ଦାୟିତ୍ବ ଦେଇଛନ୍ତି ।
ଏହି ସଂସ୍ଥାନ ମଧ୍ୟରେ ପଣ୍ଡିତ ଭଗବତ ଦିନଲ ଶର୍ମା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ମଧ୍ୟ ଅନ୍ତର୍ଭୁକ୍ତ। ରୋହତକ ପିଜିଆଇର କମ୍ୟୁନିଟି ମେଡିସିନ୍ ବିଭାଗକୁ ଏହି ଦାୟିତ୍ବ ଦିଆଯାଇଛି । ରୋହତକ ପିଜିଆଇର ପ୍ରିନ୍ସିପାଲ୍ ପ୍ରଫେସର ସବିତା ବର୍ମା କହିଛନ୍ତି ଯେ, ଏହା ଟୀକାକରଣର ଏକ କ୍ଲିନିକାଲ୍ ପରୀକ୍ଷା । ପଜିଟିଭ୍ ଥିବା ରୋଗୀଙ୍କ ସମ୍ପର୍କରେ ଆସୁଥିବା ପରିବାର ଲୋକ କିମ୍ବା ସ୍ବାସ୍ଥକର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ରୋକି ପାରୁଛି କି ନାହିଁ ତାହା ଦେଖାଯିବ ।
ଯକ୍ଷ୍ମା ରୋଗରେ ବ୍ୟବହୃତ ବିସିଜି ଟିକା ପରୀକ୍ଷା ସେହି ଲୋକଙ୍କ ଉପରେ କରାଯିବ ଯେଉଁମାନେ କୋରୋନା ସଂକ୍ରମିତ ରୋଗୀଙ୍କ ନିକଟତର ହୋଇଥିଲେ। ଏଥିରେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀ ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ କୋରୋନା ପଜିଟିଭ ରୋଗୀଙ୍କ ପରିବାର ଉପରେ ମଧ୍ୟ ପରୀକ୍ଷା କରାଯିବ। ରୋହତକ PGI ରେ 175 ଜଣଙ୍କ ଉପରେ ବିସିଜି ଟିକା ପରୀକ୍ଷା କରାଯିବ। ଟୀକାକରଣ ପରେ ମାସେ ପର୍ଯ୍ୟନ୍ତ ସେମାନଙ୍କୁ ଡାକ୍ତରୀ ନିରିକ୍ଷଣ କରାଯିବ।
ସବିତା ବର୍ମା କହିଛନ୍ତି ଯେ, ସର୍ବପ୍ରଥମେ ଡାକ୍ତରଖାନାରେ ରୋଗୀକୁ ତଦାରଖ କରୁଥିବା ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା ହେବ। ପରେ ସେମାନଙ୍କ ଅନୁମତି ପରେ ଏହି ପରୀକ୍ଷା କରାଯିବ । ପ୍ରଫେସର ଗୋବର୍ଦ୍ଧନ ଦାସ କହିଛନ୍ତି ଯେ, ଆମେରିକା, ଇଟାଲୀ, ସ୍ପେନ୍, ନେଦରଲ୍ୟାଣ୍ଡରେ ବିସିଜି ଟିକା ଦିଆଯାଉ ନାହିଁ ଓ ସେଠାରେ କୋରୋନା ରୋଗର ମାତ୍ରା ଅଧିକ। ବ୍ରାଜିଲ, ଜାପାନ ନିଜ ଦେଶରେ ବିସିଜି ଟିକା ଦେଉଥିବାବେଳେ ସେଠାରେ କୋଭିଡ-19 ହାର କମ୍ ରହିଛି। ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନ AIIMS ର ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ କହିଛନ୍ତି, ବିସିଜି ଟିକା ଠାରୁ କୋରୋନା ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।