ନୂଆଦିଲ୍ଲୀ: କେତେକ ବଲିଉଡ ବ୍ୟକ୍ତିତ୍ବ ଜମ୍ମୁକାଶ୍ମୀରରେ ହିଂସାକୁ ଉତ୍ସାହିତ କରୁଥିବା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ତାଙ୍କ ପାଖରେ ଏନେଇ କିଛି ପ୍ରମାଣ ହସ୍ତଗତ ହୋଇଥିବା କଥା ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଏଭଳି ଲୋକଙ୍କୁ ବୟକଟ କରିବାକୁ ସେ ଦେଶପ୍ରେମୀଙ୍କୁ ଆହ୍ବାନ ଦେଇଛନ୍ତି ।
ବିଜେପିର ରାଷ୍ଟ୍ରୀୟ ଉପସଭାପତି ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି , ‘କେତେକ ବଲିଉଡ ବ୍ୟକ୍ତିତ୍ବ ବ୍ୟକ୍ତିଗତ ତଥା ବ୍ୟବସାୟିକ ଭାବେ ନିର୍ଦ୍ଦିଷ୍ଟ ପାକିସ୍ତାନୀ ଏବଂ ଏନଆରଆଇ ମାନଙ୍କ ସହିତ ସଂପର୍କରେ ରହିଛନ୍ତି । ଏହା ଦ୍ବାରା ସେମାନେ ଜମ୍ମୁକାଶ୍ମୀରରେ ହିଂସାକୁ ଉତ୍ସାହିତ କରୁଥିବା ଜଣାପଡିଛି । ସେମାନଙ୍କ ସହ ଆଇଏସଆଇ ଓ ପାକ ଆର୍ମି ସହିତ ଲିଙ୍କ ରହିଛି । ତେଣୁ ମୁଁ ଦେଶପ୍ରେମୀମାନଙ୍କୁ ସେହି ବଲିଉଡ ବ୍ୟକ୍ତିତ୍ବଙ୍କୁ ବୟକଟ କରିବାକୁ ଅନୁରୋଧ କରୁଛି ।’
ପୂର୍ବରୁ ମଧ୍ୟ ଅନେକଥର ବଲିଉଡ ସହ ପାକିସ୍ତାନ-ଆତଙ୍କବାଦ ସଂପର୍କ ରହିଥିବା ଅଭିଯୋଗ ହୋଇଆସିଛି । ବିଜେପିର ରାଷ୍ଟ୍ରୀୟ ଉପସଭାପତିଙ୍କ ଏହି ଟ୍ବିଟ ବଲିଉଡର କେଉଁ ବ୍ୟକ୍ତିତ୍ବଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ତାହା ରହସ୍ୟ ଘେରରେ ରହିଛି ।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ମାଫିଆରାଜକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠିଛି । ଅଭିନେତ୍ରୀ କଙ୍ଗନା ରାଣାୱତ ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବିଭିନ୍ନ ନିର୍ଦ୍ଦେଶକ ଓ ଅଭିନେତାଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣିଥିଲେ। ଏହା ସହ ତାପସୀ ପନ୍ନୁ, ସ୍ବରା ଭାସ୍କର ଓ ରିଚା ଚଢାଙ୍କୁ ମଧ୍ୟ ସମାଲୋଚନା କରିଥିଲେ ।
ବ୍ୟୁରା ରିପୋର୍ଟ, ଇଟିଭି ଭାରତ