ହାଇଦ୍ରାବାଦ: ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ'ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଇଥିବାରୁ ମୋଦିଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ମିଳିଛି । ତେବେ 2014 ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରଠାରୁ ତାଙ୍କୁ ଅନେକ ବିଦେଶୀ ରାଷ୍ଟ୍ର ସମ୍ମାନିତ କରିଛନ୍ତି । ନଜର ପକାନ୍ତୁ ମୋଦି ପାଇଥିବା ସମ୍ମାନଗୁଡିକ ଉପରେ ।
2016 ମସିହା ଏପ୍ରିଲ 3ରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ । ତାଙ୍କୁ ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ 'ଜାୟେଦ ମେଡାଲ'ରେ ସମ୍ମାନିତ କରାଯାଇଥିଲା । ୟୁଏଇ ରାଷ୍ଟ୍ରପତି ଖଲିଫା ବିନ୍ ଜାୟେଦ ଅଲ ନାହୟାନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ରଣନୈତିକ ସମ୍ପର୍କରେ ମୋଦିଙ୍କ ଉଲ୍ଲେଖନୀୟ ଭୂମିକା ଯୋଗୁଁ ତାଙ୍କୁ ଏହି ସମ୍ମାନ ମିଳିଥିଲା । 'ଜାୟେଦ ମେଡାଲ' ରାଜା, ରାଷ୍ଟ୍ରପତି ଏବଂ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ ।
ଏହାପରେ 2016 ଏପ୍ରିଲ 4 ତାରିଖରେ ମୋଦିଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅମାନୁଲ୍ଲାହ ଖାନ (ଗାଜୀ)' ରେ ସମ୍ମାନିତ କରାଯାଇଥିଲା ।
2018 ଫେବୃଆରୀ 10 ରେ ମୋଦିଙ୍କୁ 'ଗ୍ରାଣ୍ଡ କୋଲାର ଅଫ ଦି ଷ୍ଟେଟ ଅଫ ପାଲେଷ୍ଟାଇନ' ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ପାଇଁ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।
ସେହିପରି 2018 ମସିହା ଏକ୍ଟୋବର 3 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ 'ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ' ରେ ସମ୍ମାନିତ କରାଯାଇଥିଲା । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ୨୦୨୨ ସୁଦ୍ଧା ଭାରତରୁ ମାତ୍ର ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ସେଥିପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହାପରେ 2018 ମସିହା ଏକ୍ଟୋବର 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ସିଓଲ ଶାନ୍ତି' ପୁରସ୍କାର ମିଳିଥିଲା । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ମିଳିଥିଲା । ବିଶ୍ବଶାନ୍ତିରେ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ତେବେ ମୋଦି ଏହି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ । ବିଶ୍ବର ୧୪ତମ ବ୍ୟକ୍ତି ଭାବେ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
2019 ଏପ୍ରିଲ 12 ରେ ମୋଦିଙ୍କୁ ଋଷିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୟୁ ଦି ଆପୋଷ୍ଟଲ’ରେ ସମ୍ମାନିତ କରାଯାଇଥିଲା । ଭାରତ ଓ ଋଷିଆ ମଧ୍ୟରେ ସର୍ବୋଚ୍ଚ ସାମରିକ ଭାଗିଦାରୀତା ଏବଂ ଉଭୟ ଦେଶର ସମ୍ପର୍କକୁ ମଜବୁତ କରିବାରେ ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
2019 ଜୁନ 8 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ 'ରୁଲ ଅଫ୍ ନିଶାନ ଇଜ୍ଜୁଦ୍ଦିନ'ରେ ସମ୍ମାନିତ କରାଯାଇଲା । ରୁଲ୍ ଅଫ୍ ନିଶାନ ଇଜ୍ଜୁଦ୍ଦିନ ମାଳଦ୍ବପର ସର୍ବୋଚ୍ଚ ସମ୍ମାନ ଅଟେ । ଏହାକୁ ମାଳଦ୍ବୀପର ନାଗରିକଙ୍କ ସହ ବିଦେଶୀମାନଙ୍କୁ ବି ପ୍ରଦାନ କରାଯାଇଥାଏ ।