ଆଜମଗଡ: ଉତ୍ତର ପ୍ରଦେଶ ଆଜମଗଡରେ ସାମ୍ନାକୁ ଆସିଛି ନିଆରା ଦୃଶ୍ୟ । ଯେଉଁଠି ବର ବାହାହେବାକୁ ବରଯାତ୍ରୀ ଧରି ଯାଇଥିବାବେଳେ ବାହା ନହୋଇ ଫେରିଆସିଛନ୍ତି । ଯାହା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ ।
କଥା କ'ଣ କି, ବାହାଘର ପାଇଁ ବରବେଶରେ ସଜେଇ ହୋଇଥିଲେ ବର । ଆଉ ସାଥିରେ ଥିଲେ ବରଯାତ୍ରୀ । କନ୍ୟାଘରକୁ ଯିବାକୁ ବଡ ଧୁମଧାମରେ ବାହାରିଥିଲେ ବରଯାତ୍ରୀ । ହେଲେ କନିଆଁ ଘର ପାଇ ନଥିଲେ । ରାତିଯାକ ବହୁତ ଖୋଜାଖୋଜି କରିବା ପରେ ଶେଷରେ ଝିଅ ଘର ନପାଇଁ ବାଧ୍ୟହୋଇ ବର ସହ ବରଯାତ୍ରୀ ଘରକୁ ଫେରିବାକୁ ପଡିଛି ।
ମିଳିଥିବା ସୂଚନା ଅନୁସାରେ, ଏହି ବରଯାତ୍ରୀ ଆଜମଗଡ ସହରର କାଶୀରାମ କଲୋନୀରୁ 10 ଡିସେମ୍ବରରରେ ବାହାରି ମଉ ଜିଲ୍ଲାର ରାନୀପୁର ଅଭିମୁଖେ ବାହାରିଥିଲା । ଉଭୟ ବର ଓ କନ୍ୟା ପକ୍ଷ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଏକ ଦୋକାନରେ ଝିଅକୁ ଦେଖିବା ପରେ ଦୁଇ ପରିବାରର ସହମତିରେ ସେହି ଦୋକାନରେ ବିବାହ କରିବାକୁ ସ୍ଥିର ହୋଇଥିଲା । ମାତ୍ର ସେତେବେଳ ଯାଁଏ ବରପକ୍ଷ କନ୍ୟାଘର କିମ୍ବା ଗ୍ରାମକୁ ଯାଇ ନଥିଲେ । ହେଲେ ଏହି କାହାଣୀରେ ସେତେବେଳେ ଟ୍ବିଷ୍ଟ ଆସିଥିଲା । ଯେତେବେଳେ ବରଯାତ୍ରୀ ସେହି ଦୋକାନରେ ପହଞ୍ଚିବା ପରେ କନ୍ୟାଘର ଲୋକେ ସେହି ସ୍ଥାନରେ ନଥିଲେ ।
ଏହାସହ ବାଜା, ରୋଷଣୀ ବାବଦକୁ ବରପକ୍ଷଙ୍କ ଠାରୁ କନ୍ୟାଘର ଲୋକେ 20 ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ମାତ୍ର ବିବାହ ଦିନ ନିର୍ଦ୍ଧାରିତ ଦୋକାନରେ କନ୍ୟାପକ୍ଷ ଲୋକଙ୍କୁ ନପାଇବା ପରେ, ସେ ଦେଇଥିବା ଠିକଣା ଗାଁକୁ ଯାଇଥିଲେ । ମାତ୍ର ସେଠାରେ ବି କନ୍ୟା କିମ୍ବା ତାଙ୍କ ପରିବାର ସମ୍ବନ୍ଧରେ କିଛି ସୂଚନା ମିଳିପାରି ନଥିଲା । ଶେଷରେ ନିରୁପାୟ ହୋଇ ବର ସହ ବରଯାତ୍ରୀଙ୍କୁ ଶିଶୁପାଲ ହୋଇ ଫେରିବାକୁ ପଡିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।