ଲକ୍ଷ୍ନୌ: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି) ନିଷ୍ପତ୍ତିକୁ ସମର୍ଥନ ଦେଇନାହାନ୍ତି ଅଯୋଧ୍ୟା ମାମଲାର ମୁସଲିମ ପକ୍ଷକାର ଇକବାଲ ଅନସାରୀ।
ନିକଟରେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ଅନସାରୀ କହିଥିଲେ ଯେ, ସେ ଏହି ନିଷ୍ପତ୍ତି ଉପରେ ପୁନଃବିଚାର ଆବେଦନ କରିବେ ନାହିଁ । ମାତ୍ର ଗତ ରବିବାର ଲକ୍ଷ୍ନୌର ମୁମତାଜ ଡିଗ୍ରୀ କଲେଜରେ ଏଆଇଏମପିଏଲବି ଏକ ବୈଠକ କରି ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସମୀକ୍ଷା ଆବେଦନ ଦାଏର ହେବା ନେଇ ନିଷ୍ପତ୍ତି ହୋଇଛି। ଏହାସହିତ ମସଜିଦ ପାଇଁ ମିଳୁଥିବା 5 ଏକର ବିକଳ୍ପ ଜମି ମଧ୍ୟ ସ୍ବୀକାର ନକରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।
ତେବେ ଏହି ବୈଠକର କିଛି ସମୟ ପରେ ଅନସାରୀ ନିଜର ମତ ରଖି କହିଛନ୍ତି ଯେ ସୁପ୍ରିମକୋର୍ଟ ରାୟ ବିରୋଧରେ ପୁନଃବିଚାର ଆବେଦନର କୌଣସି ଅର୍ଥ ନାହିଁ । କାରଣ ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ଏହାସହ ସେ କହିଥିଲେ ବର୍ତ୍ତମାନର ସମୟରେ ମୁଁ ମନ୍ଦିର-ମସଜିଦ୍ ମାମଲାକୁ ସମାପ୍ତ କରିବାକୁ ଚାହୁଁଛି।