ନୂଆଦିଲ୍ଲୀ: 3 ଦିନର ଛୁଟି ପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ପୁଣି ଥରେ ଅଯୋଧ୍ୟା ମାମଲାର ଶୁଣାଣି ହୋଇଛି । ଆଜି ଦିନ ତମାମ ଉଭୟ ପକ୍ଷର ଓକିଲ ନିଜ ନିଜ ଦାବି ଉପସ୍ଥାପନା କରିବା ପରେ ଆସନ୍ତା କାଲି ପର୍ଯ୍ୟନ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି କୋର୍ଟ । ଆଜି ଶୁଣାଣିର ପଞ୍ଚମ ଦିନ ହୋଇଥିବା ବେଳେ ବିବାଦୀୟ ସ୍ଥଳରେ କୌଣସି ମନ୍ଦିର ଥିଲା କି ନାହିଁ ସେ ନେଇ ଯୁକ୍ତି ହୋଇଥିଲା ।
ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ । ରାମଲଲା ବିରାଜମାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ପରାସରନ ନିଜ ଯୁକ୍ତି ଉପସ୍ଥାପନା କରି କହିଥିଲେ, ବିବାଦୀୟ ସ୍ଥଳରେ ମନ୍ଦିର ଥିବା ନେଇ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର 3 ନ୍ୟାୟାଧିଶଙ୍କ ଖଣ୍ଡପୀଠ ନିଜ ଶୁଣାଣିରେ କହିଥିଲେ । ମନ୍ଦିରର ଅବଶେଷରେ ମସଜିଦ ନିର୍ମାଣ କରାଯାଇଥିବା ଖଣ୍ଡପୀଠ କହିଥିଲେ ।
ତେବେ ଶୁଣାଣି ସମୟରେ ଜଷ୍ଟିସ୍ ଚନ୍ଦ୍ରଚୂଡ ରାମଲଲା ବିରାଜମାନଙ୍କ ଠାରୁ ଜମିରେ ମାଲିକାନା ଥିବା ପ୍ରମାଣପତ୍ର ମାଗିଥିଲେ । ଏହାପରେ ରାମଲଲା ବିରାଜମାନଙ୍କ ତରଫରୁ ବରିଷ୍ଠ ଓକିଲ ପରାସରନ କହିଥିଲେ , ପୂର୍ଣ୍ଣ ନ୍ୟାୟ କରିବା ସୁପ୍ରିମକୋର୍ଟଙ୍କର ବିଶିଷ୍ଟ କ୍ଷେତ୍ରାଧୀକାରରେ ଆସୁଛି । ମସଜିଦ ପୂର୍ବରୁ ମନ୍ଦିର ଥିଲା । ଏହି ସମ୍ବନ୍ଧିତ ପ୍ରମାଣ ଆମେ କୋର୍ଟ ସମକ୍ଷରେ ରଖିବୁ ।
ଏହାପରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗାଇ କହିଥିଲେ, ସମସ୍ତ ଓକିଲଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯିବ । ତତ୍କାଳ ଶୁଣାଣିର କୌଣସି ଆବଶ୍ୟକତା ନାହିଁ । ଓକିଲ ନିଜ ପକ୍ଷ ରଖିବା ପାଇଁ ସମୟ ନେଇପାରିବେ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ପ୍ରସଙ୍ଗରେ ମଧ୍ୟସ୍ଥତା ବିଫଳ ହେବାପରେ ଅଗଷ୍ଟ ୬ରୁ ସୁପ୍ରିମକୋର୍ଟରେ ଏହି ମାମଲା ନିୟମିତ ଶୁଣାଣୀ ହେବ ବୋଲି ନିର୍ଦ୍ଧାରିତ କରାଯାଇଥିଲା । ଏହି କ୍ରମରେ ଆଜି ଅଦାଲତରେ ଶୁଣାଣି କରାଯାଇଛି ।