କୋଭିଡ୍-19 ପରବର୍ତ୍ତୀ ସମୟରେ ଶିକ୍ଷାଗ୍ରହଣ କ୍ଷେତ୍ରରେ ସଙ୍କଟ ସମ୍ପର୍କରେ ସତର୍କ କରାଇ ଦେଇଛି ଶିଶୁମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟରତ ମିଳିତ ଗଣରାଜ୍ୟର ଏକ ସମାଜସେବୀ ସଂସ୍ଥା ‘ସେଭ୍ ଦି ଚିଲ୍ଡ୍ରେନ୍’ । ସଂସ୍ଥାର ‘ସେଭ୍ ଆୱାର ଚିଲ୍ଡ୍ରେନ୍’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ, କୋଭିଡ୍-19 ଯୋଗୁଁ ସାରା ବିଶ୍ବର 1.6 ବିଲିଅନ୍ (ଶହ କୋଟି) ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବ୍ୟାଘାତ ଘଟିଛି, ଯାହାକି ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟାର 91% । ଏହି ଅନୁଧ୍ୟାନରୁ ଆକଳନ କରାଯାଇଛି ଯେ, କୋଭିଡ୍-19 ଯୋଗୁଁ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରୁ ବାହାରି ଯାଉଥିବା ବହୁସଂଖ୍ୟକ ଛାତ୍ରଛାତ୍ରୀ ଆଉ ଶ୍ରେଣୀ କକ୍ଷକୁ ଫେରି ଆସିବେ ନାହିଁ ।
ଭାରତରେ ଏହି ସ୍ଥିତି ସଂପର୍କରେ ‘ସେଭ୍ ଦି ଚିଲ୍ଡ୍ରେନ୍ ଇଣ୍ଡିଆ’ର ଶିକ୍ଷା ଉପନିର୍ଦ୍ଦେଶକ କମଲ ଗୌରଙ୍କ ସହ କଥାବାର୍ତ୍ତା କରିଥିଲେ ଇଟିଭି ଭାରତର କ୍ରିଷ୍ଣାନନ୍ଦ ତ୍ରିପାଠୀ । ସଂପାଦିତ ଉଦ୍ଧୃତାଂଶ:
ଇଟିଭି ଭାରତ: ଏହା ଏକ ବିଶ୍ବସ୍ତରୀୟ ମୂଲ୍ୟାୟନ । ଭାରତରେ ଏବଂ ବିଶ୍ବରେ ଶିକ୍ଷା ଉପରେ କୋଭିଡ୍ର କେତେ ପ୍ରଭାବ ପଡ଼ିବ ?
ସେଭ୍ ଦି ଚିଲ୍ଡ୍ରେନ୍: ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ ‘ୟୁନେସ୍କୋ’ କହେ ଯେ, କୋଭିଡ୍-19 କାରଣରୁ ପୂର୍ବ-ପ୍ରାଥମିକ ସ୍ତରରୁ ତୃତୀୟ ଶ୍ରେଣୀ ସ୍ତର ପର୍ଯ୍ୟନ୍ତ 32 କୋଟି 20 ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ, ଅର୍ଥାତ୍ ସେମାନଙ୍କ ଶିକ୍ଷାଗ୍ରହଣରେ ବ୍ୟାଘାତ ଘଟିବ । ହୁଏତ ସେମାନେ ଅନ୍ଲାଇନ୍ରେ ଶିକ୍ଷାଲାଭ କରୁଛନ୍ତି, କିନ୍ତୁ ଆପଣ ଜାଣନ୍ତିନି ଯେ, ସେମାନଙ୍କ ମଧ୍ୟରୁ କେତେ ଜଣ ବାସ୍ତବରେ ପାଠ ପଢୁଛନ୍ତି । ପିଲାମାନେ ଯଦି ସ୍କୁଲ ବାହାରେ ରହନ୍ତି, ତେବେ ସେମାନେ ଶିକ୍ଷାଲାଭ କରୁନାହାନ୍ତି । ASER (ଆନୁଆଲ ଷ୍ଟାଟସ୍ ଅଫ୍ ଏଜୁକେସନ ରିପୋର୍ଟ) ହେଉ କିମ୍ବା ଭାରତ ସରକାରଙ୍କ NAS (ନ୍ୟାସନାଲ ଆଚିଭ୍ମେଣ୍ଟ ସର୍ଭେ) ରିପୋର୍ଟ ହେଉ, ଏସବୁ ରିପୋର୍ଟରେ କୁହାଯାଇଛି ଯେ, ପିଲାମାନେ ଶିକ୍ଷାଲାଭ କରୁନାହାନ୍ତି ।
ପିଲାମାନେ ପଢୁନାହାନ୍ତି ବୋଲି କୁହାଯାଇଛି ଏବଂ ଏବେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହା ସାରା ବିଶ୍ବରେ ଘଟୁଛି ଏବଂ ଭାରତରେ 32 କୋଟି 20 ଲକ୍ଷ ପିଲାଙ୍କ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବକୁ ଆପଣ ବେଶ କଳ୍ପନା କରିପାରିବେ । ଯେଉଁ ପିଲାମାନେ ଏବେ ବି ସ୍କୁଲ ଯାଇନାହାନ୍ତି, ସେମାନଙ୍କ ଉପରେ ଏହାର ପ୍ରଭାବକୁ କଳ୍ପନା କରନ୍ତୁ । ଯେଉଁ ପିଲାମାନେ ସେମାନଙ୍କ ବାପାମାଆଙ୍କ ସହ ରାସ୍ତାରେ ଅଛନ୍ତି, ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ଶିକ୍ଷାରେ ବ୍ୟାଘାତର ପ୍ରଭାବ କଥା କଳ୍ପନା କରନ୍ତୁ, ଝିଅମାନଙ୍କ ସଂପର୍କରେ କଳ୍ପନା କରନ୍ତୁ ।
ଇଟିଭି ଭାରତ: କେବଳ ଭାରତରେ ଏହି 20 % ପିଲା ପାଠ ଛାଡ଼ିବେ ନା ସାରା ବିଶ୍ବ ପାଇଁ ଏହା ପ୍ରଯୁଜ୍ୟ ?
ସେଭ୍ ଦି ଚିଲ୍ଡ୍ରେନ୍: ଯେ କୌଣସି ଜରୁରୀକାଳୀନ ସ୍ଥିତି ପରେ ହାରାହାରି ଏତିକି ପିଲା ସ୍କୁଲ୍ ଛାଡ଼ିଥାଆନ୍ତି । ବାସ୍ତବରେ କେତେ ପିଲା ପ୍ରଭାବିତ ହେବେ ସେ ସଂପର୍କରେ ଏ ପର୍ଯ୍ୟନ୍ତ ଆକଳନ କରାଯାଇନାହିଁ, କୌଣସି ଗବେଷଣା ହୋଇନାହିଁ, କାରଣ ଅଙ୍ଗନବାଡ଼ି କେନ୍ଦ୍ର ସବୁ ବନ୍ଦ ରହିଛି । ଆମେ ଜାଣିନାହୁଁ ଯେ ରାସ୍ତା କଡ଼ରେ ରହୁଥିବା ପିଲାମାନେ କେଉଁଠି ଅଛନ୍ତି ? ହଠାତ୍ ସମସ୍ତେ ଉଭାନ ହୋଇଗଲେ । ସେମାନଙ୍କର ଶିକ୍ଷାଗ୍ରହଣ କେମିତି ଚାଲିଛି ସେ କଥା ଆମେ ଜାଣିନାହୁଁ ।
ଇଟିଭି ଭାରତ: ସହରାଞ୍ଚଳରେ ମଧ୍ୟବିତ୍ତ ଶ୍ରେଣୀର ବହୁ ପିଲା ଅନ୍ଲାଇନ ଶିକ୍ଷାଗ୍ରହଣ କରୁଛନ୍ତି, ଏହି ବ୍ୟବସ୍ଥା କାମ କରୁଛି କି ?
ସେଭ୍ ଦି ଚିଲ୍ଡ୍ରେନ୍: ପିଲାମାନଙ୍କ କ୍ଷେତ୍ରରେ ଏଭଳି କେବେ ଘଟିନଥିଲା । ପିଲାମାନେ ଦୂରଶିକ୍ଷା ପ୍ରଣାଳୀରେ ଶିକ୍ଷାଗ୍ରହଣରେ ଅଭ୍ୟସ୍ତ ନୁହଁନ୍ତି । ସେମାନେ ଏହା ସହିତ ନିଜକୁ ଖାପ ଖୁଆଉଛନ୍ତି ଏବଂ ଏ ସଂପର୍କରେ ଜାଣୁଛନ୍ତି । ଏହା ଏକ ଭିନ୍ନ ପ୍ରସଙ୍ଗ । ଏମିତି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ କି ଅନ୍ଲାଇନ୍ରେ ଶିକ୍ଷାଦାନ ଲାଗି ପ୍ରସ୍ତୁତ ନୁହଁନ୍ତି ।
ପରିବେଶ ଏମିତି ହୋଇଛି ଯେ ପିଲାଙ୍କ ଉପରେ ବହୁ ଚାପ ପଡୁଛି । ଅନେକ ସମୟରେ ଆମେ ପିଲାମାନଙ୍କୁ ଖୋଲା ସ୍ଥାନରେ, ଖେଳିବା ସହିତ ଶିଖିବା ଢଙ୍ଗରେ ଦେଖିଥାଉ । କିନ୍ତୁ ସେମାନେ ଯେତେବେଳେ ସେମାନଙ୍କ ସାଙ୍ଗସାଥୀ ବିନା, ଶିକ୍ଷକଙ୍କ ବିନା, ଛୋଟ କୋଠରିଟିରେ ଆବଦ୍ଧ ହୋଇଯାଆନ୍ତି, ସେତେବେଳେ ଏହା ଆଦୌ ଅନୁକୂଳ ପରିବେଶ ନୁହେଁ । ସେମାନେ ପ୍ରଶ୍ନ ପଚାରି ପାରିବେନି । ଏହା ଦୁଇପାଖିଆ ଶିକ୍ଷାଲାଭ ବ୍ୟବସ୍ଥା ନୁହେଁ ।
ଇଟିଭି ଭାରତ: ଆପଣଙ୍କ ଆକଳନ ଅନୁସାରେ କ’ଣ ଏହି ଚାରି ମାସ ନଷ୍ଟ ହୋଇଯାଇଛି ?
ସେଭ୍ ଦି ଚିଲ୍ଡ୍ରେନ୍: କୌଣସି ଆକଳନ ବା ମୂଲ୍ୟାୟନ ହେଉ ନଥିବାରୁ ବାସ୍ତବରେ ପାଠପଢ଼ା ହେଉଛି କି ନାହିଁ କହିବା ବହୁତ କଷ୍ଟ । କିନ୍ତୁ ନିଶ୍ଚିତ ଭାବରେ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହୋଇଛି ।
ଇଟିଭି ଭାରତ: ଅନ୍ଲାଇନ ଶିକ୍ଷାଦାନ ଦ୍ବାରା ଡିଜିଟାଲ ବିଭାଜନ ପରିଦୃଷ୍ଟ ହୁଏ, ଗ୍ରାମୀଣ ଭାରତରେ ଶିକ୍ଷାର ସ୍ଥିତି କ’ଣ ?
ସେଭ୍ ଦି ଚିଲ୍ଡ୍ରେନ୍: ବିନା ମୂଲ୍ୟରେ, ଏବଂ ସ୍ବଳ୍ପ ମୂଲ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ଭଳି ବିକଳ୍ପ ଉପାୟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ‘ସେଭ୍ ଦି ଚିଲ୍ଡ୍ରେନ୍ ଇଣ୍ଡିଆ’ ମୋବାଇଲ ଲାଇବ୍ରେରୀ, ଶିକ୍ଷାଗ୍ରହଣ ପାଇଁ କମ୍ୟୁନିଟି ରେଡିଓ ସଂପର୍କରେ କହିଆସୁଛି ।
ଆମେ ବାପାମାଆଙ୍କ ପାଇଁ ଛୋଟ ଛୋଟ କାର୍ଯ୍ୟକ୍ରମର ଯୋଜନା କରିଛୁ । ପରେ, ଯାହାକୁ କି ସେମାନେ ସେମାନଙ୍କ ପିଲାମାନଙ୍କ ସହିତ କରିପାରିବେ । ପାଠପଢ଼ା କେବଳ ଗୋଟିଏ ଦିଗ । ହେଲେ. ବର୍ତ୍ତମାନ ସମୟରେ ସେମାନେ ସେମାନଙ୍କ ଜୀବନର ବିଭିନ୍ନ ଦିଗ ହରାଉଛନ୍ତି । ତେଣୁ ଶିକ୍ଷାଗ୍ରହଣର ଧାରା ବଜାୟ ରଖିବା ଏକ ବୃହତ୍ ଆହ୍ବାନ ।
ଇଟିଭି ଭାରତ: ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସ୍ଥିତି କ’ଣ ?
ସେଭ୍ ଦି ଚିଲ୍ଡ୍ରେନ୍: ଆପଣ ଯଦି ଅଙ୍ଗନବାଡ଼ି କର୍ମୀଙ୍କ କଥା ଦେଖନ୍ତି, ସେମାନେ ଘରକୁ ଘର ଯାଇ ପିଲାମାନଙ୍କୁ ଖାଦ୍ୟ ବିତରଣ କରୁଛନ୍ତି । ଯେତେବେଳେ ବି ଆମେ ସେମାନଙ୍କ ସହ କାମ କରିଛୁ, ଆମେ ଏହା ହିଁ ଦେଖିଛୁ । ସେଇ ଉଦ୍ୟମ ଜାରି ରହିଛି, କିନ୍ତୁ ରନ୍ଧାଖାଦ୍ୟ ଦିଆଯାଉନାହିଁ ।
ଇଟିଭି ଭାରତ: କୋଭିଡ୍ ସମୟରେ ପରୀକ୍ଷା କରାଇବା ସଂପର୍କରେ ଆପଣଙ୍କର ମତାମତ କ’ଣ ?
ସେଭ୍ ଦି ଚିଲ୍ଡ୍ରେନ୍: ଆମେ ସୁରକ୍ଷିତ ଭାବରେ ପିଲାମାନେ ସ୍କୁଲ୍କୁ କିମ୍ବା ପରୀକ୍ଷା କେନ୍ଦ୍ରକୁ ଫେରିଆସିବା କଥା କହୁଛୁ । ଆମେ ଯଦି ସେମାନଙ୍କୁ ସେହି ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା ବ୍ୟବସ୍ଥା ଦେଇପାରିବା, ତେବେ ଆମେ ସେ ସଂପର୍କରେ ଚିନ୍ତା କରିବା ଉଚିତ । ମୁଁ ଜାଣିନି ଯେ କେମିତି ସାମାଜିକ ଦୂରତା ନିୟମ ପାଳିତ ହେବ । ଏହା ସହଜ ନୁହେଁ । ଏହା ଅତି କଷ୍ଟକର ।
ଏହା କେବଳ ପରୀକ୍ଷା ସଂପର୍କରେ ନୁହେଁ । ଜଣେ ପିଲା ଯେଉଁ ମାନସିକ କ୍ଲାନ୍ତି ଏବଂ ଚାପର ସମ୍ମୁଖୀନ ହୋଇଛି, ଏମିତି କି ଶିକ୍ଷକମାନେ ମଧ୍ୟ, ଏହା ସେ ସଂପର୍କିତ ପ୍ରସଙ୍ଗ । ମୁଁ ଭାବୁଛି, ପିଲାମାନଙ୍କ ପାଇଁ ସେସବୁ କେନ୍ଦ୍ରର ସ୍ଥିତି ସୁରକ୍ଷିତ ନହେଲା ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ହେବ ।
ଇଟିଭି ଭାରତ: ଆମେ ଆମ ସ୍କୁଲଗୁଡ଼ିକୁ ଖୋଲିବା କି ନାହିଁ ?
ସେଭ୍ ଦି ଚିଲ୍ଡ୍ରେନ୍: ଆମେ, ‘ସେଭ୍ ଦି ଚିଲ୍ଡ୍ରେନ୍’ରେ ପିଲାମାନେ ନିରାପଦରେ ସ୍କୁଲକୁ ଫେରିଆସିବା କଥା ଉପରେ ଗୁରୁତ୍ବ ଦେଉଛୁ । ସୁରକ୍ଷିତ ପରିସ୍ଥିତି ସୃଷ୍ଟି ହୋଇ ଏହା ବଜାୟ ନରହିଲା ଯାଏଁ, ଆମେ ପିଲାମାନଙ୍କୁ ଶିକ୍ଷାଦାନ କେନ୍ଦ୍ରକୁ ପଠାଇବା ଉଚିତ ନୁହେଁ ।
ଆମର ସ୍କୁଲ୍ଗୁଡ଼ିକ ସଙ୍ଗରୋଧ କେନ୍ଦ୍ର ଭାବରେ ମଧ୍ୟ ଉପଯୋଗ ହେଉଛି ଏବଂ ଆମେ ସେଗୁଡ଼ିକର ବିଶୋଧନ କରିବା ଆବଶ୍ୟକ । ସ୍କୁଲ୍ ଖୋଲିବା ପୂର୍ବରୁ ଅନେକ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ।
ଇଟିଭି ଭାରତ: କୋଭିଡ୍ ପରବର୍ତ୍ତୀ ସମୟରେ ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କେତେ ପରିମାଣର ଅର୍ଥ ଆବଶ୍ୟକ ହେବ ?
ସେଭ୍ ଦି ଚିଲ୍ଡ୍ରେନ୍: ନିକଟରେ ପ୍ରକାଶିତ ‘ୟୁନେସ୍କୋ’ର ଏକ ରିପୋର୍ଟରେ କୁହାଯାଇଛି ଯେ. ପାଣ୍ଠି ଯୋଗାଣ 12% ହ୍ରାସ ହେବ । ତେଣୁ ଆମେ ଏକ ଖରାପ ସ୍ଥିତିରେ ରହିଛୁ । କୋଭିଡ୍ ଏହାକୁ ଆହୁରି ଖରାପ କରିଦେଉଛି । ଆପଣ ଯଦି ଆବଶ୍ୟକ କାର୍ଯ୍ୟଭାର ଦେଖିବେ, ତେବେ ଏହା ଖୁବ୍ ଅଧିକ ।
ମୁଁ ବୁଝୁଛି ଯେ ସ୍ବାସ୍ଥ୍ୟ ଏବଂ ଜୀବିକା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଖୁବ୍ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ପାଠପଢ଼ା କ୍ଷେତ୍ରରେ ଏହି ସଂକଟକୁ ଏଡ଼ାଇ ଯିବା ପାଇଁ ଶିକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ ।
କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ