ଜୟପୁର: ବିଧାନସଭା ଅଧିବେଶନ ସମୟ ଯେତେ ପାଖେଇ ଆସୁଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ନିଜ ସ୍ବରକୁ ସେତେ କଠୋର କରୁଛନ୍ତି । ବିଶେଷ କରି ବିଜେପି ପ୍ରତି ତାଙ୍କ ଆଭିମୁଖ୍ୟକୁ ଆହୁରି ଶକ୍ତ କରିଛନ୍ତି । ଆଜି ( ରବିବାର ) ବିଧାୟକଙ୍କୁ ସାକ୍ଷାତ କରିବା ପରେ ଗେହେଲଟ କହିଛନ୍ତି ବର୍ତ୍ତମାନ ବିଜେପି ବିଧାୟକ ମଧ୍ୟ ବାଡା ବନ୍ଦିରେ ଯାଇଛନ୍ତି । ଏବେ ବିଜେପିର ପୋଲ ଖୋଲିବା ଆରମ୍ଭ ହୋଇଛି ।
ଗେହଲଟ ଆହୁରି କହିଛନ୍ତି ବିଜେପି ନେତା ଏବେ ବ୍ୟସ୍ତ ଓ ବିବ୍ରତ । କାରଣ ଆମର ସାଥୀ ମାନେ ଯେଉଁମାନେ କଂଗ୍ରେସ ଛାଡିଥିଲେ ସେମାନେ ଖୁବଶୀଘ୍ର ଫେରିଆସିବେ । ସେ ବିଜେପି କୁ ପ୍ରଶ୍ନ କରିଛନ୍ତି ସରକାରରେ ଆମେ ଅଛୁ ଘୋଡା ବେପାରକୁ ଆମେ ପର୍ଦାଫାସ କରିବୁ । କିନ୍ତୁ ବିଜେପି କାହିଁକି ଭୟଭୀତ । କାହିଁକି ଦଳୀୟ ବିଧାୟକଙ୍କୁ ବିଜେପି ଭାଗଭାଗ କରି ବାଡବନ୍ଦୀ କରିଛି ।
ସେ ଆହୁରି କହିଛନ୍ତି ବିଜେପି ନେତା କୈଳାଶ ମେଘାୱାଲେ କହିଥିଲେ ଘୋଡାବେପାର ହେବା ଉଚ୍ଚିତ ନୁହେଁ । ତେବେ କାହିଁକି ତାଙ୍କ ଦଳ ଏଥିରେ ମାତିଛି । ପୂର୍ବରୁ ମଧ୍ୟ 3 ଥର ସରକାର ଭାଙ୍ଗିବାକୁ ଉଦ୍ୟମ ହୋଇଛି । ରାଜ୍ୟ କଂଗ୍ରେସ ସଭାପତିଙ୍କୁ ମୋହରା କରାଯାଇଛି । ସେହିପରି ରାଜ୍ୟପାଳଙ୍କୁ ସାକ୍ଷାତ କରି ପ୍ରଦେଶରେ ଯେଭଳି ଭାବେ ଲୋକତନ୍ତ୍ର ସୁରକ୍ଷିତ ରହିବ ପଦକ୍ଷେପ ନେବାକୁ ଦାବି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ ।
ସରକାରକୁ ଅସ୍ଥିର କରିବା ପାଇଁ ହେଉଥିବା ଷଡଯନ୍ତ୍ର ଉପରେ ଆମର ଲଢେଇ ହେଉଛି । ବିଜୟ ଆମର ହେବ । କାହିଁକି ନା ରାଜ୍ୟବାସୀ ଆମ ସହ ଅଛନ୍ତି । ଆମକୁ ସମର୍ଥନ କରୁଛନ୍ତି । ତେଣୁ ବିଜୟ ଆମର । ବିଜେପି ଯାହା ଷଡଯନ୍ତ୍ର କଲେ ମଧ୍ୟ ସଫଳ ହେବ ନାହିଁ ବୋଲି ଗେହେଲଟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ