ନୂଆଦିଲ୍ଲୀ: ଏବେ ପଡୋଶୀ ଦେଶଙ୍କ ଆକ୍ରମଣର ମୁହଁତୋଡ ଜବାବ ଭାରତ ଦେଇପାରିବ। ଦିନରାତି 24 ଘଣ୍ଟା ଶତ୍ରୁଙ୍କ ଉପରେ ନଜର ରଖି କୌଣସି ମୂହୁର୍ତ୍ତରେ ଫାୟାରିଙ୍ଗ କରିହେବ। ଭାରତୀୟ ସେନାକୁ ଏଭଳି ସୁଯୋଗ ଦେଇଛି ଧନୁଷ ହାୱିଟଜର।
ଆଜି ଭାରତୀୟ ସେନାରେ ଆନୁଷ୍ଠାନିକ ଭାବେ ୪ଟି ଦେଶୀ ବୋଫୋର୍ସକୁ ସାମିଲ କରାଯାଇଛି। ଯେକୌଣସି ପ୍ରକାରର ଯୁଦ୍ଧକାଳୀନ ସ୍ଥିତିରେ ଭାରତର ଏହି ଦେଶୀ ବୋଫୋର୍ସ ଶତ୍ରୁକୁ ମୁହଁଭଙ୍ଗା ଜବାବ ଦେଇପାରିବ। ଏହି ବୋଫର୍ସକୁ ଧନୁଷ ହାୱିଟଜର କୁହାଯାଉଛି। ବୋଫୋର୍ସ କମାଣ ଅନୁସାରେ ଏହାର ନିର୍ମାଣ ହୋଇଛି। ଏହା ସମ୍ପୂର୍ଣ୍ଣ ଦେଶୀ କୌଶଳରେ ନିର୍ମିତ ହୋଇଛି।
୨୦୧୫ରେ ଭାରତରେ ଏହି ଦେଶୀ ବୋଫୋର୍ସର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସ୍ୱଦେଶୀ ତୋପ ଧନୁଷର ପାୱାର ବୋଫୋର୍ସଠାରୁ ଉନ୍ନତ ବୋଲି କୁହାଯାଉଛି। ଧନୁଷର କେଲିବର ୧୫୫ ଏମଏମ୍ ଥିବାବେଳେ ଏହାର ରେଞ୍ଜ ୪୦ କିଲୋମିଟର ରହିଛି।
ଏହି କମାଣ ଭାରତରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଲମ୍ବା ରେଞ୍ଜର ତୋପ । ଦିନରାତି ଫାୟାରିଙ୍ଗ କରିବାରେ ଏହା କ୍ଷମତା ରଖିଛି। ପାହାଡିଆ ଅଞ୍ଚଳରେ ଏହି ତୋପକୁ ସହଜରେ ରଖାଯାଇ ଫାୟାରିଙ୍ଗ କରାଯାଇପାରିବ। ଏପରିକି କୌଣସି ପ୍ରକାର ପ୍ରତିକୂଳ ପାଗରେ ଏହି ତୋପ ଶତ୍ରୁର ମୁକାବିଲା କରିପାରିବ ।