ବିଗତ ଚାରିବର୍ଷ ହେଲା ଭାରତ ଏବଂ ଅଷ୍ଟ୍ରେଲିଆ ଏକ ଗୁରୁତ୍ଵପୂର୍ଣ୍ଣ ସାମରିକ ଓ କୂଟନୀତିକ ସମ୍ପର୍କରେ ଭାଗିଦାର ହୋଇଛନ୍ତି ବୋଲି କହନ୍ତି ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ହାରିନ୍ଦର ସିଦ୍ଧୁ। ଏ ଭିତରେ ଦୁଇ ଦେଶ ଭିତରେ ଅର୍ଥନୀତିକ ଓ ବାଣିଜ୍ୟିକ ସମ୍ପର୍କ ତଥା କୂଟନୀତିକ ସମ୍ପର୍କ ରକ୍ଷା ପାଇଁ ଅନେକ ଦ୍ଵିପାକ୍ଷିକ ଏବଂ ବହୁ ପାକ୍ଷିକ ବୁଝାମଣା ସ୍ଵାକ୍ଷର ହୋଇଛି।
ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ବୁଝାମଣା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୪ ମସିହାରେ ଏହିପରି ଚୁକ୍ତି ସଂଖ୍ୟା ମାତ୍ର ଥିବାବେଳେ ୨୦୧୪ ବେଳକୁ ତାହା ୩୯ରେ ପହଞ୍ଚିଛି । ଏବେ ଦୁଇ ଦେଶ ସମ୍ପର୍କର ନୂଆ ମାଇଲଖୁଣ୍ଟ ସ୍ଥାପନ ଲାଗି ଉଭୟ ଦେଶ ମଧ୍ୟରେ ସୈନ୍ୟ ସଞ୍ଚାଳନ ତଥା ସୈନ୍ୟଙ୍କ ରହିବା ତଥା ଯାତାୟତ କରିବା ବାବଦରେ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷର କରିବାକୁ ଯାଉଛନ୍ତି ବୋଲି ସିଦ୍ଧୁ କହିଛନ୍ତି।
ଦୀର୍ଘ ଚାରିବର୍ଷ ହେଲା ନୂଆଦିଲ୍ଲୀରେ ଉଚ୍ଚାୟୁକ୍ତଙ୍କ ଦାୟିତ୍ଵ ଦୁଲାଇବା ପରେ ଏବେ କାନ୍ବେରା ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ସିଦ୍ଧୁ। ଏହି ଭାରତୀୟ ବଂଶୋଦ୍ଭବ ଦେଶ ସ୍ଵାଧୀନ ହେଲାପରେ ଅଷ୍ଟ୍ରେଲିଆରେ ବସତି ସ୍ଥାପନ କରିଛନ୍ତି। ଆସନ୍ତା କିଛିମାସ ଭିତରେ ଉଭୟ ଦେଶ ଏହି ସୈନ୍ୟ ସଂଚାଳନ ବାବଦୀୟ ଚୁକ୍ତିରେ ସ୍ଵାକ୍ଷର କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହା ହେଲେ ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ। ବୈଦେଶିକ ବ୍ୟାପାର ବାବଦରେ ରୁଚି ରଖୁଥିବା କିଛି ମହିଳା ସମ୍ପାଦକଙ୍କ ସହ କଥାବାର୍ତ୍ତା ସମୟରେ ସିଦ୍ଧୁ କହିଛନ୍ତି, ଆମ ଭିତରେ ଅନେକ ସାମଞ୍ଜସ୍ୟ ତଥା ପରସ୍ପରକୁ ଫାଇଦା ଦେବା ଭଳି ବିଷୟ ରହିଛି। ଆମେ ହିନ୍ଦୁ-ପ୍ରଶାନ୍ତ ଅଞ୍ଚଳରେ ସହଯୋଗୀ ଖୋଜୁଛୁ, ଆଉ ଭାରତ ଏଥିରେ ପ୍ରଥମ ପସନ୍ଦ ହୋଇପାରେ। ଭାରତ ଅଷ୍ଟ୍ରେଲିଆ ଠୁ ଭଲ ବନ୍ଧୁ ଆଗକୁ ପାଇବ ନାହିଁ ବୋଲି ବିଚାର କରିବା ଦରକାର।
ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ ସବୁଠାରୁ ଘନିଷ୍ଠ ବନ୍ଧୁ ଭାବେ ଗ୍ରହଣ କରିବା ଦରକାର। ଆମ ଭିତରେ ବନ୍ଧୁତ୍ଵ ନିବିଡ଼ କରିବା ଲାଗି ଅନେକ ସୁଯୋଗ ରହିଛି, ବାସ୍ତବରେ ଏଥିରେ ପ୍ରତିବନ୍ଧକ ନାହିଁ। ଆମେ ଯେଉଁଠି ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ ସେଠାରେ ସେମାନେ ଅଜେୟ ନୁହନ୍ତି।
ଏଣୁ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ବନ୍ଧୁତ୍ଵ ଏସିଆ ମହାଦେଶରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେବ। ‘ଆମେ ଏବେ ଏହି ସାମରିକ ଚୁକ୍ତି ବାବଦରେ ଅଗ୍ରସର ହେଉଛୁ। ମୁଁ ଭାବୁଛି ଚଳିତ ବର୍ଷ ଏହା ଆଲୋକ ଦେଖିବ, ବୋଲି ସିଦ୍ଧୁ କହିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ଅବିକଳ ବୁଝାମଣା ରହିଛି। ନିକଟ ଅତୀତରେ ଶେଷ ହୋଇଥିବା ୨+୨ ଶିଖର ବୈଠକରେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପର ମନ୍ତ୍ରୀମାନେ ଏ ବିଷୟରେ ଆଲୋଚନା କରିଛନ୍ତି। ଜାପାନ ସହ ଏହି ଆଲୋଚନା ସମୟରେ ଆକ୍ଵିଜିସନ୍ ଆଣ୍ଡ କ୍ରସ୍ ସର୍ଭିସିଂ ଏଗ୍ରିମେଣ୍ଟ (ଏସିଏସ୍ଏ) ବୁଝାମଣା ଆଗକୁ ବଢ଼ିଛି।
ଥରେ ଜାପାନ ସହ ଏହି ବୁଝାମଣା ଶେଷ ହେବା ପରେ ଅଷ୍ଟ୍ରେଲିଆ ଏ ଦିଗରେ ଆଗକୁ ବଢ଼ିବ। ଏହା ହେଲେ ଭାରତ ମହାସାଗରୀୟ ଅଞ୍ଚଳରେ ଭାରତୀୟ ନୌବାହିନୀର ଶକ୍ତି ଆହୁରି ମଜଭୁତ ହେବ। ଅଷ୍ଟ୍ରେଲିଆ ଏଥିରେ ହାତ ମିଶାଇ ଦୁର୍ବିପାକ ସମୟର ସହାୟତା ଏବଂ ମାନବ ସହାୟତା ଦିଗରେ
ଯତ୍ନବାନ ହେବ।
ଏ ବାବଦରେ ଆବଶ୍ୟକ ସରକାରୀ ଘୋଷଣା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ଭାରତ ଗସ୍ତ ସମୟରେ ହୋଇପାରେ। ସ୍କଟ୍ ଚଳିତ ମାସରେ ନୂଆଦିଲ୍ଲୀରେ ହୋଇଥିବା ରାଇଜିନା ଡାଇଲଗ୍ରେ ଯୋଗ ଦେବା ପାଇଁ ଭାରତ ଆସିବାକୁ ଥିଲା। ମାତ୍ର କିଛି କାରଣ ବଶତଃ ସେ ଏହି ଗସ୍ତକୁ ଶେଷ ସମୟରେ ବାତିଲ୍ କରିଥିଲେ।
ଅଷ୍ଟ୍ରେଲିଆରେ ଜଙ୍ଗଲ ପୋଡ଼ି ଏହାର ମୁଖ୍ୟ କାରଣ ଥିଲା। ଆଶା କରାଯାଉଛି ଜୁଲାଇ ମାସରେ ସେ ଭାରତ ଗସ୍ତରେ ଆସିବେ । ଆଉ ଏହି ସାମରିକ ସମ୍ପର୍କ ବାବଦରେ ଘୋଷଣା କରିବେ।
ହିନ୍ଦ-ପ୍ରଶାନ୍ତ ମହାସାଗର ଚୀନକୁ ଅବରୋଧ କରିବା ଲକ୍ଷ୍ୟ ରଖିନାହିଁ
ହିନ୍ଦ୍-ପ୍ରଶାନ୍ତ ମହାସାଗର ରଣନୀତି ସମ୍ବନ୍ଧରେ ଯାହା ଅଷ୍ଟ୍ରେଲିଆ ବିଚାର କରୁଛି, ସେଥିରେ ‘ଏସିଆନ୍’ ଦେଶଗୁଡ଼ିକ ସମୟ ସମ୍ପର୍କ ମଜଭୁତ ରଖିବା ପ୍ରୟାସ ଅନ୍ତର୍ଭୁକ୍ତ।
ଏହି ଅଞ୍ଚଳର ଶକ୍ତ ଗଣତନ୍ତ୍ରଗୁଡ଼ିକ ସହ ମିଶି କାର୍ଯ୍ୟ କରିବା, ଏକ ଆମେରିକୀୟ ସହଯୋଗୀ ଭାବେ ଏହି ରାଷ୍ଟ୍ରଗୁଡ଼ିକ ସହ ବାଣିଜ୍ୟେକ ସମ୍ପର୍କକୁ ବୃଦ୍ଧି କରିବା ଏବଂ ଚୀନକୁ କରିବା ନୁହେଁ ବରଂ ଏହାସହ ଗଠନମୂଳକ ବାଣିଜ୍ୟିକ ସମ୍ପର୍କ ରକ୍ଷା କରିବା ପ୍ରଭୃତି ଏହି ବୁଝାମଣାର ଲକ୍ଷ୍ୟ ରହିଛି।
ଆମେ ଏମିତି ଏକ ହିନ୍ଦ୍-ପ୍ରଶାନ୍ତ ଅଞ୍ଚଳ ଚାହୁଁଛୁ । ଯାହା ମୁକ୍ତ ହୋଇଥିବ, ଯେଉଁଠାରେ ଥିବା ଦେଶଗୁଡ଼ିକ ସାର୍ବଭୌମ ଏବଂ ନିଜର ସ୍ଵାଧୀନତାକୁ ଉପଯୋଗ କରିବା ପାଇଁ ସ୍ଵାଧୀନ ଥିବେ। ଏହିକ୍ରମରେ ଦେଖିବାକୁ ଗଲେ ଆମେ ଭାବୁଛୁ ଭାରତର କୌଣସି ବିକଳ୍ପ ନାହିଁ। ହିନ୍ଦ୍-ପ୍ରଶାନ୍ତ ସାଧାରଣ ଲକ୍ଷ୍ୟ ବାବଦରେ ଆଲୋଚନା କରିବା ସମୟରେ ସିଦ୍ଧୁ ଏହା କହିଛନ୍ତି।
ରାଇଜିନା ଶିଖର ବୈଠକ ସମୟରେ ଋଷ ବୈଦେଶିକ ମନ୍ତ୍ରୀ ଲାଭ୍ରବ୍ଙ୍କ ହିନ୍ଦ୍-ପ୍ରଶାନ୍ତ ସମ୍ପର୍କିତ ମନ୍ତବ୍ୟରେ ଏହା ଚୀନ୍କୁ ବିରୋଧ କରିବା ଲାଗି ଆମେରିକାର ଏକ ଚାଲ୍ ବୋଲି କହିବା ପ୍ରସଙ୍ଗକୁ ସିଦ୍ଧୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏମିତି କୌଣସି ପରିଯୋଜନା ନୁହେଁ ଯାହା କୌଣସି ଗୋଟିଏ ଦେଶର ଚାପରେ ଆଗକୁ ବଢ଼ିଛି।
ପୁଣି ଏହି ଯୋଜନାରେ କୌଣସି ଦେଶକୁ ଅଲଗା କରି ରଖିବା ଉଦ୍ଦେଶ୍ୟ ନାହିଁ। ଏହା ଏମିତି ଏକ ପରିକଳ୍ପନା ଯେଉଁଠାରେ ଏକ ସାମରିକ ଓ କୂଟନୀତିକ ସମ୍ପର୍କ ରକ୍ଷା ପାଇଁ ପ୍ରୟାସ ହୋଇଛି। ଅପରପକ୍ଷେ ଦେଖିବାକୁ ଗଲେ ଚୀନ୍ ହିନ୍ଦ୍-ପ୍ରଶାନ୍ତ ଭୌଗୋଳିକ ସ୍ଥିତିର ଏକ ଅଭିନ୍ନ ଅଙ୍ଗ।
ଆମେରିକା ଏବଂ ଜାପାନ ସହ ଭାରତର ନୌ-ସାମରିକ ଯୁଦ୍ଧ ଅଭ୍ୟାସ ତଥା ମାଲାବାର୍ ଅଭ୍ୟାସରେ ଅଷ୍ଟ୍ରେଲିଆ ସାମିଲ୍ ହେବା ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଉଛି ସେ ସମ୍ପର୍କରେ ମତ ରଖି ସିଦ୍ଧୁ କହିଛନ୍ତି, ଯଦି ଭାରତ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ ଦିଏ ତେବେ ଅଷ୍ଟ୍ରେଲିଆ ସେଥିରେ ସହମତି ପ୍ରକାଶ କରିବ ଏବଂ ତାହାକୁ ଗ୍ରହଣ କରିବ।
ପାକିସ୍ତାନ ଏଯାଏଁ ଏଫଏଟିଏଫ ଆବଶ୍ୟକତାକୁ ପୂରଣ କରିପାରିନାହିଁ
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯେଗାରେ ଜାତିସଂଘ ଦ୍ଵାରା ଗଠିତ ଏଫଏଟିଏଫ୍ ( ଫିନାନ୍ସିଆଲ ଆକ୍ସନ୍ ଟାସ୍କଫୋର୍ସ) ଦ୍ଵାରା କଳା ତାଲିକାଭୁକ୍ତ ହୋଇଥିବା ପାକିସ୍ତାନକୁ ତାଲିକାରୁ ବାଦ୍ ଦିଆଯିବା ସମ୍ଭାବନା ବାବଦରେ ଉଚ୍ଚାୟୁକ୍ତ କହିଛନ୍ତି, ଏବାବଦରେ କୌଣସି ମତାମତ ରଖିବା ଲାଗି ଅଧିକ ଟେକ୍ନିକାଲ ଅନୁଶୀଳନ ଆବଶ୍ୟକ ରହିଛି।
କିନ୍ତୁ ଯାହା ଅଷ୍ଟ୍ରେଲିଆ ଚାହେଁ ତାହା ହେଲା । ଯେହେତୁ ପାକିସ୍ତାନ ଏଫଏଟିଏଫଙ୍କ ନିର୍ଦ୍ଦେଶନାମା ଅନୁସାରେ ଆବଶ୍ୟକ ସର୍ତ୍ତ ପୂରଣ କରିପାରି ନାହିଁ । ତାହା ଗ୍ରେ-ଲିଷ୍ଟରେ ରହିବା ଉଚିତ। ‘ପ୍ରତିଟି ଏଫଏଟିଏଫ ବୈଠକରେ ଅଷ୍ଟଅଲିଆ ଟେକ୍ନିକାଲ ଧାରାକୁ ଉପସ୍ଥାପନ କରି ଆସୁଛି।
ଆମ ପାଇଁ ଏହାର ଯଥେଷ୍ଟ ଆବଶ୍ୟକ ରହିଛି। ଆମେ ବାସ୍ତବରେ ଏକ ଭଲ ଫଳ ଆଶା କରୁଛି। ଅର୍ଥାତ୍ ପାକିସ୍ତାନକୁ ଯେଉଁ ସର୍ତ୍ତ ପୂରଣ କରିବା ପାଇଁ କୁହାଯାଇଛି ତାହା ହାସଲ କରିବା ଦରକାର। ଏଣୁ ଆମେ ଏ ବାବଦରେ ପାକିସ୍ତାନ କେତେ ସତର୍କ ତାହାକୁ ଅନୁଶୀଳନ କରିଥାଉ।
ଫେବୃୟାରୀ ୧୬ରୁ ୨୧ ତାରିଖ ମଧ୍ୟରେ ପ୍ୟାରିସ୍ ଠାରେ ବସିବାକୁ ଥିବା ଏଫ୍ଏଟିଏଫ୍ ବୈଠକରେ ପାକିସ୍ତାନ ବାବଦରେ ଆଲୋଚନା ହେବ। ନିୟମ ଅନୁସାରେ ପାକିସ୍ତାନ ସର୍ତ୍ତଗୁଡ଼ିକୁ ପୂରଣ କରିଛି ନା ନାହିଁ ଏବଂ ସେ ଏବେ ଗ୍ରେ ତାଲିକାରେ ରହିବ କି ନାହିଁ ସେ ବାବଦରେ ଆଲୋଚନା ହେବା ସମ୍ଭାବନା ରହିଛି।
ଏଫ୍ଏଟିଏଫ୍ର ନଅଟି ସହଯୋଗୀ ସଂସ୍ଥାନ ଭିତରୁ ଏସିଆ ପାସିଫିକ୍ ଗ୍ରୁପ୍ ଏବଂ ଅଷ୍ଟ୍ରେଲିଆ ଚାପ୍ଟର ଏହାର କାନ୍ବେରା ବୈଠକରେ ପାକିସ୍ତାନକୁ ପରିବର୍ଦ୍ଧିତ ବ୍ଲାକ୍ଲିଷ୍ଟରେ ପାକିସ୍ତାନକୁ ସାମିଲ୍ କରିବା ଲାଗି ଯୁକ୍ତି ବାଢ଼ିଥିଲେ। ଆମେ ଯେଉଁ ଟେକ୍ନିକାଲ୍ ଅନୁଶୀଳନ କରିଛୁ ସେଥିରେ ପାକିସ୍ତାନ ଏହାର ସର୍ତ୍ତ ପୂରଣ କରିବା ପାଇଁ ଅସମର୍ଥ ହୋଇଥିବା ପରିଲକ୍ଷିତ ହୋଇଛି।ଏଣୁ ଆମେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରି ରଖିବା ଲାଗି ଯୁକ୍ତି ବାଢ଼ିବୁ।
ଆର୍ ସିଇପିରେ ପୁଣିଥରେ ଯୋଗ ଦେବା ଲାଗି ଭାରତ ଚିନ୍ତା କରିବା ଦରକାର
ଆଞ୍ଚଳିକ ବିସ୍ତୃତ ଅର୍ଥନୀତିକ ସହଭାଗୀତା ( ଆର୍ସିଇପି)କୁ ପୁଣିଥରେ ଭାରତ ଫେରିବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି ସିଦ୍ଧୁ। ସେ କହିଛନ୍ତି ଏହା ଉଭୟ ସମ୍ପୃକ୍ତ ଅଞ୍ଚଳ ଏବଂ ଭାରତ ପାଇଁ ଲାଭ ଦାୟକ ହେବ। ‘ଆମର ସମ୍ପୂଣ୍ଣ ବିଶ୍ଵାସ ରହିଛି ଯେ, ଭାରତ ପୁଣିଥରେ ଆର୍ସିଇପି ଟେବଲ୍କୁ ଫେରିବ’। ଯେଉଁ ପ୍ରସଙ୍ଗକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରୁଛି ସେ ବାବଦରେ ଅଧିକ ଆଲୋଚନା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଆମେ ବିଶ୍ଵାସ କରୁଛୁ। ଭାରତ ଫେରିଲେ ତାହା ଏସିଆନ୍ ଦେଶ ଏବଂ ଭାରତର ରାଜନୀତିକ ଓ ଅର୍ଥନୀତିକ ସମନ୍ବୟ ରକ୍ଷା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ।
ଆମେ ଭାବୁଛୁ ଆର୍ସିଇପି ପାଇଁ ଭାରତର ପ୍ରତ୍ୟାବର୍ତ୍ତନ ଆବଶ୍ୟକ। ଏହା ହେଲେ ସମ୍ପୃକ୍ତ ଦେଶ ଗୁଡ଼ିକରେ ଅର୍ଥନୀତିକ ସମ୍ପର୍କ ବୃଦ୍ଧି ପାଇବ। ଏଣୁ ଆମେ ସବୁବେଳେ ଭାରତକୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତ ରହିଛୁ। ଏଣୁ ଯେତେବଳେ ଭାରତ ଚାହିଁବ ଫେରିପାରିବ। ଏହାସହ ସିଦ୍ଧୁ କହିଛନ୍ତି ମୁକ୍ତି ଏବଂ ଉଦାର ବାଣିଜ୍ୟ ନୀତି ଉଭୟ ଭାରତର ଅର୍ଥନୀତି ଓ ଅର୍ଥନୀତିକ ବିକାଶରେ ସହାୟକ ହେବ।
ମୁକ୍ତ ବାଣିଜ୍ୟ ସମ୍ପର୍କରେ ନିଜର ମନ୍ତବ୍ୟ ରଖି ସିଦ୍ଧୁ କହିଛନ୍ତି, ଦେଶ ଭିତରେ ଆପଣ କ’ଣ କରିପାରିବେ ବା ନକରିପାରିବେ ସେଥିରେ ଅନେକ ପ୍ରତିବନ୍ଧକ ରହିଛି। ଆପଣ ଚାହୁଁଛନ୍ତି ଭାରତକୁ ଏକ ନିର୍ମାଣ ଶିଳ୍ପର ହବ୍ କରିବେ। କିନ୍ତୁ ଏଥିଲାଗି ଆବଶ୍ୟକ କଞ୍ଚାମାଲ ଯେ, ଭାରତରେ କେବଳ ମିଳିବ ତାହା କୁହାଯାଇ ନପାରେ।
ଆପଣଙ୍କୁ ଗୁଣାତ୍ମକ କଞ୍ଚାମାଲ୍, ଜ୍ଞାନ କୌଣଳ ବାହାରୁ ଆମଦାନୀ କରିବାକୁ ପଡ଼ିବ। ସେହିପରି ଉତ୍ପାଦିତ ଜିନିଷ ସବୁ ଭାରତୀୟ ବଜାରରେ ଶେଷ ହେବ
ବୋଲି ଭାବିବା ଭୁଲ୍ ଏଥିଲାଗି ବାହାରକୁ ରପ୍ତାନୀ କରିବାକୁ ହେବ। ଯଦି ଆପଣ ରପ୍ତାନୀ କରିବାକୁ ଚାହିଁବେ ତେବେ ଆପଣଙ୍କୁ ନିଜ ଉତ୍ପାଦ ବିଶ୍ଵସ୍ତରୀୟ ଗୁଣବତ୍ତା ହାସଲ କରିବାକୁ ପଡ଼ିବ।
ଗଣତନ୍ତ୍ରରେ ହିଁ ରହିଛି ଭାରତର ଶକ୍ତି
ନିକଟରେ ସୃଷ୍ଟି ହୋଇଥିବା କଶ୍ମୀର ପରିସ୍ଥିତି ଏବଂ ସିଏଏକୁ ନେଇ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ଓ ପ୍ରତିବାଦ ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ଏହି ରାଷ୍ଟ୍ରଦୂତ। ସେ କହିଛନ୍ତି ପ୍ରକୃତ ଭାରତ ଏହାର ଗଣତନ୍ତ୍ର ଭିତରେ ହିଁ ଅନ୍ତର୍ନିହିତ।
ଏଠାରେ ଥିବା ବହୁ ଦଳୀୟ ଗଣତନ୍ତ୍ର ହେଉଛି ଏହାର ସମ୍ପଦ। ଆମେ ଯେତେବେଳେ ହିନ୍ଦ-ପ୍ରଶାନ୍ତ ପ୍ରକଳ୍ପରେ ଏକାଠି ହେବାକୁ ଯୋଜନା କରିଛୁ ଏହା ପଛର ଏକ ବଳିଷ୍ଠ କାରଣ ହେଉଛି ଏ ଅଞ୍ଚଳରେ ଥିବା ଗଣତନ୍ତ୍ର ସହ ଯୋଡ଼ିହେବ। ଆମେ ଏହି ଗଣତାନ୍ତ୍ରିକ ପରିବେଶକୁ ସ୍ଵାଗତ କରୁଛୁ ଏବଂ ଆଶା କରୁଛୁ, ଏହି ଅଞ୍ଚଳରେ ଏହି ଗଣତାନ୍ତ୍ରିକ ପରମ୍ପରାର ବିକାଶ ପାଇଁ କାମ କରିବାକୁ ଆମେ ସୁଯୋଗ ସୃଷ୍ଟି କରିବୁ।
ଅଷ୍ଟ୍ରେଲିଆରେ ହୁଆଓ୍ବେଇ ଉପରେ ପ୍ରତିବନ୍ଧକକୁ ସମର୍ଥନ ଚୀନ୍ର ଟେଲିକମ୍ କମ୍ପାନୀ ହୁଆୱଇେକୁ ଅଷ୍ଟ୍ରେଲିଆରେ ଆବଶ୍ୟକ ୫-ଜି ଯନ୍ତ୍ରାଂଶ ଯୋଗାଇବା ନେଇ ଲାଗିଥିବା ପ୍ରତିବନ୍ଧକକୁ ସମଥନ କରିଛନ୍ତି ସିଦ୍ଧୁ । ସେ କହିଛନ୍ତି ଏହା ଅଷ୍ଟ୍ରଲିଆର ଜାତୀୟ ସ୍ଵାର୍ଥ ସମ୍ବଳିତ ନିଷ୍ପତ୍ତି। ୫-ଜି ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ବେଳେ ଆମେ ପ୍ରଥମେ ଅଷ୍ଟ୍ରେଲିଆରେ ସାର୍ବଭୌମତ୍ତ୍ଵକୁ ଧ୍ୟାନ ଦେଇଛୁ।
ଏଣୁ ଏହି ପ୍ରକାର ନିଷ୍ପତ୍ତି ନେବା ବେଳେ ଆମେ କୌଣସି ବିଦେଶୀ କମ୍ପାନୀଙ୍କୁ ଏଥିରେ ଅନ୍ତର୍ଭୁକ୍ତି ପାଇଁ ଅନୁମତି ଦେଇପାରିବୁ ନାହିଁ। ଏହି କ୍ରମରେ ଭାରତ ମଧ୍ୟ ଏହାର ସାର୍ବଭୌମତ୍ତ୍ଵ ରକ୍ଷା ପାଇଁ ଯେଉଁ ନିଷ୍ପତ୍ତି ନେବ ଆମେ ତାହାକୁ ସମ୍ମାନ ଦେବୁ।
ସ୍ମିତା ଶର୍ମା, ଲେଖିକା