ନୂଆଦିଲ୍ଲୀ: ଯେତେବେଳେ ଦେଶର 130 କୋଟି ଜନତା ଘରେ ଏକପ୍ରକାର ବନ୍ଦୀ ହୋଇଛନ୍ତି ସେତେବେଳେ ରାସ୍ତା ଉପରେ ରାଜୁତି କରୁଛନ୍ତି ପଶୁପକ୍ଷୀ । ଏପରି କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 21 ଦିନିଆ ଲକଡାଉନ ଘୋଷଣା ଯୋଗୁଁ ଦେଶବ୍ୟାପୀ ସହର, ରାସ୍ତା, ରାଜପଥ ସବୁ ଶୂନଶାନ ପାଲଟିଛି । ଏପରି ସମୟରେ ରାସ୍ତା ଉପରେ ଦେଖାଦେଇଛନ୍ତି ଅନେକ ପଶୁପକ୍ଷୀ ।
କୋରୋନା ମୁକାବିଲା ଲାଗି ମୋଦିଙ୍କ ଘୋଷଣା ପରେ ଗତ ବୁଧବାରଠାରୁ ଏହି ଲକଡାଉନ ସମୟ ଆରମ୍ଭ ହୋଇଛି । ରାସ୍ତାଘାଟରେ କାଁ ଭାଁ ଗାଡିମୋଟର ଓ ଲୋକ ଯିବାଆସିବା କରୁଛନ୍ତି । ସେପଟେ ପୋଲିସର କଟକଣା ଯୋଗୁଁ ଅନେକ ଲୋକ ପଦାକୁ ବାହାରୁନାହାନ୍ତି । ଫଳରେ କିଛି ଗୃହପାଳିତ ପଶୁ, ବୁଲା ଜୀବଜନ୍ତୁ ଓ ପକ୍ଷୀ ରାସ୍ତା ଉପରେ ବିନା ବାଧାବିଘ୍ନରେ ବୁଲୁଥିବାର ଦେଖାଯାଇଛି । ସବୁବେଳେ ଭିଡ ଥିବା ରାସ୍ତାରେ ଏମାନଙ୍କ ଚଳପ୍ରଚଳ ବିପଦପୂର୍ଣ୍ଣ ହୋଇଥିବାବେଳେ ଏବେ ସେମାନେ ଖାଲି ରାସ୍ତାରେ ରାଜୁତି କରୁଥିବାରେ ସୋସିଆଲ ମିଡିଆରେ ୟୁଜର୍ସ କମେଣ୍ଟ କରୁଛନ୍ତି ।
ଚଣ୍ଡିଗଡର ସେକ୍ଟର 9 ଓ 10କୁ ଡିଭାଇଡ କରୁଥିବା ରାସ୍ତାର ଜେବ୍ରା କ୍ରସିଂ ଉପରେ ଏକ ହରିଣ ଚଲାବୁଲା କରୁଥିବାର ଭିଡିଓ ଦେଖିବାକୁ ମିଳିଛି । ସେହିପରି ଉତ୍ତର କେରଳର କୋଝିକୋଡେର ରାସ୍ତା ଉପରେ କିଛି ପୋଲିସ କର୍ମୀ ଛିଡା ହୋଇଥିବାବେଳେ ଏକ ବଣ ବିଲେଇ ଜେବ୍ରା କ୍ରସିଂ ପାସ କରିଥିଲା । ଏହି ବନ୍ୟଜନ୍ତୁମାନେ ସାଧାରଣତଃ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଦେଖାଯାଆନ୍ତି ନାହିଁ । 1990 ପରେ ଏହି ଜନ୍ତୁ ପ୍ରଥମ ଥର ପାଇଁ କୋଝିକୋଡେ ରାସ୍ତାରେ ଦେଖିବାକୁ ମିଳିଛି ।
ସେହିପରି ସର୍ବଦା ଜନଗହଳିପୂର୍ଣ୍ଣ ନୋଏଡାର ଏକ ମଲ ବାହାରେ ଏକ ନୀଳଗାଇ ରାସ୍ତା ଉପରେ ବିନ୍ଦାସ ବୁଲୁଥିବା ଦେଖିବାକୁ ମିଳିଥିଲା । ଯେଉଁଠି ସବୁବେଳେ ଏତେ ଭିଡ ଲାଗିଥାଏ ଯେ ମଣିଷ ମଧ୍ୟ ରାସ୍ତା ପାର କରିବା କଷ୍ଟକର ହୋଇପଡେ । ଆଜି ଶୂନଶାନ ରାସ୍ତାରେ ବିନ୍ଦାସ ବୁଲୁଛି ଏକ ଗାଇ । ସେହିପରି ସବୁବେଳେ ଗାଡିମୋଟରର ଶବ୍ଦରେ ଫାଟି ପଡୁଥିବା ସହରରେ ଆଜି ପକ୍ଷୀଙ୍କ କୋଳାହଳ ଶୁଣିବାକୁ ମିଳୁଛି । ଦିନରାତି ବିଭିନ୍ନ ପ୍ରକାର ପକ୍ଷୀଙ୍କ ରାବ ଶୁଣୁଥିବା ସହରବାସୀ କହିଛନ୍ତି । ଏପରିକି ଅନେକ ମେଟ୍ରୋ ସହର ମଧ୍ୟ ଜଙ୍ଗଲ ଭଳି ଅନୁଭୂତ ହେଉଥିବା କିଛି ଲୋକ ମତପ୍ରକାଶ କରିଛନ୍ତି ।