ଡେରାଡୁନ: ଚାମୋଲି ଜିଲ୍ଲାର ତପୋବନ ଟନେଲରେ ଜାରି ରହିଛି ଜୀବନ ବଞ୍ଚାଇବାର ଯୁଦ୍ଧ । ଦେବଭୂମିରେ ଦେବଦୂତ ସାଜି ନିଖୋଜ ଲୋକଙ୍କ ଉଦ୍ଧାରରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ଆଇଟିବିପିର ଯବାନ ଉଦ୍ଧାର କାର୍ଯ୍ୟରେ ସ୍ନାଇପର କୁକୁରର ସାହାଯ୍ୟ ମଧ୍ୟ ନେଉଛନ୍ତି ।
ଉତ୍ତରାଖଣ୍ଡ ଏଡିଜି ମନୋଜ ରାୱତଙ୍କ ସୂଚନା ଅନୁଯାୟୀ, ହିମସ୍ଖଳନ ଯୋଗୁଁ କ୍ଷୟକ୍ଷତିକୁ ହ୍ରାସ କରିବାକୁ ପ୍ରୟାସ ଜାରି ରହିଛି । ଅନେକ ଲୋକ ଘଟଣାରେ ନିଖୋଜ ରହିଛନ୍ତି । ବିଶେଷ କରି ଏନଟିପିସି ଡ୍ୟାମରେ କାମ କରୁଥିବା ଲୋକେ ନିଖୋଜ ରହିଥିବା ବେଳେ ଡ୍ୟାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ସେପଟେ ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା 19 ମୃତଦେହ ଉଦ୍ଧାର କରାଯାଇସାରିଥିବା ବେଳେ ନିଖୋଜଙ୍କ ସଂଖ୍ୟା 200ରୁ ଉର୍ଦ୍ଧ୍ବ ହେବ । ଟନେଲରେ 80 ମିଟର ପର୍ଯ୍ୟନ୍ତ ଭଗ୍ନାବଶେଷକୁ ସଫା କରାଯାଇସାରିଛି । ମେସିନ ଜରିଆରେ ଭଗ୍ନାବଶେଷକୁ ସଫା କରିବା କାର୍ଯ୍ୟ ଜାରି ରହିଛି । ସଂଧ୍ୟାସୁଦ୍ଧା ସଫଳତା ମିଳିବା ନେଇ କହିଛନ୍ତି ଡିଜିପି ।
ଉତ୍ତରାଖଣ୍ଡ ପୋଲିସ ଟ୍ବିଟ କରି କହିଛି, ରବିବାର ହୋଇଥିବା ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 202 ଜଣ ନିଖୋଜ ନେଇ ସୂଚନା ମିଳିଛି । ଅନ୍ୟପକ୍ଷେ 19 ଜଣଙ୍କ ମୃତଦେହ ଉଦ୍ଧାର ସରିଲାଣି । ଦୁଃଖର ଏହି ସମୟରେ ପ୍ରଶାସନ ଜନସାଧାରଣଙ୍କ ସହ ରହିଛି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅପିଲ କରିଛି ଉତ୍ତରାଖଣ୍ଡ ପୋଲିସ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଧାର ସମୟର କିଛି ଫଟୋ ଟ୍ବିଟରରେ ସେୟାର କରି କହିଛନ୍ତି, ବନ୍ୟା ଯୋଗୁଁ ବ୍ରିଜ ଭାଙ୍ଗି ହୋଇଯାଇଥିବାରୁ ଆଇଟିବିପି ଯବାନମାନେ ଉତ୍ତରାଖଣ୍ଡରେ ହେଲିକପ୍ଟର ସାହାଯ୍ୟରେ ପ୍ରାୟ 9ଟି ଗାଁର ଫସି ରହିଥିବା ଲୋକଙ୍କୁ ରାସନ ପ୍ୟାକେଟ ଯୋଗାଉଛନ୍ତି ।