ହାଇଦ୍ରାବାଦ: ସପ୍ତମ ଦିନରେ ପହଞ୍ଚିଛି ଲକଡାଉନ । ସାତ ଦିନ ହେବ ଘରେ ବନ୍ଦୀ ଭାରତବାସୀ । ଏମିତିରେ ବାହାରକୁ ଖେଳିବାକୁ ଯାଇ ନପାରି ଓ ସାଙ୍ଗସାଥୀଙ୍କ ସହ ଦେଖା ହୋଇନପାରି ଛୋଟ ପିଲାମାନେ ଘରେ ବୋର ହେଉଥିବା ଦେଖାଯାଉଛି । ଘରେ ବସି ବସି ପିଲାମାନେ ବୋର ହେଉଥିବା ବେଳେ ଏହାର ସମାଧାନ ପାଇଁ ଆଗେଇ ଆସିଛି ଗୁଗୁଲ ।
ସୋମବାର ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛି ଗୁଗୁଲ । ଏହି ଟ୍ବିଟରେ ପିଲାମାନେ ଘରେ ଥିଲେ ଚିନ୍ତା ନକରି ଗୁଗୁଲର ଆଗାମୀ ପ୍ଲାନ ସହିତ ଅପଡେଟ ରହିବା ପାଇଁ କୁହାଯାଇଛି । ପିଲାମାନଙ୍କୁ ଘରେ ଖାଲିରେ ନବସାଇ ସେମାନଙ୍କୁ ବିଭିନ୍ନ ଆକ୍ଟିଭିଟିରେ ଲଗାଇବା ପାଇଁ ଗୁଗୁଲ କାଢିଛି ନୂଆ ଫର୍ମୁଲା ।
ବୋଲୋ ଆପ ସହ ପିଲାଙ୍କୁ ଶିଖାନ୍ତୁ ସ୍ବଚ୍ଛତା:
ପ୍ରାଥମିକ ପର୍ଯ୍ୟାୟରେ ଛୋଟ ପିଲାମାନଙ୍କ ପାଇଁ ଏହି ଆପରେ ସେମାନଙ୍କ ପଢିବା ଶକ୍ତିକୁ ବଢାଇବାର ଚେଷ୍ଟା କରାଯାଇଛି । ଏଥିରେ ପିଲାମାନେ ବଡପାଟିରେ ପଢିବା ସହ ସେମାନଙ୍କ ଉଚ୍ଚାରଣ ଓ ବ୍ୟାକରଣରେ ଶୁଦ୍ଧାତା ଆଣିବା ପାଇଁ ରହିଛି ଫିଡବ୍ୟାକ ଅପ୍ସନ । ଏଥିରେ ପିଲାମାନେ ନିଜ ଘରେ ବସି ଖେଳ ଖେଳରେ ପଢିବା ସହ ସେମାନଙ୍କୁ ସ୍ବଚ୍ଛତା ଓ ଶିକ୍ଷଣୀୟ କଥା ଶିଖାଇବାର ବ୍ୟବସ୍ଥା ରହିଛି । ଏଥିପାଇଁ ଆପରେ ପିଲାମାନଙ୍କ ପସନ୍ଦର ଛୋଟା ଭୀମ ଶିକ୍ଷା ଦେବା ସହ ରହିଛି ଅମର ଚିତ୍ର କଥା ଓ ଟ୍ବିଙ୍କଲ ଆଟାଚମେଣ୍ଟ ।
ଘରେ ବସି ଟୁରକୁ ନେବ ଏହି ଆପ:
ଗୁଗୁଲରେ ଥିବା ଆର୍ଟ ଆଣ୍ଡ କଲଚର ସେକ୍ସନରେ ଆପଣ ଘରେ ବସି ଦର୍ଶନୀୟ ସ୍ଥାନ ବୁଲିପାରିବେ । ସେ ପ୍ୟାରିସର ଆଇଫିଲ ଟାୱାର ହେଉ କି ଆଗ୍ରାର ତାଜମହଲ, ସବୁର ମଜା ଆପଣ ଘରେ ବସି ଉଠାଇପାରିବେ ।
କ୍ଲାସରୁମରେ ପରିଣତ ହେବ ଘର:
ବାପା ମା’ଙ୍କ ସହ ମିଶି ପିଲାମାନେ ୟୁଟ୍ୟୁବ ଓ ଅନ୍ୟ ୱେବସାଇଟରୁ ଘରେ ବସି ପାଠ ପଢିପାରିବେ । ଏଥିସହ ବିଭିନ୍ନ୍ ଆର୍ଟ ଓ କ୍ରାଫ୍ଟ ପାଇଁ ଡିଆଇୱାଇରୁ ମଧ୍ୟ ପିଲାମାନେ ଏହି ସମୟରେ ଶିଖିପାରିବେ ।
ଘର ପାଲଟିବ ପ୍ଲେ-ଗ୍ରାଉଣ୍ଡ:
ଘରେ ବସି ଖେଳିବା ପାଇଁ ପିଲାମାନଙ୍କ ପାଖରେ ଅଛି ଅନେକ ଅନଲାଇନ ଅପ୍ସନ । ଏଥିପାଇଁ ଲୁଡୋ, ବୋର୍ଡ ଗେମ, ବ୍ଲକ୍ସ, ସ୍କିପିଂ ଓ ଡ୍ୟାନ୍ସ ଟ୍ୟୁଟୋରିଆଲର ମଧ୍ୟ ଅପ୍ସନ ରହିଛି । ଲକଡାଉନ ସମୟରେ ଏହାର ବ୍ୟବହାରରେ ପିଲାମାନେ ଘରେ ବସି ନିଜକୁ ବ୍ୟସ୍ତ ରଖିବା ସହ କିଛି ଶିଖି ବି ପାରିବେ ।