ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ COVID-19 ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର 5‘ଟି’ ପ୍ଲାନ ଘୋଷଣା କରିଛନ୍ତି । ଏନେଇ ସେ ପ୍ରକାଶ କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ବିଶେଷଜ୍ଞ ମାନଙ୍କ ସହ ଆଲୋଚନା ପରେ ଦିଲ୍ଲୀ ସରକାର କୋରୋନା ମୁକାବିଲା କରିବା ପାଇଁ ପାଞ୍ଚ ପର୍ଯ୍ୟାୟର 5‘ଟି’ ଯୋଜନା ପ୍ରସ୍ତୁତ କରିଛନ୍ତି ।’ ଏହା ଦ୍ବାରା କୋରୋନା ମୁକାବିଲା ସହଜ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ପ୍ରଥମ ‘ଟି’ହେଉଛି ଟେଷ୍ଟିଙ୍ଗ । ଯଦି ଆପଣ କୋରୋନା ଟେଷ୍ଟିଙ୍ଗ ନକରନ୍ତି, ତେବେ କେଉଁ ଘର ପ୍ରଭାବିତ ହୋଇଛି ତାହା ଆପଣ ଜାଣି ପାରିବେ ନାହିଁ । ସେଥିପାଇଁ ଦକ୍ଷିଣ କୋରିଆରେ ପ୍ରତ୍ୟେକ ଲୋକଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ କୋରୋନା ପରୀକ୍ଷା କରାଯାଉଛି । ସେମାନଙ୍କ ପରି ଆମେ ମଧ୍ୟ ମାସ-ଟେଷ୍ଟିଙ୍ଗ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଦେଶ ପରୀକ୍ଷା କରିନାହାଁନ୍ତି, ସେମାନେ COVID-19ର ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି ।
ଆମେ 50,000 ଲୋକଙ୍କ ରକ୍ତପରୀକ୍ଷା ପାଇଁ କିଟ୍ ଅର୍ଡର କରିଛୁ । କିଟ୍ ଗୁଡିକ ଆସିବା ଆରମ୍ଭ ହୋଇଛି । 1,00,000 ଲୋକଙ୍କ ଦ୍ରୁତ ପରୀକ୍ଷା ପାଇଁ ଆମେ ନିର୍ଦ୍ଦେଶ ମଧ୍ୟ ଦେଇଛୁ । କିଟ୍ ବିତରଣ ଶୁକ୍ରବାର ଠାରୁ ଆରମ୍ଭ ହେବ । କୋରୋନା ହଟସ୍ପଟ ମାନଙ୍କରେ ର୍ୟାଣ୍ଡମ ଟେଷ୍ଟ କରାଯିବ । ଏହା ସହିତ ବିଭିନ୍ନ ସ୍ଥାନରେ ବିସ୍ତୃତ ପରୀକ୍ଷା ମଧ୍ୟ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି ।
ଦ୍ବିତୀୟ ‘ଟି’ ହେଉଛି ଟ୍ରେସିଂ ବା ଅନୁସନ୍ଧାନ । ଆମର ଅଧିକାରୀ ଏବଂ ଡାକ୍ତରଙ୍କ ଏକ ଦକ୍ଷ ଦଳ ଅଛି, ଯେଉଁମାନେ ଲୋକଙ୍କୁ ଚିହ୍ନଟ କରିବା ସହ ସେଲ୍ଫ କ୍ବାରେଣ୍ଟାଇନରେ ରଖିଥାନ୍ତି । ଦିଲ୍ଲୀରେ ବହୁତ ଭଲ ଅନୁସନ୍ଧାନ ଚାଲିଛି ଓ ବର୍ତ୍ତମାନ ଆମେ ପୋଲିସର ସହାୟତା ନେବା ଆରମ୍ଭ କରିଛୁ । ଏଥିସହ ଅନୁସନ୍ଧାନ କରାଯାଇଥିବା ଲୋକମାନେ ସେଲ୍ଫ କ୍ବାରେଣ୍ଟାଇନରେ ରହିଛନ୍ତି କି ନାହିଁ ତାହା ଯାଞ୍ଚ ମଧ୍ୟ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଅନୁସନ୍ଧାନ ପାଇଁ 27,702 ଜଣଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଛି । ଜଣେ ବ୍ୟକ୍ତିଙ୍କ ଗତିବିଧି ସେମାନଙ୍କ ଫୋନ୍ ମାଧ୍ୟମରେ ଟ୍ରାକ କରାଯାଇପାରିବ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ‘ଆଜି ଆମେ 2000 ଲୋକଙ୍କ ଫୋନ ନମ୍ବର ଯାଉଛୁ, ଯେଉଁମାନେ ମାର୍କାଜରୁ ବାହାରକୁ ଆସିଛନ୍ତି । ସେମାନେ ଯେଉଁ ଅଞ୍ଚଳକୁ ଯାଇଥିଲେ, ତାହା ଯାଞ୍ଚ କରି ସିଲ କରାଯିବ ।’
ତୃତୀୟ ‘ଟି’ ହେଉଛି ଟ୍ରିଟମେଣ୍ଟ ବା ଚିକିତ୍ସା, ଯଦି କେହି COVID-19 ଦ୍ବାରା ସଂକ୍ରମିତ ହୁଏ । ତେବେ ଆମକୁ ସେହି ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇବାକୁ ପଡିବ । ଦିଲ୍ଲୀରେ ଏପର୍ଯ୍ୟନ୍ତ 525 ପଜିଟିଭ୍ COVID-19 ମାମଲା ରହିଛି ଓ ଆମେ ପରବର୍ତ୍ତୀ ସମୟ ପାଇଁ 3000 ଶଯ୍ୟାର ବ୍ୟବସ୍ଥା କରିଛୁ ।’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଚତୁର୍ଥ ‘ଟି’ ହେଉଛି ଟିମ ୱାର୍କ ବା ଦଳଗତ କାର୍ଯ୍ୟ । ଯାହା ବିନା କୋରୋନା ଭାଇରସ ସଙ୍କଟକୁ କେହି ମୁକାବିଲା କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
‘ମୁଁ ପ୍ରକୃତରେ ଖୁସି ଯେ ସମସ୍ତ ରାଜ୍ୟ ସରକାର ଏକ ଦଳ ଭାବରେ କାର୍ଯ୍ୟ କରୁଛନ୍ତି, ରାଜନୀତିରୁ ଉପରକୁ ଉଠିଛନ୍ତି । ଏହି ଦେଶର ଲୋକ ଓ ସମସ୍ତ ସରକାର ଏକାଠି କାମ କରିବା ଉଚିତ୍ । ଆମକୁ ପରସ୍ପରଠାରୁ ଶିଖିବାକୁ ପଡିବ । ଡାକ୍ତର ଓ ନର୍ସମାନେ ଏହି ପରିବାରର ଅତ୍ୟାବଶ୍ୟକ ସଦସ୍ୟ ଅଟନ୍ତି ।’ ସେମାନଙ୍କୁ ଯେକୌଣସି ପ୍ରକାରେ ସୁରକ୍ଷିତ ରଖିବାକୁ ପଡ଼ିବ, ସେମାନେ ଆମର ସୈନିକ ଓ ଆମେ ସେମାନଙ୍କ ପରିବାରର ଯତ୍ନ ନେବା ଆବଶ୍ୟକ ବୋଲି ସିଏମ କେଜ୍ରିୱାଲ କହିଛନ୍ତି ।
ପଞ୍ଚମ ‘ଟି’ ଟ୍ରାକିଂ ଓ ମନିଟରିଂ କରିବା । ମୁଁ ବହୁତ କଥା କହିଛି, କିନ୍ତୁ ଏହି ଜିନିଷଗୁଡିକ ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ । ଆମେ ପ୍ରସ୍ତୁତ କରିଥିବା ବ୍ୟବସ୍ଥାକୁ କ୍ଷଣକୁ କ୍ଷଣକୁ ଟ୍ରାକ୍ କରିବା ମୋର ଦାୟିତ୍ବ ଅଟେ । ମୁଁ ଏହାକୁ 24 ଘଣ୍ଟା ଟ୍ରାକିଂ କରୁଛି । ଏହା ସହ ଆମେ COVID-19 ଠାରୁ ତିନି ପାଦ ଆଗରେ ରହି ଏକ ଦଳଗତ ଭାବରେ ଏହି ଯୁଦ୍ଧକୁ ଜିତିପାରିବା ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।
@ANI