ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଛନ୍ତି ଯେ ଯେଉଁ ରାଜ୍ୟ ୟୁପିର ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ଚାହୁଁଛି, ତେବେ ସେମାନଙ୍କୁ ୟୁପି ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏହା ବ୍ୟତୀତ ସେହି ଶ୍ରମିକମାନଙ୍କର ସାମାଜିକ, ଆଇନଗତ ଏବଂ ଅର୍ଥନନୈତିକ ଅଧିକାର ସୁନିଶ୍ଚିତ କରିବାକୁ ପଡିବ । ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର କଂଗ୍ରେସ (ଏନସି) ଏବଂ ଏନସିପି ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ୟୁପି ସରକାରଙ୍କୁ ଅଯୋଗ୍ୟ ତଥା ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ ବୋଲି କହିଛି ।
ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସଚିନ ସାୱନ୍ତ କହିଛନ୍ତି, ‘ପ୍ରବାସୀ ଶ୍ରମିକମାନେ ସର୍ବପ୍ରଥମେ ମଣିଷ ଏବଂ ପରେ ଭାରତୀୟ ନାଗରିକ । ଦେଶର ଯେକୌଣସି ସ୍ଥାନରେ କାମ କରିବାକୁ କାହାକୁ ଅନୁମତି ନେବା ଆବଶ୍ୟକ ନାହିଁ । ଯୋଗୀ ଆଦିତ୍ୟନାଥ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ଏବଂ ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ । ସେ ନିଜର ହିଁ ରାଜ୍ୟବାସୀଙ୍କୁ ଶତ୍ରୁ ବୋଲି ପ୍ରମାଣ କରୁଛନ୍ତି ।’